Odisha news

ଆମେରିକା ବାୟୁସେନା ଘାଟିରେ ଆକ୍ରମଣ: ୭ ବିମାନ ଧ୍ବଂସ ଦାବି କଲା ଅଲ୍‌ ସବାବ୍‌ ଆମେରିକା ସାମରିକ ଶକ୍ତିର ଦୁରୁପଯୋଗ ବନ୍ଦ କରୁ: ଚୀନ୍‌

0

ନାଇରୋବି: ସୋମାଲିଆର ଇସ୍‌ଲାମିକ ଆତଙ୍କବାଦୀ ସଂଗଠନ ଅଲ୍‌ ସବାବ କେନିୟାର ଲାମୁ ସହରରେ ଅବସ୍ଥିତ ଆମେରିକାର ବାୟୁସେନା ଘାଟି ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବା ଦାବି କରିଛି। ଏଥିରେ ଆମେରିକା ବାୟୁସେନାର ୭ଟି ଯୁଦ୍ଧ ବିମାନ ଧ୍ବଂସ କରାଯାଇଥିବା ଅଲ୍‌ ସବାବ୍‌ ପକ୍ଷରୁ କୁହାଯାଇଛି। ଆଜି ସକାଳେ ଏହି ଆକ୍ରମଣ ହୋଇଥିଲା ଏବଂ ଏହା ୨ ଘଣ୍ଟା ଧରି ଚାଲିଥିଲା ବୋଲି ଅଲ୍‌ ସବାବ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଆକ୍ରମଣସ୍ଥଳର ଫଟୋ ମଧ୍ୟ ଜାରି ହୋଇଛି। ଏଥିରେ ୭ଟି ଯୁଦ୍ଧ ବିମାନ ସହିତ ୩ଟି ସାମରିକ ଯାନ ଧ୍ବଂସ କରାଯାଇଛି ବୋଲି ଉଲ୍ଲେଖ କରାଯାଇଛି। ଆକ୍ରମଣକୁ ଆମେରିକା ବାୟୁସେନା ସ୍ବୀକାର କରିଛି, କିନ୍ତୁ କ୍ଷୟକ୍ଷତିକୁ ନେଇ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ। ଲାମୁ ସହରରେ ଅବସ୍ଥିତ ବାୟୁସେନା ଘାଟିକୁ ଉଭୟ ଆମେରିକା ଏବଂ କେନିୟାର ସରକାରୀ ସେନା ମିଳିତ ଭାବେ ବ୍ୟବହାର କରୁଥିଲେ। ଅଲ୍‌ ସବାବକୁ ନିପାତ କରିବା ପାଇଁ କେନିୟା ସେନା ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ବେଳେ ଆଜିର ଆକ୍ରମଣ ଆମେରିକା ପାଇଁ ବଡ଼ ଚ୍ୟାଲେଂଜ ହୋଇଛି। ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରୁ ଅଲ୍‌ ସବାବ୍‌କୁ ମୂଳପୋଛ କରିବା ପାଇଁ ବିଭିନ୍ନ ରାଷ୍ଟ୍ର ଏବେ ଆମେରିକା ସହାୟତାରେ ଅପରେସନ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଆଜିର ଆକ୍ରମଣ ଆମେରିକା ରଣନୀତିରେ ଥିବା ଦୁର୍ବଳତାକୁ ପଦାରେ ପକାଇ ଦେଇଛି।

ଟ୍ରମ୍ପ୍‌ ସୁଟ୍‌ ପିନ୍ଧିଥିବା ଆତଙ୍କବାଦୀ: ଇରାନ୍‌
ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଜଣେ ସୁଟ୍‌ ପିନ୍ଧିଥିବା ଆତଙ୍କବାଦୀ ଏବଂ ସେ ଇରାନ୍‌ର ଶକ୍ତି ସଂପର୍କରେ ଅବଗତ ନାହାନ୍ତି ବୋଲି ଆଜି ଇରାନ୍‌ କହିଛି। ଇରାନ୍‌ର ୫୨ଟି ସ୍ଥାନରେ ଆକ୍ରମଣ କରାଯିବ ବୋଲି ଟ୍ରମ୍ପ୍‌ଙ୍କ ଧମକ ପରେ ଇରାନ୍‌ କହିଛି ଯେ ଇରାନ୍‌କୁ କେହି ପରାସ୍ତ କରିପାରିବେ ନାହିଁ ବୋଲି ଟ୍ରମ୍ପ୍‌ ଜାଣି ରଖିବା ଆବଶ୍ୟକ ।

ଆମେରିକା ସାମରିକ ଶକ୍ତିର ଦୁରୁପଯୋଗ ବନ୍ଦ କରୁ: ଚୀନ୍‌
ଆମେରିକା ତା’ର ସାମରିକ ଶକ୍ତିର ଦୁରୁପଯୋଗ କରୁଛି ଏବଂ ଅନ୍ୟ ରାଷ୍ଟ୍ର ବିରୋଧରେ ନିଜ ଶକ୍ତିର ଏଭଳି ବ୍ୟବହାର ବନ୍ଦ ହେବା ଉଚିତ ବୋଲି ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୱି କହିଛନ୍ତି। ଆମେରିକାର ଏଭଳି କାର୍ଯ୍ୟ ବିଶ୍ବକୁ ଅସ୍ଥିରତା ଆଡ଼କୁ ଟାଣି ନେଉଛି ଏବଂ ଅନ୍ତର୍ଜାତୀୟ ସଂପର୍କ ଗୁରୁତର ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି।

Nalco
Leave A Reply