Odisha news

ଖବର ପ୍ରସାରଣ ପରେ ଉଦ୍ଧାର ହେଲା ହାତୀଛୁଆ କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ….

0

ମୟୂରଭଞ୍ଜ : ଖବର ପ୍ରସାରଣ ପରେ ଉଦ୍ଧାର ହେଲା ହାତୀଛୁଆ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦେଢବର୍ଷ ବୟସ୍କା ହାତୀଛୁଆ। ବନବିଭାଗର ଦାୟିତ୍ବହୀନତା ଏବଂ ନିଷ୍କ୍ରିୟତା ପାଇଁ ଛୁଆହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଭୋକିଲା ଛୁଆ ହାତୀର ଅସହାୟତା ଏବଂ ଅସୁସ୍ଥତା ସମ୍ପର୍କରେ ଗତ ୧୫ତାରିଖ ଠାରୁ ସ୍ଥାନୀୟ ବନବିଭାଗକୁ ଜଣାଇ ଉଦ୍ଧାର ପାଇଁ ଅଞ୍ଚଳବାସୀ ଅନୁରୋଧ କରିଥିଲେ ମଧ୍ୟ ବହୁ ବିଳମ୍ବରେ ତତ୍ପରତା ଦେଖାଇ ୨୪ତାରିଖ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲା ବନବିଭାଗ।

ଗୋଟେପଟେ ହାତୀ ସଂଖ୍ୟା ଦିନକୁଦିନ ହ୍ରାସ ପାଉଥିବା ଏହାର ସଂରକ୍ଷଣ ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟପଟେ ହାତୀର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବନବିଭାଗର ଅବହେଳା ଏବଂ ବିଳମ୍ବିତ ପଦକ୍ଷେପ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଛୁଆ ହାତୀର ଗତିବିଧି ଉପରେ ନଜର ରଖିଥିବା ବନବିଭାଗ କେମିତି ଜାଣିପାରିଲାନି ଅସୁସ୍ଥତା ସମ୍ପର୍କରେ।

ସ୍ତନ୍ୟପାନ ଛାଡିବାରୁ ନିଜ ପାଖରୁ ଦୁରେଇ ଦେଇଥିଲା ମାଆ ହାତୀ। ସେହିପରି ରାସଗୋବିନ୍ଦପୁର ରେଞ୍ଜର ବିଭିନ୍ନ ଅଞ୍ଚଳରେ ଘୁରିବୁଲୁଥିବା ୨୦ଟିକିଆ ଝାଡଖଣ୍ଡି ହାତୀପଲ ଦଳରୁ ଆଡ଼େଇ ଦେଇଥିଲେ ଛୁଆ ହାତୀକୁ। ପରେ ହାତୀଛୁଆ ଏକା ହୋଇ ଘୁରିବୁଲୁଥିଲା। ଏହି ସମୟରେ ଆବଶ୍ୟକ ଖାଦ୍ୟ ଅଭାବରୁ ଦୁର୍ବଳ ହୋଇ ଧୀରେ ଧୀରେ ଅସୁସ୍ଥ ହୋଇପଡିଥିଲା। ମାତ୍ର ଛୁଆ ହାତୀ ଉପରେ ନଜର ରଖି ଦାୟିତ୍ବ ଶେଷ କରିଥିବା ସ୍ଥାନୀୟ ବନବିଭାଗ ପକ୍ଷରୁ ହାତୀଛୁଆର ଜୀବନ ବଞ୍ଚାଇବା ପାଇଁ ତତ୍ପରତା ଦେଖାଇ ଆବଶ୍ୟକ ଖାଦ୍ୟ ବ୍ୟବସ୍ଥା କରିଥିଲେ ହୁଏତ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ମତପ୍ରକାଶ ପାଉଥିବା ବେଳେ ବିଭାଗର ଅବହେଳା ଯୋଗୁଁ ଅସମୟରେ ହାତୀଛୁଆର ମୃତ୍ୟୁ ପାଇଁ ବିଭାଗର ଖାମଖିଆଲି ମନଭାଵକୁ ଦାୟିକରି ସମ୍ପୃକ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Nalco
Leave A Reply