Odisha news

ପନିପରିବା ଦର ଆକାଶ ଛୁଆଁ

0

ସୋର : ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ମାର୍କେଟରେ ପରିବା ଦର ଆକାଶ ଛୁଆଁ ରହିଛି । ସୋର ବ୍ଲକରେ ବିଶେଷ କରି ମୁଳି ସିଂ, ଟେଣ୍ଟେଇ, ପାଖର , ଦହିସଡା ଓ କେଦାରପୁର ପଞ୍ଚାୟତରେ ଅଧିକ ପରିବା ଚାଷ ହେଉଥିବା ବେଳେ ଏହି ସବୁ ପରିବା ଚାଷୀ ସୋର ମାର୍କେଟକୁ ପରିବା ପଠାଇ ବେଶ୍ ଲାଭବାନ୍ ହେଉଥିଲେ । କରୋନା କଟକଣା ପାଇଁ ଗାଁଗହଳିକୁ ଫେରିଥିବା ପ୍ରବାସୀ ଏଥର ବାଡିଘରେ ଭଲ ପରିବା ଚାଷ କରି ଗୁଜୁରାଣ ମେଣ୍ଟାଇବାକୁ ଆଶା ରଖିଥିଲେ ।

ଏବେ ଲଗାଣ ବର୍ଷାରେ ପରିବା ଚାଷ ପଚିଯାଇଥିବାରୁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବା ସହ ମାର୍କେଟରେ ସବୁ ପରିବା ଦର ଆକାଶ ଛୁଆଁ ହୋଇଛି । ଏସବୁ ପରେ ଆଳୁ କିଲୋ ପ୍ରତି ୩୫ ଟଙ୍କା ଟପି ଥିବା ବେଳେ ପିଆଜ ୨୫ ଟଙ୍କା ଛୁଁଇଛି । ସେହିପରି ବିଲାତି ୬୦, ବାଇଗଣ ୫୦, ପୋଟଳ ୬୦, ଜହ୍ନି ୪୦, ଭେଣ୍ଡି ୬୦ ଟଙ୍କା ହୋଇଥିବା ବେଳେ କଞ୍ଚା ଲଙ୍କା କିଲୋ ପ୍ରତି ୨ଶହ ଟଙ୍କା ଟପିଛି ।

ଏହି ଶଙ୍କଟ କାଳରେ ରାଜ୍ୟର ଆଳୁ ମିଶନ ଫେଲ ହୋଇଥିବାରୁ ଲୋକେ ପଶ୍ଚିମ ବଙ୍ଗ ଉପରେ ଆଳୁ ପାଇଁ ନିର୍ଭରଶୀଳ କାରଣରୁ ଏହି ପରିସ୍ଥିତି ଉପୁଜୁଛି । କରୋନା କାଳରେ କାମଧନ୍ଦା ଛାଡି ଲୋକେ ବେରୋଜଗାର ହୋଇ ଘରେ ହାତଗୋଡ ଯୋଡି ବସିଥିବା ବେଳେ ପରିବା ଦର ପାଇଁ ପରିବାରକୁ ସଜ ପରିବା ଟିକେ ଦେବାକୁ ଅକ୍ଷମ ମଣୁଛନ୍ତି ।

Nalco
Leave A Reply