Odisha news

ଜିଲ୍ଲାପାଳ ଓ ଛତ୍ରପୁର ବିଧାୟକଙ୍କଠାରୁ ପ୍ରଶଂସା ପତ୍ର ପାଇଲେ କୁନି ତାବଲା ବାଦକ ଦୀପ୍ତ

0

ଛତ୍ରପୁର: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରାଜିଲ ରାଷ୍ଟ୍ରପତି, ଭାରତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନାର ମୁଖ୍ୟଙ୍କ ସମ୍ମୁଖରେ ଓଡ଼ିଶା ଦଳରେ ସାମିଲ ହୋଇଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର କୁନି ତାବଲା ବାଦକ ଦୀପ୍ତ ସୁନ୍ଦରଙ୍କ ତାବଲା ବାଦନ ସମସ୍ତଙ୍କ ମନ ମୋହିଥିଲା । ଏପରିକି ସେ ଭାଗ ନେଇଥିବା ଜୁନିଅର ବିଭାଗର ଓଡ଼ିଶା ସାଂସ୍କୃତିକ ଦଳ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା । ବ୍ରହ୍ମପୁରର କୁନି ଦୀପ୍ତଙ୍କ କୁନି କୁନି ହାତରେ ଏଭଳି ତାବଲା ବାଦନକୁ ମନ ଭରି ଉପଭୋଗ କରିଥିଲେ ଅତିଥି ଓ ହଜାର ହଜାର ସଂସ୍କୃତି ପ୍ରେମୀ । ଦୀପ୍ତ ବ୍ରହ୍ମପୁର ଫେରିବା ପରେ ତାଙ୍କୁ ବିଭିନ୍ନ ମହଲରେ ସ୍ୱାଗତର ସୁଅ ଛୁଟିଛି ।

ତାଙ୍କର ଏଭଳି କୃତକାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ପୂର୍ବରୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବିଏମସି କମିଶନର ଚକ୍ରବର୍ତି ସିଂ ରାଠୋର ଓ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରେୟ ଭାଉସାହେବ ବ୍ରହ୍ମପୁରର ଗର୍ବ ଓ ଗୌରବ ବୋଲି କହି ଗଞ୍ଜାମ ଜିଲ୍ଲାର ଏକମାତ୍ର କୁନି ତାବଲା ବାଦକ ଭାବେ ଗଞ୍ଜାମ ଜିଲ୍ଲାର ପ୍ରତିଭାକୁ ସାରା ଦେଶ ସାମନାରେ ନିଜେ ତାବଲା ବାଦନ କରି ମନ ଜିଣିଥିବାରୁ ତାଙ୍କୁ ପ୍ରଶଂସା ପତ୍ର ଦେଇଥିଲେ । ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧନା କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ଏହି ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲା ଓ ଓଡ଼ିଶା ଗର୍ବିତ ବୋଲି ମତବ୍ୟକ୍ତ କରିଥିଲେ ।

ସେହିପରି ସ୍ଥାନୀୟ ବିଧାୟକଙ୍କ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତାଙ୍କୁ ପୁଷ୍ପଗୁଚ୍ଛ ଓ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ସମିତିସଭ୍ୟ ସୁଶାନ୍ତ କୁମାର ସାହୁ, ଯୁବ ନେତା ଉମାକାନ୍ତ ରେଡ୍ଡି ଓ ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ସହରରୁ ଆଉ ଏକ ସୁନାପୁଅ ଆବିର୍ଭିାବରେ ଆଜି ଗଞ୍ଜାମ ଜିଲ୍ଲା ଗର୍ବିତ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ ।

Leave A Reply