Odisha news

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି

0

ଭୁବନେଶ୍ୱର, ତା. ୨୬/୦୩: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅଧୀନରେ ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଲକ ଡାଉନ ସମୟରେ ଦେଶର ସମସ୍ତ ଗରୀବ ଜନତାଙ୍କୁ ଖାଦ୍ୟ ଏବଂ ଆର୍ଥୀକ ସୁରକ୍ଷା ଯୋଗାଇ ଦେବ । ଏହି ଅର୍ଥରାଶି ସିଧାସଳଖ ଗରିବ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଭଳି ପରିସ୍ଥିତିରେ ଅନେକ ଜନହିତକର ପଦକ୍ଷେପ ଗ୍ରହଣ କରିଥିବାରୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଅର୍ପଣ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୧ ଦିନର ଲକ ଡାଉନକୁ ଦୃଷ୍ଟିରେ ରଖି ମୋଦି ସରକାର ଗରିବ, କୃଷକ, ଦିବ୍ୟାଙ୍ଗ, ଶ୍ରମିକ ଏବଂ ବୟସ୍କମାନଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ଦେଶବାସୀଙ୍କୁ ଭୋକିଲା ନରଖିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣାରେ ୮୦ କୋଟି ଲୋକଙ୍କୁ ଅତିରିକ୍ତ ୫ କିଲୋ ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ଯୋଗାଇ ଦିଆଯିବ । ଦେଶର ୮ କୋଟି ୫୯ ଲକ୍ଷ ଚାଷୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହରେ ୨ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ମନରେଗା ଯୋଜନାରେ ୫ କୋଟି ଶ୍ରମିକଙ୍କୁ ୨ ହଜାର ଟଙ୍କା ସହାୟତା ରାଶି ମିଳିବା ସହ ସେମାନଙ୍କ ମଜୁରୀକୁ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ୫ କୋଟି ପରିବାର ଉପକୃତ ହେବେ ।
ଦେଶରେ ୩ କୋଟି ଦିବ୍ୟାଙ୍ଗ, ବୃଦ୍ଧାବସ୍ଥା ପେନସନଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କୁ ବିନା ବନ୍ଧକରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏହା ଦ୍ୱାରା ୭ କୋଟି ପରିବାର ଉପକୃତ ହେବେ । ସେହିପରି ୨୦ କୋଟି ଜନଧନ ଖାତାଧାରୀ ମହିଳାଙ୍କୁ ୫୦୦ ଟଙ୍କା ଲେଖାଏଁ ମିଳିବ । କରୋନା ମୁକାବିଲା ସମୟରେ ସେବା ଯୋଗାଉଥିବା ଡାକ୍ତର, ନର୍ସ, ପାରାମେଡିକ, ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ଘୋଷଣା କରାଯାଇଛି । ୧୫ ହଜାରରୁ କମ ବେତନ ପାଉଥିବା କର୍ମଚାରୀଙ୍କ ପାଇଁ ୩ ମାସ ପର୍ଯ୍ୟନ୍ତ କଂପାନୀର ଇପିଏଫ ଅର୍ଥ କେନ୍ଦ୍ର ସରକାର ବହନ କରିବେ ଶ୍ରୀ ମହାନ୍ତି କହିଛନ୍ତି ।
ସାରା ଦେଶରେ ଉଜ୍ଜଳା ଯୋଜନାରେ ଗରୀବ ହିତାଧିକାରୀ ମାନଙ୍କୁ ମାଗଣାରେ ୩ ମାସ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ । ଏହା ଫଳରେ ଦେଶରେ ୩.୮ କୋଟି ପରିବାର ଉପକୃତ ହେବେ । ଏଭଳି ଏକ ଜନହିତକର ନିଷ୍ପତି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।  ମୋଦି ସରକାର ଏଭଳି ଏକ ଆହ୍ୱନାମୂଳକ ସମୟରେ ଦାୟୀତ୍ୱବାନ ଶାସନର ଉଦାହରଣ ହୋଇଛନ୍ତି । ଆମେ ସମସ୍ତେ ଏକାଠି ହୋଇ କୋରନା ଭଳି ଏକ ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଲଢେଇ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ପାଳନ କରି ପୂରା ୨୧ ଦିନ ଘରେ ରହି କରୋନାର ମୁକାବିଲା କରିବା ପାଇଁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

Leave A Reply