ତିହିଡି :ତିହିଡି ସିଆରଏସ୍ ହାଇସ୍କୁଲରେ ଖୋଲା ଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ଯୋଗଶିକ୍ଷା ପ୍ରଦାନ କରାଯାଉଛି । ଏଠାରେ ରହୁଥିବା ୩୨ ଜଣ ପ୍ରବାସୀଙ୍କୁ ଆଜି ଠାରୁ ଯୋଗ ଶିକ୍ଷା ଦିଆଯାଉଛି । ଯୋଗ ଶିକ୍ଷକ ସୁରେଶ ନାୟକ ସେମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରୁଛନ୍ତି । ପ୍ରତ୍ୟେହ ସକାଳ ୬-୩୦ ଏକ ଘଣ୍ଟା ଧରି ସେମାନଙ୍କୁ ଏହି ଶିକ୍ଷା ଦିଆଯାଉଥିବା ବେଳେ ଆସନ୍ତାକାଲି ଠାରୁ ପ୍ରତ୍ୟେହ ସନ୍ଧ୍ୟାରେ ସେମାନଙ୍କ ଲାଗି ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ପ୍ରବାସୀମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିବାର ଜାଣିବାକୁ ମିଳୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଭାଟପଡା ସରପଞ୍ଚଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ସେମାନଙ୍କର ମାନସିକତାରେ ପରିବର୍ତ୍ତନ ହୋଇପାରିବ ବୋଲି ଆଶା କରାଯାଉଛି । ପୂର୍ବରୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ୧୪ ଦିନ ରହିବାର ବ୍ୟବସ୍ଥା ରହିଥିବା ବେଳେ ଏବେ ସରକାର ଏହାର ଅବଧିକୁ ୨୧ ଦିନ ବୃଦ୍ଧି କରିଛନ୍ତି ।