Odisha news

ଅଭିଶପ୍ତ ଗାଁ ଦୁମୁକୁ

0

ରାୟଗଡା6.04.2020(ରବିନ୍ଦ୍ର ପାଟଖଣ୍ଡାଳ)- ଗାଁର ନାମ ଦୁମୁକୁ । ସତେଯେପରି ଗାଁଟି ସେଠାକାର ବାସିନ୍ଦାଙ୍କ ପାଇଁ ଅଭିଶପ୍ତ ପାଲଟିଯାଇଛି । ପାହାଡ ଶିଖରରେ ଥିବା ଏହି ଗାଁକୁ ରାସ୍ତାଟିଏ ନାହିଁକି ପିଇବା ପାଇଁ ସ୍ୱଚ୍ଛ ପାଣି ମୁନ୍ଦାଏ ମଧ୍ୟ ନାହିଁ । ଆଉ ବାପା ଅଜା ଛାଡିଯାଇଥିବା ପାଦଚଲା ରାସ୍ତାକୁ ନିଜର ଚିରସାଥୀ ରୂପେ ଆଦରି ନେଇଥିବା ବେଳେ ଗାଁ ଠାରୁ ଖଣ୍ଡେ ଦୂରରେ ପାହାଡ କୋରଡରୁ ଝରିଆସୁଥିବା ପାଣିକୁ ନିଜର ଜୀବନ ରୂପେ ବାଛିନେଇଛନ୍ତି । ଆଉ ବର୍ଷବର୍ଷ ଧରି ପାଣି ଟିକିଏ ଏବଂ ରାସ୍ତ ଖଣ୍ଡିଏ ପାଇଁ ଚିତ୍କାର କରୁଥିବା ବେଳେ ସେମାନଙ୍କର ଡାକ ପାହାଡର ବଡବଡ ପଥର ଦେହରେ ପିଟିହୋଇ ଥମି ଯାଉଛି । ପଦାକୁ ଆସପାରୁନି ।

 

ରାୟଗଡା ଜିଲା କୋଲନରା ବ୍ଲକର ପାହାଡ ପରିବେଷ୍ଟନି ଭିତରେ ଥିବା ଗାଁ ଦୁମୁକୁ (ସରକାରୀ ନାମ ଦୁମୁକୁପାଡୁ) । ଗାଁରେ ରହନ୍ତି ପ୍ରାୟ ୧୦୦ଟି ପାରିବାର । ଡଙ୍ଗର ଉପରେ ଜୀବନକୁ ବାଜି ଲଗାଇ ଖଟି ଖାଇବା ଶିଖିଛନ୍ତି । ହେଲେ ମୁନ୍ଦାଏ ପାଣି ଏବଂ ରାସ୍ତା ପାଖରେ ଏହି ୧୦୦ଟି ଆଦିବାସୀ ପରିବାର ହାରିଯାଇଛନ୍ତି । ପୁରୁଷ ପୁରୁଷ ଧରି ବ୍ଲକର ପାହାଡ ଉପରେ ବସତି ସ୍ଥପନ କରିଥିବା ଗାଁ ଦୁମୁକୁ ସତେଯେପରି ଏଠାକାର ବାସିନ୍ଦାଙ୍କ ପାଇଁ ଅଭିଶାପ ପାଲଟିଯାଇଛି । କୌଳାସକଟା ପାହଡ ଉପରେ ବାଟଭାଙ୍ଗି ଲାଲିବି ଛକଠାରୁ ପାହାଡ କଡେକଡେ ଜଙ୍ଗଲିଆ ଦୁର୍ଗମ ପାଦଚଲା ରାସ୍ତାରେ ପ୍ରାୟ ୨ଘଣ୍ଟା ପାଦରେ ଚାଲିବାପରେ ଦୁମୁକୁପାଡୁ ଗାଁରେ ପହଞ୍ଚିବାକୁ ପଡିଥାଏ । ପ୍ରାୟ ୩୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ । ପାହାଡ ଢ଼ାଲୁରେ ଚାଷକରିବା ଏହି ଆଦିବାସୀଙ୍କ ମୁଖ୍ୟ ଜୀବିକା । ତେବେ ଗାଁକୁ ଯିବାପାଇଁ ରସ୍ତାଟିଏ ନାହିଁ ।

କୋଲନରା ପଞ୍ଚାୟତ ଚମ୍ପିଆ ଦେଇ ପାହାଡ ଉପରେ ଚଢ଼ି ଯିବା ଅସମ୍ଭବ ହୋଇପଡୁଥିବାରୁ ସେମାନେ ଲାଲବି ଛକଦେଇ ପାଦରେ ଚାଲିଚାଲି ଯିବାକୁ ପଡିଥାଏ । ତେବେ ଏହି ରାସ୍ତାର ଅଭାବ ସେମାନଙ୍କ ପାଇଁ ବିଭିନ୍ନ ସମୟରେ କାଳ ସାଜିଛି । ମୁଖ୍ୟତ ଗର୍ଭବତୀ ଏବଂ ରୋଗାକ୍ରାନ୍ତଙ୍କ ପାଇଁ ଏହି ରାସ୍ତା ବଇରି ସାଜିଛି । ଗାଁକୁ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଆସିପାରେନାହିଁ । ତେବେ ଖଟିଆରେ ବୋହିବୋହି ନେବା ରାସ୍ତାରେ ଅନେକଙ୍କ ମୃତ୍ୟୁ ଘଟୁଥିବାର ନିଦାନ ରହିଥିବା ଗ୍ରାମବାସୀ କହିଛନ୍ତି । ଏହାର ଉଦାହରଣ ହେଲା ଚଳିତ ମାସ ୧୮ ତାରିଖରେ ସେହି ଗାଁର ସାବିତ୍ରୀ ତାଡଙ୍ଗୀ ନାମକ ଗର୍ଭୁଣୀ ପ୍ରାତଃ ଠାରୁ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅସୟ ହେବାରୁ ଗ୍ରାମବାସୀ ମାନେ ଖଟିଆରେ ଦୋଳା ପ୍ରସ୍ତୁତକରି ଦିର୍ଘ ୫ କିଲୋମିଟର ବାଟ କାନ୍ଧରେ ବୋହି ଲାଲବି ଛକ ଠାରୁ ଭଡ଼ା ଗାଡ଼ିରେ ଆଣି କୋଲନରା ପ୍ରାଥମିକ ଚିକିତ୍ସାଳୟରେ ବର୍ତ୍ତି କରାଯାଇଥିଲା । ଅନ୍ୟପଟେ ଦେଖିବା ରାସ୍ତଠାରୁ ପିଇବା ପାଣି ମୁନ୍ଦାଏ ଏମାନଙ୍କ ପାଇଁ ଦୁର୍ଲଭ ହୋଇଯାଇଛି । ବର୍ଷା ଋତୁରେ ମେଘ ପାଣିକୁ ସାଉଁଟି ଦିନଦିନ ଧରି ସଂରକ୍ଷିତ ରଖି ପିଇଥାନ୍ତି ।

ଅନ୍ୟ ଋତୁ ଯେପରି ଏଠାକାର ଲୋକଙ୍କ ପାଇଁ ଅଭିଶପ୍ତ ପାଲଟିଯାଇଛି । ଗାଁ ଠାରୁ ଅଙ୍କାବଙ୍କା ହୋଇ ଲମ୍ବିଥିବା ରାସ୍ତାରେ ଗୋଟିଏ କିଲୋମିଟର ଦୂର ଯିବାପରେ ପାହାଡ କୋରଡରୁ ଝରିଆସୁଥିବା ପାଣିକୁ ପିଇବା ଠାରୁ ଆରମ୍ଭ କରି ନିଜ ଦୌନନ୍ଦିନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ତେଣୁ ପାହାଡ ତଳୁ ଝରୁଥିବା ପଥର କୋରଡର ପାଣି ଯେପରି ଏମାନଙ୍କ ପାଇଁ ଆଉଏକ ଭଗବାନ । ଅଉ ନିଦାଘ ଗ୍ରୀଷ୍ମ ପ୍ରବାହରେ ଏହି ପଥର ତଳୁ ଝରିଆସୁଥିବା ପାଣି ଶୁଖିଯାଏ । ଆଉ ଏହି ଏହି ୨ରୁ ୩ମାସ ଗାଁ ଠାରୁ ପ୍ରାୟ ୪କିଲୋମିଟର ଦୂର ଲାଲବି ଠାରେ ଥିବା ଗୋଟିଏ ଝରଣାରୁ ପାଣି ସଂଗ୍ରହ କରି ମୁଣ୍ଡେଇ ଆସିଥାନ୍ତି । ବିବାହ ଜାନିଯାତ୍ରା ଦିନରେ ଦୁର୍ଦଶା ୨ଗୁଣ ବଢ଼ିଯାଏ ।

ବିବାହ ଦିନଠାରୁ ୧୫ଦିନ ପୂର୍ବରୁ ଗାଁ ଭାଇ ସଭିଏଁ ଏକାଠି ହୋଇ ପାଣି ସଂଗ୍ରହ କରି ବିବାହ ଭୋଜିଆଦି କାର୍ଯ୍ୟ ତୁଲାଇଥିବା ଗାଁ ଲୋକେ କହନ୍ତି । ଏହି ଅଭିଶପ୍ତ ଦୁମୁକୁ ଗ୍ରାମକୁ ମୁଖ୍ୟତ ଗାଁକୁ ରାସ୍ତାଟିଏ ଏବଂ ପାନୀୟଜଳ ସମସ୍ୟାର ସମାଧାନ ନେଇ ଲୋକେ କେତେଥର ଗୁହାରୀ କରିଛନ୍ତି କିନ୍ତୁ ଏସବୁ ସେମାନଙ୍କ ପାଇଁ ଦୁର୍ଲଭ ହୋଇଯାଇଛି ବୋଲି ଗ୍ରାମର ଅନି କଣ୍ଡାଗରି,ଗୋରାଚାନ୍ଦ ବିଡିକା, ଅଭିରାମ ଉଲାକା କହିଛନ୍ତି । ଅପରପକ୍ଷରେ ଏହି ଗାଁରେ ରହିଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି । ସମ୍ପୃକ୍ତ ବ୍ଳକର ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସ୍ଥିତି ଅନୁଧ୍ୟାନ କରିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply