ବେଲଗୁଣ୍ଠା,  04/09, ଜଣେ ଯୁବକଙ୍କୁ କିଛି ଯୁବକ ମିଶି ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ I ତାଙ୍କୁ କିଛି ଯୁବକ ବେଲଗୁଣ୍ଠା ମେଡିକାଲ୍ କୁ ଆଣିଥିବା ବେଳେ କାର୍ଯ୍ୟରତ ଡାକ୍ତର କରୋନା ଆଳ ଦେଖାଇ ଗୁରୁତର ଯୁବକଙ୍କୁ ଚିକିତ୍ସା କରିବା ପାଇଁ ମନା କରିଥିଲେ ଏବଂ ବ୍ରହ୍ମପୁର ନେଇ ଯିବାକୁ ପରାମର୍ଶ ଦେଇଥିଲେ I କିନ୍ତୁ ସାଙ୍ଗରେ ଆସିଥିବା ଯୁବକମାନେ ପ୍ରାଥମିକ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଡାକ୍ତର ଜଣକ ଶୁଣି ନଥିଲେ I ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା I ଖବର ନେବାରୁ ଜଣା ପଡ଼ିଛି ଆଜି ସନ୍ଧ୍ୟା 6 ଘଣ୍ଟ ସମୟରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସରପଲ୍ଲୀ ଗ୍ରାମର ସୁଦର୍ଶନ ସ୍ଵାଇଁ (24) ଖେଳ ପଡିଆରେ ଖେଳୁଥିବାବେଳେ କୌଣସି କାରଣକୁ ନେଇ କିଛି ଯୁବକ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ I
ସ୍ଥାନୀୟ କିଛି ଯୁବକ ସୁଦର୍ଶନ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ I ସେଠାରେ କାର୍ଯ୍ୟରତ ଡାକ୍ତର ଶୂଭମ ପାତ୍ର କରୋନା ନେଗେଟିଭ ରିପୋର୍ଟ୍ ଆଣି ନଥିବାରୁ ଏଠାରେ ଚିକିତ୍ସା ହୋଇପାରିନାହିଁ ବୋଲି କହିବା ସହ ବ୍ରହ୍ମପୁର ନେଇଯାଅ ବୋଲି ଫେରାଇନେଇଥିଲେ I କିନ୍ତୁ ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା I ପରେ ସ୍ଥାନୀୟ ଲୋକଙ୍କ ଅନୁରୋଧ ପରେ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ଭଞ୍ଜନଗର କିମ୍ବା ବ୍ରହ୍ମପୁର ନେବା ପାଇଁ ଲିଖିତ ସାର୍ଟିଫିକେଟ୍ ଦେଇ ନଥିଲେ I ରୋଗୀ ସମ୍ପର୍କୀୟମାନଙ୍କୁ ଅଧିକ ପାଟି ତୁଣ୍ଡ କଲେ ପୋଲିସ୍ ଡକାଇ ଗିରଫ କରିବାକୁ ଡାକ୍ତର ମହୋଦୟ ଧମକ ଦେଇଥିଲେ ବୋଲି ରୋଗୀଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି I
ଏହି ଖବର ଜାଣିବା ପରେ ଡାକ୍ତର ପାତ୍ରଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ପାଇଁ ରୋକଠୋକ୍ ମନା କରିଦେଇଥିଲେ I ଏନେଇ ବେଲଗୁଣ୍ଠା ମେଡିକାଲ୍ ଅଧୀକ୍ଷକଙ୍କୁ ପଚରାଯିବାରୁ ସେ ଏ ବିଷୟରେ କିଛି ଜାଣି ନଥିବା ପ୍ରକାଶ କରିବା ସହ ଘଟଣାର ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଥିଲେ I ଗୁରୁତର ସୁଦର୍ଶନକୁ ଭଞ୍ଜନଗର ମେଡିକାଲ୍ କୁ ନେବା ପରେ ବେଲଗୁଣ୍ଠI ମେଡିକାଲ୍ ରେ ପ୍ରାଥମିକ ଚିକିତ୍ସାର କୌଣସି କାଗଜପତ୍ର ଦେଇ ନଥିବାରୁ ଚିକିତ୍ସାରେ ବିଳମ୍ବ ଘଟିଥିଲା I
ସୂଚନା ଯୋଗ୍ୟ ଯେ ଆଜି ଗଞ୍ଜାମ ଜିଲ୍ଲାପାଳ ବେଲଗୁଣ୍ଠI ଗସ୍ତରେ ଆସି ଜିଲ୍ଲାରେ କରୋନା ନିୟନ୍ତ୍ରଣାଧୀନ ଥିବାରୁ ଏହାକୁ ଭୟ ନ କରିବା ପାଇଁ ପରାମର୍ଶ ଦେଇଥିବାବେଳେ ସେ ଯିବାର ଏକ ଘଣ୍ଟା ନ ପୂରୂଣୁ ଖୋଦ୍ ବେଲଗୁଣ୍ଠାରେ ଜଣେ ଡାକ୍ତର କରୋନା ଆଳ ଦେଖାଇ ଚିକିତ୍ସାରେ ଅବହେଳା କରିବା ଘଟଣା ଜିଲ୍ଲାପାଳଙ୍କ ପାରିବାପଣିଆକୁ ପଦାରେ ପକେଇଦେଉଛି I

LEAVE A REPLY

Please enter your comment!
Please enter your name here