ପୁରୀ:ପରମ୍ପରା ଅନୁଯାୟୀ ପୌଷ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରାଜାଧିରାଜ ବେଶରେ ସଜ୍ଜିତ କରାଯାଇଥିଲା । ମହାପ୍ରଭୁଙ୍କ ଏହି ପବିତ୍ର ସୁନାବେଶ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଦର୍ଶନାଥିଙ୍କ ସମାଗମ ହୋଇଥିଲା । ଶୁକ୍ରବାର ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ସୁନାବେଶ ଆରମ୍ଭ ହୋଇଥିଲା । ମେକାପ, ପୁଷ୍ପାଳକ ଓ ଖୁଣ୍ଟିଆ ସେବକମାନେ ମହାପ୍ରଭୁଙ୍କୁ ବେଶ କରିଥିଲେ । ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡାମାଳି, ବାଘନଖୀ ମାଳି, ସେବତି ମାଳି ଓ ତ୍ରିଖଣ୍ଡିକା କମରପଟି ପରିଧାନ କରିଥିବା ବେଳେ ଦେବୀସୁଭଦ୍ରା କିରୀଟ, ଓଡିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡାମାଳି, କଦମ୍ବ ମାଳି, ତଡଗି ୨ଟି(ଆୟୁଧ) ଓ ସେବତି ମାଳି ପରିଧାନ କରିଥିଲେ । ସେହିପରି ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡିଆଣି, ଚନ୍ଦ୍ର ସୂର୍ଯ୍ୟ, କାନ, ଆଡକାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡା କଦମ୍ବମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି ଓ ତ୍ରିଖଣ୍ଡିକା କମରପଟି ପରିଧାନ କରିଥିଲେ । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନେ ବର୍ଷକଯାକ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ତନ୍ମଧ୍ୟରେ ଉତ୍କଷ୍ଟ ବେଶ ରାଜାଧିରାଜ ବେଶ ବା ସୁନାବେଶ ଅନ୍ୟତମ । ସୂଚନାଯୋଗ୍ୟଯେ,ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ତିନି ରଥ ଉପରେ, କାର୍ତ୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ, ଦୋଳ ପୂର୍ଣ୍ଣମୀ ଓ ଆଶ୍ୱିନ ଶୁକ୍ଳ ଦଶମୀରେ ରତ୍ନ ସିଂହାସନ ଉପରେ ଶ୍ରୀଜିଉମାନେ ରାଜାଧିରାଜ ବେଶ ହୋଇଥାନ୍ତି । ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ତୃତୀୟ ଅନଙ୍ଗଭୀମ ଦେବ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଉତ୍କଳ ସମ୍ରାଟ ତଥା ରାଷ୍ଟ୍ର ଦେବତା ଭାବେ ଘୋଷଣା କରିଥିଲେ । ରାଜା କପିଳେନ୍ଦ୍ର ଦେବ ନିଜକୁ ଜଗନ୍ନାଥଙ୍କ ରାଉତ ବୋଲି ଏକ ଶିଳା ଲେଖରେ ଉଲ୍ଲେଖ କରିବା ସହିତ ପ୍ରଚୁର ପରିମାଣର ସ୍ୱର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା, ହୀରା ଓ ନୀଳା ଆଦି ମୂଲ୍ୟବାନ ରତ୍ନ ଅଳଙ୍କାର ଶ୍ରୀଜିଉମାନଙ୍କ ଉଦେ୍ଦଶ୍ୟରେ ଅର୍ପଣ କରିଥିବାରୁ ସେ ସମୟରୁ ସୁନାବେଶର ସୃଷ୍ଟି ହୋଇଥିବା ଗବେଷକମାନେ ମତ ଦିଅନ୍ତି । କେତେକ ଗବେଷକଙ୍କ ମତରେ ଉତ୍କଳର ସମ୍ରାଟ ତଥା ଓଡିଆ ଜାତିର ଅଧିଶ୍ୱର ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଅତ୍ୟନ୍ତ ପ୍ରାଚୀନକାଳରୁ ରହିଆସିଛି । ପ୍ରାୟ ୧୨୩୨ ଖ୍ରୀଷ୍ଟାବ୍ଦରୁ ସୁନାବେଶ ଆରମ୍ଭ ହୋଇଥିବା ପୌରାଣିକ ତଥ୍ୟରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here