Odisha news

ବଜେଟ୍ ରେ ପଶ୍ଚିମ ଓଡିଶାବାସୀଙ୍କ ପାଇଁ କିଛି ନାହିଁ : ନରସିଂହ ମିଶ୍ର

0

ଭୁବନେଶ୍ୱର, ୨୬ ଫେବୃଆରୀ – ଅର୍ଥ ମନ୍ତ୍ରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ କରିଥିବା ବଜେଟ୍ ଲୋକ ବିରୋଧୀ ଏବଂ ଶାସକ ଦଳକୁ ସୁହାଇବା ଭଳି ପ୍ରସ୍ତୁତ ହୋଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ।  ବୁଧବାର ଦିନ ଦ୍ୱିତୀୟ ଦିନରେ ବଜେଟ୍ ଉପରେ ବିଧାନସଭାରେ ଆଲୋଚନା ହୋଇଥିଲା । ଶ୍ରୀ ମିଶ୍ର କହିଥିଲେ ଶିକ୍ଷା , ସ୍ୱାସ୍ଥ୍ୟ , କୃଷି ବିଭାଗ ପାଇଁ ବରାଦ ହୋଇଥିବା ଅର୍ଥ ଯଥେଷ୍ଟ ନୁହେଁ । ଏ ସରକାରଙ୍କ ଶାସନ କାଳରେ ପଶ୍ଚିମ ଓଡିଶାରେ ନ୍ୟାୟ ବ୍ୟବସ୍ଥା ସ୍ଥାଣୁ ଅବସ୍ଥାରେ ରହିଛି । ଏପର୍ଯ୍ୟନ୍ତ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ସରକାର କୌଣସି ନିଷ୍ପତି ନନେବା ଦୁର୍ଭାଗ୍ୟଜନକ । ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ସମ୍ପୃକ୍ତ ଅଂଚଳରେ ପ୍ରତିଷ୍ଠା ହୋଇପାରିଲା ନାହିଁ । କେବିକେ ଅଂଚଳରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହେଲା ନାହିଁ । ସମ୍ପୃକ୍ତ ଅଂଚଳବାସୀଙ୍କ ପ୍ରତି ସରକାର ବିଶ୍ୱାସଘାତକତା କରିଛନ୍ତି । ଓଡିଶାରେ ଆଖୁ ଉତ୍ପାଦନ ଏବଂ ଚିନି ଉତ୍ପାଦନ ହ୍ରାସ ପାଇଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି ବୋଲି ଯାହା କୁହାଯାଉଛି ବାସ୍ତବରେ ତାହା ହୋଇନାହିଁ । ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିଲା ନାହିଁ । ବରଂ ସେମାନଙ୍କୁ ଶୋଷଣର ଶୀକାର ହେବାକୁ ପଡୁଛି । ଉତ୍ପାଦିତ ସାମଗ୍ରୀର ଦର ମିଳୁନାହିଁ । ଧାନ କିଣା ବିକାରେ ଦଲାଲି ବ୍ୟବସ୍ଥାର ଉଚ୍ଛେଦ ହେଲାନାହିଁ ।

Leave A Reply