Odisha news

ଭତ୍ତା ଟଙ୍କା ଆତ୍ମସାତ୍‌ ଅଭିଯୋଗ ଆଣିଲେ ବ୍ଲକ୍‌ ଉପାଧ୍ୟକ୍ଷା:

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ କୁଏରମାଣ୍ଡୁ ପଞ୍ଚାୟତରେ ହିତାଧିକାରୀଙ୍କ ଭତ୍ତା ଟଙ୍କାକୁ ସରପଞ୍ଚ ଏବଂ ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ମିଳିମିଶି ଚଳୁ କରିଦେଇଛନ୍ତି। ଖୋଦ୍ ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷା ସସ୍ମିତା ମଲ୍ଲିକ ଏହି ସଂଗିନ୍ ଅଭିଯୋଗ ଆଣିବା ପରେ ହଟଚମଟ ସୃଷ୍ଟି ହୋଇଛି। ଆଉ ହିତାଧିକାରୀ ମାନେ କୁଏରମାଣ୍ଡୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ସେମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ ଏବଂ ଏହି ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ସେହିପରି ବ୍ଲକ୍ ଉପାଧ୍ୟକ୍ଷା ଘଟଣା ସଂପର୍କରେ ବିଡିଓଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି।ପ୍ରକାଶ ଯେ, କୁଏରମାଣ୍ଡୁ ପଞ୍ଚାୟତରେ ପୂର୍ବରୁ ତିରୁପତି ମଲ୍ଲିକ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଥିଲେ।

୫ ମାସ ଧରି ୨୦ ଜଣ ହିତାଧିକାରୀଙ୍କ ଭତ୍ତା ସେ ଟଙ୍କାକୁ ହଡ଼ପ କରିଥିବା ବେଳେ ସରପଞ୍ଚ ବି ଏଥିରେ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ଅଛନ୍ତି। ଫିରିଙ୍ଗିଆ ବିଡ଼ିଓ ରଶ୍ମିରଞ୍ଜନ ମହାନ୍ତଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଅଭିଯୋଗ ସଂପର୍କରେ ପ୍ରାକ୍ତନ ପିଇଓ ଶ୍ରୀ ମଲ୍ଲିକଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ଭତ୍ତା ଟଙ୍କା ବଣ୍ଟନ ଦାୟିତ୍ବ ସରପଞ୍ଚଙ୍କୁ ଦିଆଯାଇଥିଲା। ‌ତେବେ ଭତ୍ତା ବଣ୍ଟାଯାଇଛି କି ନାହିଁ, ତାହା କେବଳ ସରପଞ୍ଚଙ୍କୁ ଜଣା। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ। ଅନ୍ୟପକ୍ଷରେ କୁଏରମାଣ୍ଡୁ ପଞ୍ଚାୟତରେ ନୂତନ ଭାବେ ଯୋଗ ଦେଇଥିବା ପିଇଓ ଅଶୋକ କୁମାର ପ୍ରଧାନ ଅଭିଯୋଗ ବିଷୟରେ କିଛି ଜାଣି ନଥିବା କହିଛନ୍ତି।

Govt

Comments are closed.