Odisha news

ଆତ୍ମାସହ ପରମାତ୍ମାର ମିଳନ କରାଇପାରେ ଯୋଗ

ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି: ଯୋଗ କେବଳ ଏକ ବ୍ୟାୟାମ ନୁହେଁ । ଯୋଗର ଆକ୍ଷରିକ ଅର୍ଥ ହେଲା ମିଶାଣ ବା ମିଳନ । କାହା ସହ କାହାର! ପ୍ରଥମେ ନିଜ ସହିତ ନିଜର, ଯାହାକୁ ଆମେ ଆତ୍ମ ସାକ୍ଷାତକାର କହୁ । ନୀରବଛିନ୍ନ ଯୋଗସାଧନାର ଶେଷ ପାହାଚ ହେଲା ଆତ୍ମାର ପରମାତ୍ମାଙ୍କ ସହ ମିଶ୍ରଣ ବା ମିଳନ । ନିଜର ସତ୍ତା ହରେଇବାରେ ଅନ୍ତର୍ନିହିତ ଅପାର ଆନନ୍ଦର ଉତ୍ସବ ନଦୀକୁ ପଚାରିଲେ କହିବ । ଜନ୍ମସ୍ଥାନରୁ ନିରନ୍ତର ପହାଡପର୍ବତ ଖାଲଖମା ଅଳିଆଆବର୍ଜନା ଡେଇଁ ଆଗକୁଆଗକୁ ଯାଥାଶୀଘ୍ର ସାଗରସହ ମିଳନ ଇଚ୍ଛାରେ କାହିଁକି ଧାବମାନ! ସାଗରରେ ମିଶିଗଲା ପରେ ନିଜର ସତ୍ତା ହରେଇ ନଦୀକୁ କଣ ମିଳେ? ଏଇ ତ ଅଧ୍ୟାତ୍ମ୍ୟ । ସୃଷ୍ଠିର ରହସ୍ୟ ।

ଜୁନ୍ ୨୧, ୨୦୨୦ରେ ଆମେ ଷଷ୍ଠ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରିବା । ସେପ୍ଟେମ୍ବର ୨୭, ୨୦୧୪ମସିହାରେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଜାତିସଂଘରେ ଭାଷଣରଖିଲା ବେଳେ ଏହି ଜୁନ୍୨୧ ଦିନଟିକୁ ଆନ୍ତର୍ଜାତୀୟ ଯୋଗଦିବସ ରୂପେ ପାଳନ କରିବାକୁ ପ୍ରସ୍ତାବ ବାଢିଥଲେ । କାରଣ ଏହିଦିନଟି ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡଦିନ ହୋଇଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ସବୁଠାରୁ ଛୋଟଦିନ । ପରେ ଏହି ପ୍ରସ୍ତାବକୁ ଜାତିସଂଘରେ ୧୭୭ଦେଶର ସମର୍ଥନ ମିଳିଥିଲା । ପ୍ରକୃତରେ କହିବାକୁ ଗଲେ ଏହା ଆଶିଂକଯୋଗ ପାଇଁ ଏକ ଦିବସ । ଯୋଗର ସମ୍ପୂର୍ଣ୍ଣ ଅର୍ଥ ବଡ ଗହନ ଏବଂ ବ୍ୟାପକ । ଆମେ ଯେଉଁ ଯୋଗଦିବସ ପାଳନ କରିବାକୁ ଯାଉଛେ ସେଥିରେ ଭକ୍ତିଯୋଗ, ଜ୍ଞାନଯୋଗ, କ୍ରିୟାଯୋଗ ଆଦିସବୁର ବିଶେଷ ଝଲକ ନାହିଁ ।

ଏହା ଯୋଗର ପ୍ରଥମ ପାହାଚ ଯାହା ବିଶ୍ୱକୁ ଭାରତ ଏଇ କେତେବର୍ଷ ହେଲା ଭେଟି ଦେଇଛି ଏବଂ ୨୦୧୫ରୁ ଅବିରତ ଭାବରେ ଏକାଧିକ ଦେଶ ଆନ୍ତର୍ଜାତୀୟ ଯୋଗଦିବସ ରୂପରେ ଏହି ଜୁନ୍ ୨୧ ଦିବସକୁ ପାଳନକରିବା ସଙ୍ଗେସଙ୍ଗେ ନିଜ ଦେଶର ନାଗରିକମାନଙ୍କୁ ଯୋଗକରିବାକୁ ପ୍ରୋସôାହନ ଦେଉଛନ୍ତି । ଏଥିରେ କେତେକ ଭିନ୍ନଭିନ୍ନ ଆସନ ପ୍ରକ୍ରିୟାକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ମଣିଷ ସୁସ୍ଥ ଜୀବନଯାପନ କରେ । ଜଣେ ଜଣେ ଭାବନ୍ତି ଆମେ ତ ସୁସ୍ଥ, ଯୋଗ କାହିଁକି କରିବୁ? ଅସୁସ୍ଥ ଲୋକଙ୍କ ଅପେକ୍ଷା ସୁସ୍ଥଲୋକଙ୍କ ପାଇଁ ଯୋଗ ବେଶି ଦରକାର । ଯୋଗାସନ ଅଭ୍ୟାସଦ୍ୱାରା ବ୍ୟକ୍ତିର ମନ ବୁଦ୍ଧି ଚିତ୍ତ ଶରୀର ସବୁକିଛି ପ୍ରଭାବିତ ହୋଇଥାଏ । ଧର୍ମ, ବର୍ଣ୍ଣ, ଜାତି, ବର୍ଗ, ଛୁଆ, ବୁଢା ଯୋଗ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ । ଏହା କୌଣସି ନିଦ୍ଧିଷ୍ଟ ଧର୍ମ କି ନିଦ୍ଧିଷ୍ଟ ଗୋଷ୍ଠି ସମ୍ପ୍ରଦାୟ ସମୂହର ସମ୍ପତ୍ତି ନୁହେଁ । ଆଜି ବୈଜ୍ଞାନିକ ଦୃଷ୍ଟି କୋଣରୁ ପ୍ରତ୍ୟେକ ଆସନଗୁଡିକ ସର୍ବସମ୍ମତି ପାଇ ବିଶ୍ୱ ଦରବାରରେ ପ୍ରଶଂସିତ ହୋଇଛି । ତେଣୁ ଆମେ ଭାରତୀୟ ହୋଇ ବିଶ୍ୱରେ ଏହି ଯୋଗାସନ ଗୁଡିକର ପ୍ରଚାରପ୍ରସାର କରି ବିଶ୍ୱଗୁରୁ ହେବା ପଥରେ କିଛି ମାଇଲ୍ ଅତିକ୍ରମ କରିପାରିଛେ । ଏଥିରେ ମହର୍ଷି ପତଂଞ୍ଜଳୀଙ୍କ ଅଦ୍ଭୁତସାଧନାରୁ ସୃଷ୍ଟି ପ୍ରାଚୀନପୋଥି, ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ସହଯୋଗ ସରାହନୀୟ ।

ଯୋଗ ଜୀବନ ବଂଚିବାର ଏକ ଉତ୍କୃଷ୍ଟ କଳା । ସାଧାରଣତଃ ଯୋଗକୁ ଏକ ବୃକ୍ଷଋପରେ ପରିକଳ୍ପନା କରାଯାଏ ଯାହାର ଆଠଟି ଅଙ୍ଗ, ତେଣୁ ଅଷ୍ଟାଙ୍ଗ ଯୋଗକୁ ସମ୍ପୂର୍ଣ୍ଣ ଯୋଗର ମହତ୍ତ୍ୱ ଦିଆଯାଏ । ସେଗୁଡିକ ହେଲା ଯମ(ସାର୍ବଜନୀନ ନୀତି), ନିୟମ(ବ୍ୟକ୍ତିଗତ ନୀତି), ଆସନ(ଶାରୀରିକ ଶୈଳୀ), ପ୍ରାଣାୟାମ ( ଶ୍ୱାସ ନିୟନ୍ତ୍ରଣ), ପ୍ରତ୍ୟାହାର(ଇନ୍ଦ୍ରିୟ ନିୟନ୍ତ୍ରଣ), ଧ୍ୟାନ(ଏକାଗ୍ରତା), ଧାରଣା (ଅଭ୍ୟାସ) ଏବଂ ମୋକ୍ଷ(ପରମାନନ୍ଦ ପ୍ରାପ୍ତି) । ଅଷ୍ଟାଙ୍ଗ ଯୋଗର ପ୍ରତ୍ୟେକ ଅଙ୍ଗ ମଣିଷକୁ ସୁସ୍ଥ, ବ୍ୟବସ୍ଥିତ ଏବଂ ପ୍ରଫୁଲ୍ଲିତ କରିବାପାଇଁ ମୁନିଋଷିମାନେ ଶହଶହ ବର୍ଷ ସାଧନା କରି ଏସବୁ ଅମୂଲ୍ୟ ଗ୍ରନ୍ଥ ରଚନାକରି ଯାଇଛନ୍ତି । ଆମେ ସତରେ ବହୁତ ଭାଗ୍ୟବାନ୍ । ଆମେ କେବଳ ଗ୍ରନ୍ଥାନୁମୋଦିତ ରାସ୍ତାରେ ଚାଲି ପରମାନନ୍ଦ ପ୍ରାପ୍ତି କରିପାରିବାକୁ ସକ୍ଷମ, ଏଣୁତେଣୁ ପ୍ରୟୋଗ କରି ବାଟବଣା ହେବା ଉଚିତ୍ ନୁହେଁ ।

ଭାରତର ଏହି ପରମ୍ପରା ହଜାରହଜାର ବର୍ଷ ପୂର୍ବରୁ ଚାଲିଆସୁଥିଲେ ମଧ୍ୟ ଏହା ଏକ ସୀମିତ ସ୍ଥାନ, ଆଶ୍ରମ ଏବଂ ବାବାଙ୍କ ପାଖରେ ଆବଦ୍ଧ ରହିଥିଲା ଯାହାକି ଗତ କିଛି ବର୍ଷହେଲା ସମଗ୍ର ବିଶ୍ୱକୁ ଆଲୋକିତ କରିଛି । ବୈଜ୍ଞାନିକ, ଦାର୍ଶନୀକ, ବୁଦ୍ଧିଜୀବୀ ସହ ଅନେକ ଦେଶର ମୁଖିଆ ଏବେ ଯୋଗକୁ ନିଜ ଦେଶର ପାଠ୍ୟକ୍ରମରେ ବାଧ୍ୟତାମୂଳକ କରିବାପାଇଁ ଆଲୋଚନା କରୁଛନ୍ତି । ନିଦାନ ଅପେକ୍ଷା ନିବାରଣ ଶ୍ରେୟସ୍କର । ଯଥାର୍ଥରେ କୁହାଯାଇଛି, ଏକ ସୁସ୍ଥ ଶରୀରରେ ଏକ ସୁସ୍ଥ ମନ ଓ ମସ୍ତିସ୍କ ବାସକରେ । ମଣିଷ ସୁସ୍ଥ ରହିଲେ ସେ ନିଜଛଡା ନିଜର ପରିବାର, ସମାଜ ଏବଂ ଦେଶଦଶ ପାଇଁ ମଙ୍ଗଳକାରୀ ହୋଇପାରିବ । ମୁଖ୍ୟରୂପରେ କହିବାକୁ ଗଲେ ସାର୍ବଜନୀନ ନୀତି, ବ୍ୟକ୍ତିଗତ ନିୟମ ଏବଂ ସଂଜମତା (ପ୍ରତ୍ୟାହାର) ମନୁଷ୍ୟର ଜୀବନକୁ ଶୃଙ୍ଖଳିତ କରେ । ଆସନ ଶରୀରକୁ ସୁସ୍ଥ ରଖେ । ଧ୍ୟାନ, ଧାରଣା ଓ ପ୍ରାଣାୟାମ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରି ମନକୁ ଶାନ୍ତ ରଖେ, ଚିତ୍ତରେ ପ୍ରସନ୍ନତା ଆଣେ । ମଣିଷ ପରିବାର, ପରିବେଶ ଓ ସମାଜ ସହିତ ସମନ୍ୱୟ ରଖି ଭଲରେ ଜୀବନ ଅତିବାହିତ କଲେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବା ସହ ପରମାନନ୍ଦକୁ ପ୍ରାପ୍ତି କରେ । ଏହି ଅସାର ସଂସାରରେ ଏହିଥିରେ ହିଁ ମଣିଷ ଜୀବନର ସାର୍ଥକତା ।

Shares