ଭଞ୍ଜନଗର,୨୦/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ): ଗଞ୍ଜାମ ଜିଲ୍ଲା ପ୍ରତିନିଧି: ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା (ଗ୍ରୀଟ୍)ର ଅଧ୍ୟକ୍ଷ ଭାବେ ଗୁରୁବାର ଦାୟିତ୍ଵ ଗ୍ରହଣ କଲେ ସଂସ୍ଥାର ମନୋନୀତ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ। ଭଞ୍ଜନଗର ଠାରେ ଥିବା ଉକ୍ତ ସଂସ୍ଥା ର ମୁଖ୍ୟ କାର୍ଯ୍ୟାଳୟ ଠାରେ ଆଜି ପୂର୍ବାହ୍ନ ସାଢେ଼ ୧୨ଟାରେ ପହଞ୍ଚି ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ହିଞ୍ଜିଳିକାଟୁ ର ଜଣାଶୁଣା ଯୁବ ପ୍ରତିଭା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରି ଆସିଥିବା ପବିତ୍ର ପାଣିଗ୍ରାହୀ ଆଜି ହିଞ୍ଜିଳିକାଟୁ ରୁ ଭଞ୍ଜନଗର ଗ୍ରୀଟ୍ କାର୍ଯ୍ୟାଳୟ ରେ ପହଁଞ୍ଚିବା ପରେ ସେଠାରେ ତାଙ୍କୁ ଉତ୍ସାସିତ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ପ୍ରଥମେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ପରେ ଗ୍ରୀଟ୍ ପକ୍ଷରୁ ସଂପାଦକ ସୁଧାଂଶୁ ଶେଖର ପଟ୍ଟନାୟକ ନୂତନ ଅଧ୍ୟକ୍ଷ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଗ୍ରୀଟ୍ କାର୍ଯ୍ୟାଳୟ ପରିସରରେ ହିଞ୍ଜିଳିକାଟୁ ପୈ।ରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ଆସିକା ନଗରପାଳ ବିନତୀ ସ୍ବାଇଁ,ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ ସମେତ ହିଞ୍ଜିଳିକାଟୁ ପୈ।ର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଭଞ୍ଜନଗର ର ପୂର୍ବତନ ନଗରପାଳ ସୁଧୀର ରଞ୍ଜନ ବେହେରା, ବହୁ କାଉନସିଲର ତଥା ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ନୂତନ ଗ୍ରୀଟ୍ ଅଧ୍ୟକ୍ଷ ଙ୍କୁ ସ୍ବାଗତ ଜଣାଇଥିଲେ। ପରେ ଗଣମାଧ୍ୟମ କୁ ନିଜ ପ୍ରତିକ୍ରିୟାରେ ନୂତନ ଗ୍ରୀଟ୍ ଅଧ୍ୟକ୍ଷ ପାଣିଗ୍ରାହୀ ଗ୍ରୀଟ୍ ମାଧ୍ୟମରେ ସହରାଞ୍ଚଳ ବିକାଶ ପାଇଁ ଅନେକ କିଛି କରାଯିବା ପାଇଁ ଖୁବ ଶୀଘ୍ର ଖସଡ଼ା ପ୍ରସ୍ତୁତ କରାଯାଉଛି ବୋଲି ଦର୍ଶାଇ ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର ଓ ବେଲଗୁଣ୍ଠା ସହର ସମେତ ଏହାର ଆଖପାଖର ୧୬ଟି ପଞ୍ଚାୟତର ବହୁବିଧ ଉନ୍ନତି ଗ୍ରୀଟ୍ ମାଧ୍ୟମରେ କରାଯିବାକୁ ସେ ଲକ୍ଷ୍ୟ ରଖିଥିବା ଉଲ୍ଲେଖ କରିଛନ୍ତି। ଖୁବଶୀଘ୍ର ଗ୍ରୀଟ୍ ର ପୂର୍ଣ୍ଣାଙ୍ଗ ବୋର୍ଡ ବୈଠକ ଡକାଯାଇ ଏଥିପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ ବୋଲି ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି।