Odisha news

ଅନୁଗୁଳ ଜିଲ୍ଲାରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ: ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ମାସାଧିକ କାଳ ହେଲା ଆସି ପାରୁନି ୫୬୫ ଜଣଙ୍କ ଟେଷ୍ଟିଂ ରିପୋର୍ଟ, ସାଧାରଣରେ ଆତଙ୍କ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଁଚିଂଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅପର ପକ୍ଷରେ ମାସାଧିକ କାଳ ହେବ ୫୬୫ ଜଣ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଟେଷ୍ଟିଂ ରିପୋର୍ଟ ଆସି ପାରିନଥିବା ଯୋଗୁଁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେବେ ଗୁରୁବାର ଦିନ ଚିହ୍ନଟ ହୋଇଥିବା ଦୁଇ ଜଣ ଆକ୍ରାନ୍ତ ଆଠମଲ୍ଲିକ ଅଚଂଳର ।

ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ବେଳେ ଅନ୍ୟ ଜଣେ ତାମିଲନାଡୁରୁ ଫେରି ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ପୂର୍ବରୁ ଜିଲ୍ଲାରେ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ତାଳଚେରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ଦିନ ବାହାରିଥିବା ୨ ସଂକ୍ରମିତଙ୍କୁ ମଧ୍ୟ କୋଭିଡ ହସ୍ପିଟାଲକୁ ପଠାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ତେବେ ଅନୁଗୁଳ ଜିଲ୍ଲାରୁ ସମୁଦାୟ ୩୯୪୭ ଜଣଙ୍କର ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ସେଥିରୁ ୨୯୯୦ ଜଣଙ୍କର ରିପୋର୍ଟ ଆସିଥିବା ବେଳେ ସେଥିରୁ ୨୯୭୧ ଜଣଙ୍କର ନେଗେଟିଭ ହୋଇଥିବା ବେଳେ ୧୯ ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି ।

ହେଲେ ୯୫୭ ଜଣଙ୍କର ବର୍ତମାନ ସୁଦ୍ଧା ରିପୋର୍ଟ ଆସିବା ବାକି ଅଛି । ବାକି ଥିବା ୯୫୭ ଜଣଙ୍କ ମଧ୍ୟରୁ ୫୬୫ ଜଣଙ୍କର ସ୍ୱାବ୍ ମାସାଧିକ କାଳ ହେବ ପରୀକ୍ଷା ପାଇଁ ଭୁବନେଶ୍ୱର ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପରୀକ୍ଷା ରିପୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇ ନାହାଁନ୍ତି । ତେଣୁ ଏ ବିଷୟ ଜଣା ପଡିବା ପରେ ଜନ ସାଧାରଣରେ ଅନୁଗୁଳ ଜିଲ୍ଲା ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉ ନାହାଁନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ତେବେ ଗତ ବୁଧବାର ଦିନ ପୁଣି ୩୯୨ ଜଣ ପ୍ରବାସୀ ଓଡିଆଙ୍କ ସ୍ୱାବ୍ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ସଂଗ୍ରହ କରାଯାଇ ସେଗୁଡିକୁ ପରୀକ୍ଷା କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱରକୁ ପଠାଯାଇଥିବା ସମ୍ପର୍କରେ ଗୁରୁବାର ଦିନ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସାମ୍ବାଦିକଙ୍କ ଆଗରେ ପ୍ରକାଶ କରିଛନ୍ତି ।

Nalco
Leave A Reply