Odisha news

ଯୋଗହିଁ ସୁସ୍ଥତାର ପ୍ରତୀକ

ଯୋଗ ଏଭଳି ଏକ ଶବ୍ଦ ଯାହା ଖରାପ ସହ ଭଲର ସମ୍ପର୍କକୁ ଯୋଡ଼ି ଦେଇଥାଏ।ପୁରୁଷ ସହ ସ୍ତ୍ରୀର ସମ୍ପର୍କ, ବାପ ସହ ପୁଅର ସମ୍ପର୍କ,ଝିଅ ସହ ମା’ର ସମ୍ପର୍କ, ଖାଦ୍ୟ ସହ ଶରୀରର ସମ୍ପର୍କ, ମନ ସହ ମସ୍ତିଷ୍କର ସମ୍ପର୍କ ତଥା ଆତ୍ମା ସହ ପରମାତ୍ମାର ସମ୍ପର୍କ ଯୋଡି ଯାଇଥାଏ।ଯୋଗକୁ ଯଦି ଠିକରୂପେ ଅନୁ ଶାସନ ଅନୁଯାୟୀ କରା ଯାଏ ତାହେଲେ ଏହା ନିଶ୍ଚିତ ଶରୀର ମଧ୍ୟକୁ କେବେବି ବ୍ୟାଧି ପ୍ରବେଶ କରି ପାରିବନି।ଅର୍ଥାତ ଯୋଗ କଲେ ରୋଗ ହେବନାହିଁ।ଏଭଳି ଏକ ବାକ୍ୟକୁ ଏଠାରେ ଉତ୍ଥାପନ କଲେ ଅତ୍ୟୁକ୍ତି ହେବନାହିଁ ବୋଧହୁଏ।

ଯୋଗ ନିମିତ୍ତ ନୁହେଁ ; ସମୁଦ୍ର ପରି ପରିବ୍ୟାପ୍ତ,ଆକାଶ ପରି ଆକୀର୍ଣ୍ଣ।ସାଇଠୁ ସହର,ଗାଁଠୁ ନଗର-ମହାନଗର,ଦେଶରୁ ମହାଦେଶ ସାରା ବିଶ୍ୱରେ ବିକ୍ଷିପ୍ତ,ବିସ୍ତୀର୍ଣ୍ଣ। ସ୍ୱାମୀ ରବି ଶଙ୍କର, ସ୍ୱାମୀରାମଦେବ, ଡା.ଏଚ.ଆର. ନଗେନ୍ଦ୍ର, ସ୍ୱାମୀ ନିରଞ୍ଜନାନନ୍ଦ ଓ ଯୋଗାନନ୍ଦ ସରସ୍ୱତୀ ଭଳି ମହାନ ଯୁଗ ପୁରୁଷ ମାନେ ଯୋଗର ଗୁଢ଼ ତତ୍ତ୍ୱ ସମ୍ବନ୍ଧରେ ଗବେଷଣା କରି ସ୍ୱାଭାବିକ ରୂପେ ଆସନ,ପ୍ରାଣୟମ,କ୍ରିୟା,ମୁଦ୍ରା,ବନ୍ଧ ଆଦି ଲୋକଲୋଚନ କୁ ଆଣି ପାରିଛନ୍ତି।ଏମାନଙ୍କ ମଧ୍ୟରୁ ବାବା ରାମଦେବ ଯୋଗ ଓ ତାହାର ଉପକାର ସମ୍ବନ୍ଧରେ ଜ୍ଞାନ ବିତରଣ କରି ବିଶ୍ୱର ସର୍ବଶ୍ରେଷ୍ଠ ଯୋଗୀ ଭାବେ ଆଜି ଘରେ ଘରେ ପରିଚିତ।

ତେବେ ରୋଗକୁ ଆମେମାନେ ବ୍ୟାଧି ବୋଲି କହିଥାଉ।ଯାହା ଦୁଇ ପ୍ରକାର ହୋଇଥାଏ।୧-ଅଧିଜା(ବଂଶଜ) ବ୍ୟାଧି ୨-ଅନଧିଜା (ଜୀବନଶୈଳୀ)ବ୍ୟାଧି। ବଂଶଜ ବ୍ୟାଧି ବଂଶ ଅନୁ ସାରେ ହୁଏ, ତାହା ସେମାନଙ୍କ ପରବର୍ତ୍ତୀ ପିଢ଼ିକୁ ହେବାରେ ଅନେକ ସମ୍ଭାବନା ଥାଏ।କିନ୍ତୁ ଜୀବନଶୈଳୀ ବ୍ୟାଧି ସ୍ୱୟଂ ସୃଷ୍ଟି କରିଥାଉ। ବ୍ୟାଧି ବିଭିନ୍ନ ପ୍ରକାରରେ ଶରୀର ମଧ୍ୟକୁ ପରିବ୍ୟାପ୍ତ କରିଥାଏ।ଯଥା-ମଧୁମେହ,କମାର ବ୍ୟଥା, ହୃଦୟ ରୋଗ,ଉଚ୍ଚ ରକ୍ତଚାପ,ଦମା,ଅବସାଦ,କ୍ୟାନ୍ସର ଇତ୍ୟାଦି।

ଏଗୁଡିକ ମଧ୍ୟରୁ କେତେକ ବଂଶଜ ଓ ଆଉ କେତେକ ଜୀବନ ଶୈଳୀ ଭାବେ ଚିହ୍ନଟ ହୋଇଥାଏ।ସତ କହିବାକୁ ଗଲେ ଆଜି ର ଜୀବନଶୈଳୀ ସପୂର୍ଣ୍ଣ ରୂପେ ପରିବର୍ତ୍ତନ ହୋଇ ଗଲାଣି।ପୂର୍ବର ଦୈନନ୍ଦିନ ଜୀବନ ଚର୍ଯ୍ୟାକୁ ମନେ ପକାଇଲେ ଏବେ ତାହା ପୁରାପୁରି ଭିନ୍ନ ପରିଲକ୍ଷିତ ଜଣା ହେଉଛି।ଏହି ଭିନ୍ନତା ଭିତରେ ସକାଳୁ ଉଠି ଶଯ୍ୟା ତ୍ୟାଗ କରିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପ୍ରଭେଦ ପ୍ରତୀୟମାନ ହେଉଛି। ସେଇଥି ପାଇଁ ଜୀବନର ଅସ୍ତବ୍ୟସ୍ତ ଅବସ୍ଥାରେ ଅନେକ ପ୍ରକାର ବ୍ୟାଧିର ଶିକାର ହେଉଛନ୍ତି ଆଜିର ମଣିଷ।ତାଛଡା ବାୟୁ ମଣ୍ଡଳର ପ୍ରଦ୍ୟୁଷଣ,ଫାଷ୍ଟଫୁଡ଼, ମୃଦୁପାନୀୟ, ଆଲକହଲ ମଧ୍ୟ ଅନେକାଂଶରେ ମୁଖ୍ୟ କାରଣ।

ଏବକାର ସାମାଜିକ ଓ ଆଧୁନିକତାର ଚଳଣିରେ ପ୍ରତି ୧୦ କି ୨୦ ହାତ ବ୍ୟବଧାନରେ ମେଡ଼ିସିନ ଷ୍ଟୋର, ମେଡିକାଲ କ୍ଲିନିକ ଖୋଲା ହୋଇଛି। ଫଳସ୍ୱରୂପ ଅଧିକାଂଶ ଲୋକ ସାମାନ୍ୟ ଆଘାତରେ ମେଡ଼ିସିନ ଓ ଡାକ୍ତରଙ୍କ ଉପରେ ନିର୍ଭରଶୀଳ ହେଉଛନ୍ତି।ଯାହା କେବଳ ଘରୋଇ ଉପଚାରରେ ଭଲହେବା କଥା ତାକୁ ଖସରୁ ବଥ କରିବାପାଇଁ ପ୍ରସ୍ତୁତ ହେଉଛନ୍ତି।ଯଦିଓ ଅଧିକ ଏଲୋପାଥି ଔଷଧ ସ୍ୱାସ୍ଥ୍ୟ ପାଇଁ ଅନ୍ୟ ଏକ ବ୍ୟାଧିର ମୁଖ୍ୟ କାରଣ ହୋଇ ଥାଏ।ଏହାବ୍ୟତୀତ କିଛି ଶାରୀରିକ ପରିଶ୍ରମ କରୁନଥିବା ଲୋକଙ୍କ ପାଇଁ ବଡ଼ ଚିନ୍ତାର ବିଷୟ।ଚିନ୍ତା ଏଇଥିପାଇଁ ସେମାନେ ଯାହା ଖାଆନ୍ତି ବିନା ଶାରୀରିକ ସଞ୍ଚାଳନରେ ହଜମ ହୁଏନାହିଁ।ତେଣୁ ଯେଉଁ ସ୍ଥାନରେ ମେଦ ସୃଷ୍ଟି ହେବା କଥା ସେଇଠା ରେ ବହୁଳ ପରିମାଣରେ ମେଦ ବୃଦ୍ଧି ହୁଏ।ଯାହା ସକାଶେ ଅବୟବ ସାଧାରଣଠାରୁ ଅସାଧାରଣ ହୋଇ ପଡେ ଓ ଠିକ ପ୍ରଣାଳୀରେ ରକ୍ତ ସଞ୍ଚାଳନ ଅଭାବରୁ ବ୍ୟାଧି ଆରମ୍ଭ ହୁଏ।ବ୍ୟାଧି ହେଲେ ମନ ଭଲ ରାହେ ନାହିଁ।ବିଭିନ୍ନ ପ୍ରକାର ଚିନ୍ତା ମୁଣ୍ଡ ଭିତରେ ବସା ବାନ୍ଧେ।ପ୍ରତ୍ୟକ କାର୍ଯ୍ୟରେ ବ୍ୟତିକ୍ରମ ହୁଏ।ଘର ପରିଜନ ଅସନ୍ତୁଷ୍ଟ ହୁଅନ୍ତି।ଅସନ୍ତୋଷରୁ ତିକ୍ତତା ଆରମ୍ଭ ହୁଏ।ଏହିପରି ଗୋଟିଏ ପରେ ଗୋଟିଏ ବ୍ୟତିକ୍ରମ ଶରୀର ଓ ମନ ମଧ୍ୟରେ ଧାରାବାହିକ ରୂପେ ଘଟେ।ଯାହାଦ୍ୱାରା ଗୋଟିଏ ପରିବାରରେ ଜଣକ ପାଇଁ କେତେଜଣ ଅସୁ ବିଧାର ସମ୍ମୁଖୀନ ହୁଅନ୍ତି।

ଯୋଗ ଅର୍ଥ ଯଦି ଯୋଡିବା ତାହେଲେ କର୍ମ ମଧ୍ୟ ଯୋଗର ପ୍ରାରମ୍ଭିକ ଅବସ୍ଥା। ଶ୍ରୀମଦ ଭଗବତ ଗୀତାରେ ଉଲ୍ଲେଖ ଅଛି “ଯୋଗ କର୍ମସୁ କୌଶଳମ”।ଶାରୀରିକ କର୍ମ କଲେ ଶରୀର ସୁସ୍ଥ,ମଜବୁତ ହେବା ସହ ମନ ନିର୍ମଳ,ପ୍ରଫୁଲ୍ଲ ଓ ନିରାମୟ ହୋଇଥାଏ।ସଂସାରରେ ଅନେକ ପ୍ରକାର କର୍ମ ସହିତ ଯୋଗର ଅଭ୍ୟାସ ଗୁଡିକ ଅଙ୍ଗାଙ୍ଗୀଭାବେ ଜଡିତ।ସେଥିପାଇଁ ପ୍ରତ୍ୟହ କିଛି ପରିମାଣରେ ଶାରୀରିକ କର୍ମ କଲେ ଦୁଃସାଧ୍ୟ ରୋଗକୁ ପ୍ରତିରୋଧ କରିହେବ।ବାସ୍ତବରେ କର୍ମଯୋଗ କଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ସକ୍ରିୟ ହୁଏ।ଫଳ ସ୍ୱରପ ସ୍ୱାସ୍ଥ୍ୟ ହିଁ ସମ୍ପଦ ଭଳି ଏକ ଅମୂଲ୍ୟ ବିଷୟରେ ସଚେ ତନ ହୋଇପାରୁ।

ବହୁ ପୂର୍ବରୁ ଏକ ପ୍ରବାଦ ଅଛି “ଦୁଃଖରେ କାତର ନହୁଏ ଭାଇ କାମ କର ଦୁଃଖ ଯିବ ପଳାଇ।”ଏହିପରି ତାତ୍ପର୍ଯ୍ୟ କୁ ଗଭୀର ଭାବେ ଚିନ୍ତା କଲେ ଗୋଟେ ସୁନ୍ଦର ସ୍ୱାସ୍ଥ୍ୟ ମଣିଷ ଗଢିପାରିବ।ଦୁଃଖ ଏକ ଅହେତୁକ ଧାରା। ଦୁଃଖର ଧାରାକୁ ଦୂର କରିବାକୁ ହେଲେ ପ୍ରତିଦିନ ଆମମାନଙ୍କୁ କିଛି କର୍ମ କରିବାକୁ ପଡିଥାଏ।କାରଣ କର୍ମ ହିଁ ଭଗବାନ।ଭଗବାନ ଯେଉଁଥିରେ ଅତି ସନ୍ତୁଷ୍ଟ ହୁଅନ୍ତି ତାହା ହେଉଛି କର୍ମ।

ଆଜିର ମଣିଷ ସ୍ୱାଭାବିକ ଭାବେ ସରଳ,ନିରାମୟ ଜୀବନ ଜିଇବାର ପ୍ରକ୍ରିୟାକୁ ଭୁଲି ଗଲାଣି।ସେହି ଭୁଲି ଯାଇଥିବା ପ୍ରକ୍ରି ୟାକୁ ପୁଣିଥରେ ଉଜ୍ଜୀବିତ କରିବାଲାଗି ଆମ୍ଭମାନଙ୍କୁ ପୂର୍ଵ ସୁରୀଙ୍କ ପଦ୍ଧତିକୁ ଅନୁସରଣ କରି ବାକୁ ହେବ। ମହର୍ଷି ପତଞ୍ଜଳି ‘ଯୋଗ ଦର୍ଶନ’ ନାମକ ଗ୍ରନ୍ଥ ରଚନା କରି ଆଜି ସାରା ବିଶ୍ୱରେ ପୂଜନୀୟ।ସେ ଏହି ଯୋଗଗ୍ରନ୍ଥକୁ ଶ୍ଳୋକ ଆକାରରେ ରଚିଥିଲେ।ଯାହାକି ଏବେ ରାଜଯୋଗ ବା ଅଷ୍ଟାଙ୍ଗ ଯୋଗ ନାମରେ ଖ୍ୟାତ।ପ୍ରାୟତଃ ୫୦୦୦ବର୍ଷ ପୂର୍ବରୁ ରଚନା କରି ଥିବା ଏହି ଯୋଗସୂତ୍ରରେ ଯମ, ନିୟମ,ଆସନ,ପ୍ରାଣୟମ,

ପ୍ରତ୍ୟାହାର,ଧ୍ୟାନ,ଧାରଣା,ସମାଧି ଭଳି ଆଠ ପ୍ରକାର ଯୋଗର ସୂତ୍ର ଅଛି।ଏଥିମଧ୍ୟରୁ ପ୍ରଥମ ୫ଟି ବହିଃରଙ୍ଗ ଯୋଗ ତଥା ଧାରଣା, ଧ୍ୟାନ,ସମାଧି ଅନ୍ତରଙ୍ଗ ଯୋଗ ଅଟେ।

ମହର୍ଷି ପତଞ୍ଜଳିଙ୍କର ଏହି ଅଷ୍ଟାଙ୍ଗ ଯୋଗ ବା ରାଜଯୋଗ ପଦ୍ଧତି ଅନୁସାରେ ଯୋଗ ଶ୍ଲୋକର ପ୍ରଥମ ପରିଭାଷା ଥିଲା “ଅଥ ଯୋଗାନୁଶାସନମ।”ଅର୍ଥାତ -ଯୋଗାଭ୍ୟାସ କରିବା ପୂର୍ବରୁ ତାର ବ୍ୟକ୍ତିଗତ ନିୟମ ଗୁଡିକ ଜାଣିବା ଆବଶ୍ୟକ।ଯେପରିକି ଜଣେ ପ୍ରଜା ବତ୍ସଳ ରାଜା ସାରା ରାଜ୍ୟରେ ସୁନାମ ଅର୍ଜନ କରି ଥାଏ,ସେହିପରି ନିଜେ ନିଜକୁ ଅନୁଶାସନବଦ୍ଧ ହୋଇ ମନ ଓ ଶରୀରକୁ ଦୃଢ଼ ନିଶ୍ଚିତ କରିବାକୁ ପଡିଥାଏ।
ପତଞ୍ଜଳି ପୁଣି ତାଙ୍କ ଦ୍ଵିତୀୟ ସୂତ୍ରରେ ଲେଖିଛନ୍ତି “ଯୋଗ ଚିତ୍ତ ବୃତ୍ତି ନିରୋଧଃ।”ମନକୁ ଯୋଗ ପ୍ରକ୍ରିୟା ଦ୍ୱାରା ନିୟନ୍ତ୍ରିତ କରି ନିଜର ମୂଳ ଅବସ୍ଥାରେ ପହଞ୍ଚିବା।

ପୁଣି ସେ ତୃତୀୟ ସୂତ୍ରରେ ଉଲ୍ଲେଖ କରିଛନ୍ତି,”ତଦା ଦ୍ରଷ୍ଟୁ ସ୍ୱରୂପ ଅଵସ୍ଥାନମ।”ଚିତ୍ତ ବୃତ୍ତି ନିରୋଧ ହେଲେ ଚୈତନ୍ୟ ପ୍ରାପ୍ତି ହୁଏ।ଯାହାଫଳରେ ପ୍ରତ୍ୟକ ବସ୍ତୁ, ଘଟଣା, ଦୁର୍ଘଟଣାକୁ ଠିକଭାବେ ଜାଣିହୁଏ।

ଏହାଛଡା ମହର୍ଷି ବଶିଷ୍ଠ ମଧ୍ୟ ଅନ୍ୟ ଜଣେ ଯୋଗଦ୍ରଷ୍ଟା ଥିଲେ।ଯିଏକି ‘ଯୋଗବଶିଷ୍ଠ’ ନାମକ ମହାନ ଗ୍ରନ୍ଥ ରଚନା କରିଥଲେ।
ତାଙ୍କଦ୍ୱାରା ରଚିତ ଏହି ଗ୍ରନ୍ଥର ସୂତ୍ରକୁ ଯଦି ଅନୁଧ୍ୟାନ କରିବା ତେବେ ପତଞ୍ଜଳିଙ୍କ ଯୋଗସୂତ୍ର ପରି ବଶିଷ୍ଠଙ୍କ ଯୋଗସୂତ୍ରରେ ସମାନ ପ୍ରକାର ସାମଞ୍ଜସ୍ୟ ପରିଲକ୍ଷିତ ହୁଏ।

ଯେପରିକି”ମନଃ ପ୍ରଶମନ ଉପାୟଃ ଯୋଗ ଇତ୍ୟାଭିଧୀୟତେ”ଅବିଚଳିତ ମନକୁ ଶାନ୍ତ କରିବାର କୁଶଳ ମାଧ୍ୟମ ହେଉଛି ଯୋଗ।
ଏମିତି ଅନେକ ପ୍ରକାର ଯୋଗର ପରିଭାଷା ମହା ଭାରତରେ ଅଛି।ଯାହାକି ସିଧାସଳଖ ଯୋଗ ସହିତ ସମ୍ବନ୍ଧ।ଯାହାକୁ ସାରା ବିଶ୍ୱ ଶ୍ରୀମଦ ଭାଗବତ ଗୀତା ନାମରେ ଜାଣିଛି।

ଏହିଭଳି ଅନୁଶାସନବଦ୍ଧ ଯୋଗ ଆଜି ସାରା ବିଶ୍ୱରେ ବିଶ୍ବାସ ଲାଭ କରିପାରିଛି।ଏହାହିଁ ଆମମାନଙ୍କ ପାଇଁ ଗର୍ବ,ଯୋଗ ଭଳି ସ୍ୱାସ୍ଥ୍ୟ ସମ୍ପଦ ପାଇଁ ଗୌରବର ବିଷୟ।

Shares