Odisha news

କରୋନା ଆତଙ୍କ: ବିଶ୍ବବ୍ୟାପୀ ସଙ୍କଟ ବଢ଼ୁଛି, ଏବେ ୧୨୫ ରାଷ୍ଟ୍ରରେ କରୋନା ୧୨୭,୭୬୯ ଜଣ ଭାଇରସ୍‌ ଆକ୍ରାନ୍ତ ମୃତ୍ୟୁସଂଖ୍ୟା ୪,୭୧୬, ଟ୍ରମ୍ପ୍‌ଙ୍କୁ ଭେଟିଥିବା ବ୍ରାଜିଲ୍‌ ଅଧିକାରୀ କରୋନା ଆକ୍ରାନ୍ତ

0

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ଏବେ ୧୨୫ଟି ରାଷ୍ଟ୍ରରେ କରୋନା ଭାଇରସ୍‌ ବ୍ୟାପି ସାରିଛି। ଆଜି ସୁଦ୍ଧା ୧୨୭,୭୬୯ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୪,୭୧୬ ଜଣଙ୍କର କରୋନା ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। କରୋନା ଯୋଗୁଁ ଚୀନ୍‌ରେ ୩,୧୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚୀନ୍‌ ପରେ ଇଟାଲି ଏବଂ ଇରାନ୍‌ରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇଟାଲିରେ କରୋନା ୮୨୭ ଜଣଙ୍କ ଜୀବନ ନେଇଥିବା ବେଳେ ଇରାନ୍‌ରେ ଆଜି ସୁଦ୍ଧା ୪୩୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଇଟାଲିରେ ୧୨,୪୬୨ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ ଟପିଛି। କରୋନା ମୁକାବିଲା ପାଇଁ ଇରାନ୍‌ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ସଂକ୍ରମଣକୁ ରୋକିବାରେ ସଫଳ ହେଉନାହିଁ। ଦକ୍ଷିଣ କୋରିଆରେ ବି ମୃତ୍ୟୁ ସଂଖ୍ୟା ୬୬ରେ ପହଞ୍ଚିଛି। ଫ୍ରାନ୍ସରେ ୪୮ ଜଣ ଏବଂ ସ୍ପେନ୍‌ରେ ୮୪ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ସ୍ପେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୬୮ରେ ପହଞ୍ଚିଛି। ସ୍ପେନ୍‌ର ଜଣେ ମନ୍ତ୍ରୀ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସେ କ୍ବାରେଣ୍ଟିନ୍‌ରେ ଅଛନ୍ତି ବୋଲି ଜଣାପଡ଼ିଛି। ବ୍ରାଜିଲ୍‌ରେ କରୋନା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବ୍ରାଜିଲ୍‌ ରାଷ୍ଟ୍ରପତିଙ୍କ ସଚିବ ଫାବିଓ ୱାଙ୍ଗାର୍ଟିନ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଗତ ଶନିବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହିତ ଫ୍ଲୋରିଡାରେ ରାତ୍ରି ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆୟର୍‌ଲାଣ୍ଡ୍‌ରେ ୪୩ ଜଣ କରୋନା ଆକ୍ରାନ୍ତ ହେବାରୁ ଏଠାରେ ସମସ୍ତ ସ୍କୁଲ୍‌, କଲେଜ୍‌ ବନ୍ଦ ଘୋଷଣା କରାଯାଇଛି ଏବଂ ବଡ଼ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଆମାଜନ୍ କର୍ମଚାରୀମାନେ ଚଳିତ ମାସ‌ରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଛୁଟି ନେଇପାରିବେ। ଅନ୍ୟପକ୍ଷେ ଚୀନ୍‌ରେ ନୂଆ କରୋନା ମାମଲା ଆସିବା କମିଛି। ଗ୍ରୀସ୍‌ ଏବଂ ଅଷ୍ଟ୍ରିଆରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି। ଜର୍ମାନୀରେ କରୋନା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨,୧୨୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି।

ମୁକାବିଲା ପାଇଁ ବଜାର ବନ୍ଦ କଲା ଇଟାଲି
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଇଟାଲି ଦେଶରେ ମେଡିସିନ୍‌ ଷ୍ଟୋର୍‌ ଏବଂ ଖାଦ୍ୟ ଦୋକାନକୁ ବାଦ୍‌ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରଖିଛି। ଇଟାଲି ପ୍ରଧା‌ନମନ୍ତ୍ରୀ କରୋନା ଭାଇରସ୍‌ ପାଇଁ ଦେଶବ୍ୟାପୀ ବନ୍ଦ ଘୋଷଣା କରିଥିଲେ। ଲୋକମାନଙ୍କୁ ଘରେ ରହିବାପାଇଁ ପରାମର୍ଶ ଦିଆଯାଇଛି। ବାର୍‌, ପବ୍‌, ରେସ୍ତୋରାଁ ଏବଂ କ୍ୟାଣ୍ଟିନ୍‌ ସେବା ବନ୍ଦ ରହିବ। ଲୋକମାନଙ୍କୁ ପରସ୍ପର ମଧ୍ୟରେ ୧ ମିଟର ବ୍ୟବଧାନ ରଖିବାକୁ କୁହାଯାଇଛି। କଟକଣା ଯୋଗୁଁ ଇଟାଲିର ପ୍ରମୁଖ ସହର ଗୁଡ଼ିକ ଏବେ ଖାଁ ଖାଁ ହୋଇଯାଇଛି।

Leave A Reply