Odisha news

ଜନନୀ ଜନ୍ମ ଭୂମିଶ୍ଚ : ବିଶ୍ୱ ମହିଳା ଦିବସ ୮ମାର୍ଚ୍ଚ ଉପଲକ୍ଷେ

0

ଅନ୍ତର୍ଯ୍ୟାମୀ ପଟ୍ଟନାୟକ : ମାତାମାନେ ସେମାନଙ୍କ ପିଲାମାନଙ୍କର କଲ୍ୟାଣ ପାଇଁ ଦାୟୀ । ସେମାନେ ନିଜର ପିଲାମାନଙ୍କୁ ଆଧ୍ୟାତ୍ମିକ ବାଟ ମଧ୍ୟ ଦେଖାନ୍ତି । ତେଣୁ ନିଜର ମାତାଙ୍କୁ କଦାପି ଭୁଲି ଯାଅ ନାହିଁ । ଏହି ପ୍ରସଙ୍ଗରେ ଏକ ଆଦର୍ଶ ସ୍ଥାପନ କରିବା ପାଇଁ ଶ୍ରୀ ସତ୍ୟସାଇ ବାବା ତାଙ୍କ ଜନ୍ମ ଦିନରେ ତାଙ୍କ ପିତାମାତାଙ୍କ ସମାଧିକୁ ଯାଇଥାନ୍ତି । ଏପରି କି ସ୍ୱୟଂ ଭଗବାନ ଶ୍ରୀସତ୍ୟ ସାଇବାବା ମଧ୍ୟ ଏପରି ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି ଏହି ଉତ୍ତମ ଭାବନା ଲୋକମାନଙ୍କ ହୃଦୟରେ ବପନ କରିବା ପାଇଁ ସେ କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜର ମାତାଙ୍କୁ ଆଦର ସମ୍ମାନ, ପୂଜା ଓ ପ୍ରେମ କରିବା ଉଚିତ । ମାତାଙ୍କ ପ୍ରତି ଆଦର ଓ ପ୍ରେମ ବିକଶିତ କରିବା ପାଇଁ ଭଗବାନ ବାବା ମହିଳା ଦିବସ ଆରମ୍ଭ କରିିଛନ୍ତି । ପ୍ରତି ମାସର ୧୯ ତାରିଖରେ ଶ୍ରୀସତ୍ୟସାଇ ସେବା ସଙ୍ଗଠନ ତାଙ୍କର ସମସ୍ତ ଶାଖା ଅନୁଷ୍ଠାନରେ ମହିଳା ଦିବସ ପାଳନ କରିଥାନ୍ତି ।

ପରିିସ୍ଥିତି ଭଲ ବା ମନ୍ଦ ଯାହା ହେଉ ନା କାହିଁକି ଆମର ମାତାଙ୍କୁ ଭୁଲି ଯିବା ଉଚିତ ନୁହେଁ । କଳିଯୁଗର ପ୍ରଭାବ ଯୋଗୁଁ ଲୋକମାନେ ସେମାନଙ୍କର ମାଆ ମାନଙ୍କୁ କେବଳ ରୋଷେଇଆ ଭାବରେ ଦେଖୁଛନ୍ତି । କେବଳ ସେତିକି ନୁହେଁ ସେମାନଙ୍କୁ ଚାକର ସ୍ତରକୁ ଖସାଇ ଦିଆଯାଇଛି । ଆଜି ମଣିଷ ଉପରେ ଏହି ଦୁର୍ଭାଗ୍ୟ ପଡ଼ିଛି । ମାତା ନିଜର ସନ୍ତାନମାନଙ୍କ ପାଇଁ ନିଜର ଜୀବନ ମଧ୍ୟ ତ୍ୟାଗ କରିବାକୁ ପ୍ରସ୍ତୁତ । ସେଥିପାଇଁ ଏହି ଭାରତ ବର୍ଷରେ ମାତାଙ୍କୁ ଏପରି ଉଚ୍ଚ ସ୍ଥାନ ଦିଆଯାଇଛି । ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ ବୋଲି ଶ୍ରୀରାମ କହିଥିଲେ । ରାମଙ୍କର ଏହି ଆଦର୍ଶ ଆଜି ବିସ୍ତୃତ ହୋଇଯାଇଛି । କେବଳ ରାମ ନାମ ଜପ କରିବା ଯଥେଷ୍ଟ ନୁହେଁ ।

ଆମେ ତାଙ୍କର ଆଦେଶ ଅନୁସରଣ କଲେ ହିଁ ପ୍ରକୃତ ଭକ୍ତ ବୋଲାଇପାରିବ । ନିଜର ମାତାଙ୍କୁ ଭକ୍ତି ଓ ପ୍ରେମ କରିବା ଉଚିତ ଏବଂ କଦାପି ତାଙ୍କ ଭାବନାକୁ ଆଘାତ ଦେବା ଉଚିତ ନୁହେଁ, ଏହା ମହିଳା ଦିବସ ସ୍ମରଣ କରାଏ । ଆମେ କହୁଛ, ସ୍ୱାମୀଙ୍କ ପ୍ରେମ ହଜାର ହଜାର ମାତାଙ୍କ ପ୍ରେମ ସହିତ ସମାନ । ଆମେ ଯେତେବେଳେ ଜଣେ ମାତାଙ୍କର ସ୍ନେହକୁ ହୃଦୟଙ୍ଗମ ଓ ଅନୁଭବ କରି ପାରୁନାହଁ ତେବେ ଆମେ ହଜାରେ ମାତାଙ୍କ ପ୍ରେମକୁ କିପରି ବୁଝିପାରିବା? ଆମେ ଯଦି ଆମ ମାତାଙ୍କୁ ଆନନ୍ଦ ଦେଇପାରୁନାହିଁ, ତେବେ ଆମେ ସ୍ୱାମୀଙ୍କୁ କିପରି ଆନନ୍ଦ ଦେବା? ଆମ ମାତାଙ୍କୁ ଆମେ ଆନନ୍ଦ ଦେଲେ ସ୍ୱାମୀ ଆନନ୍ଦିତ ହେବେ । ସ୍ୱାମୀ କିଛି ଚାହାନ୍ତି ନାହିଁ । ଅନେକ ଲୋକ ବାବାଙ୍କ ସୁଖକର ଜନ୍ମଦିନ କାମନା କରିଥାନ୍ତି । ନିଜର ପିତାମାତା, ବନ୍ଧୁବାନ୍ଧବମାନଙ୍କୁ ସୁଖ ଦିଅ । ଭଗବାନ ପରମାନନ୍ଦ ଓ ଜ୍ଞାନର ସ୍ୱରୂପ, ଅଦ୍ୱୈତ, ଅଦ୍ୱିତୀୟ, ଶାଶ୍ୱତ, ଶୁଦ୍ଧ, ମନ ଓ ତିନିଗୁଣର ଅତୀତ ।

ଆମେ ତାଙ୍କ ପାଇଁ କିପରି ଆନନ୍ଦ କାମନା କରିପାରିବା? ବାବା ବହୁ ସମୟରେ ଛାତ୍ରମାନଙ୍କୁ କହିଥାନ୍ତି, “ଆନନ୍ଦ ହେଉଛି ଭଗବାନଙ୍କ ସହିତ ମିଳନ ।’ ପିତାମାତାଙ୍କୁ ଆଦର କଲେ ଭଗବାନ ଖୁସି ହୁଅନ୍ତି ବାବାଙ୍କର କିଛି କାମନା ନାହିଁ । ତୁମେ ଖୁସି ଓ ତୁମର ପିତାମାତାଙ୍କର ଖୁସିରେ ଆନନ୍ଦ ନିହିତ । ପିତାମାତାଙ୍କୁ ଭକ୍ତି ଓ ଉପାସନା କର । ପିତାମାତାଙ୍କର ଖୁସିରେ ଆମର କଲ୍ୟାଣ ନିହିତ । ଯେଉଁମାନେ ନିଜର ପିତାମାତାଙ୍କୁ ଖୁସି କରନ୍ତି ଭଗବାନ ସେମାନଙ୍କ ଉପରେ ନିଜର କରୁଣା ଢ଼ାଳି ଦିଅନ୍ତ । ଆମେ ଆମର ପିଲାମାନଙ୍କ ଠାରୁ ଯେଉଁ ଆଦର ଓ ପ୍ରେମ ପାଉଛ ତାହା ଆମେ ଆମର ପିତାମାତାଙ୍କୁ ଦେଖାଯାଉଥିବା ଆଦର ଓ ପ୍ରେମ ଉପରେ ନିର୍ଭର କରେ । ଆମ୍ଭ ପିତାମାତାଙ୍କର ଆଶୀର୍ବାଦ ଆମକୁ ସ୍ୱାସ୍ଥ୍ୟ ଓ ସଂପଦ ପ୍ରଦାନ କରିବ । ଆମେ ଆମର ପିତାମାତାଙ୍କୁ ଭକ୍ତି ଓ ସେବା କଲେ ଭଗବାନ ଆପେ ଆପେ ଆମ ନିକଟକୁ ଆସିବେ ।

ପୁଣ୍ଡରୀକ ପ୍ରତିଦିନ ଶ୍ରୀ ପାଣ୍ଡୁରଙ୍ଗ ମନ୍ଦିରକୁ ଯାଉଥିଲା । ଦିନେ ସେ ତାର ପିତାମାତାଙ୍କ ସେବାରେ ଏତେ ନିମଗ୍ନ ହୋଇପଡ଼ିଲା େଯେ ସେ ମନ୍ଦିରକୁ ଯାଇପାରିଲା ନାହିଁ । ତେଣୁ ପ୍ରଭୁ ପାଣ୍ଡୁରଙ୍ଗ ନିଜେ ପୁଣ୍ଡରିକ ପାଖକୁ ଆସିଲେ । ସେତେବେଳେ ପୁଣ୍ଡରୀକ ତା ପିତାମାତାଙ୍କ ଗୋଡ଼ ମୋଡି ଦେଉଥିଲା । ପୁଣ୍ଡରୀକ ପିତାମାତାଙ୍କ ସେବାରେ ବ୍ୟସ୍ତ ଥିବାରୁ ସେ ପ୍ରଭୁ ପାଣ୍ଡୁରଙ୍ଗକୁ ଟିକିଏ ଅପେକ୍ଷା କରିବାକୁ କହିଲା । ଏହା କହି ସେ ଇଟାଖଣ୍ଡିଏ ପ୍ରଭୁଙ୍କ ପାଖକୁ ବଢ଼ାଇ ଦେଲା । କାରଣ ସେ କାଳରେ ଚୌକି ବା ସୋଫା ନଥିଲା । ପିତାମାତାଙ୍କ ସେବା କରି ସାରିବା ପରେ ପୁଣ୍ଡୁରୀକ ପ୍ରଭୁ ପାଣ୍ଡୁରଙ୍ଗାଙ୍କର ଯୋଗ୍ୟ ଉପାସନା କଲା । ପିତାମାତାଙ୍କ ପ୍ରତି ତାର ଭକ୍ତି ଭାବ ଦେଖି ପ୍ରଭୁ ଅତିଶୟ ପ୍ରୀତ ହୋଇଥିଲେ ଏବଂ ତାକୁ ଆଶୀର୍ବାଦ କରି କହିଥିଲେ, “ତୁମର ଆଚରଣ ଉତ୍ତମ ହେଲେ ଭଗବାନ ଆପେ ଆପେ ତୁମ ପାଖକୁ ଆସିବେ । ପିତାମାତାଙ୍କ ସେବାଠାରୁ ବଳି ବଡ଼ ସେବା ଆଉ କିଛି ନାହିଁ ।

ପିତାମାତାଙ୍କ ସେବାକୁ ଭଗବତ୍ ସେବା ବୋଲି ଭାବ’ । ଆମେ ଭଗବାନଙ୍କ ନିକଟକୁ ଯିବା ଦରକାର ନାହିଁ, କିନ୍ତୁ ଭଗବାନଙ୍କୁ ଆମ ପାଖକୁ ଆସିବାକୁ ଦେବା ଉଚିତ । ଜଣେ ନିଜର ସ୍ତ୍ରୀକୁ ବାଛିପାରେ, କିନ୍ତୁ ନିଜର ପିତାମାତାଙ୍କୁ ନୁହେଁ । କେବଳ ଭଗବାନ ନିଜର ପିତାମାତାଙ୍କୁ ବାଛି ଥାଆନ୍ତି । ମୁଁ ଚାହୁଁଛି ଯେ ତୁମେମାନେ ତୁମର ପିତାମାତାଙ୍କର ଆଶୀର୍ବାଦ ଲାଭ କର ଏବଂ ସମଗ୍ର ପୃଥିବୀ ପାଇଁ ଆଦର୍ଶ ସ୍ଥାପନ କର । ଆଜିର ସମୟରେ ଅନେକ ପିତାମାତା ସେମାନଙ୍କର ନ୍ୟାଯ୍ୟ ସମ୍ମାନ ପାଉ ନାହାଁନ୍ତି । କେବଳ ଦରକାର ସେମାନଙ୍କୁ ପଚରାଯାଉଛି ଓ ଅନ୍ୟ ସମୟରେ ସେମାନଙ୍କୁ ଅବହେଳା କରାଯାଉଛି । ଆଜି ପୃଥିବୀରେ ଏପରି ଅନେକ ଛାତ୍ର ଅଛନ୍ତି । ସେମାନେ ବିଦେଶକୁ ଯିବାମାତ୍ରେ ସେମାନଙ୍କର ପିତାମାତାଙ୍କୁ ଭୁଲି ଯାଆନ୍ତି ।

ଭଗବାନଙ୍କୁ କ’ଣ ଭଲ ଲାଗେ ତାହା ଆମ୍ଭେମାନେ ପଚାରିବା ଦରକାର ନାହିଁ । ପିତାମାତାଙ୍କର ସନ୍ତୋଷ ହିଁ ବାବାଙ୍କୁ ଆନନ୍ଦ ଦେଇଥାଏ । ଆମ୍ଭେମାନେ ଯେତେବେଳେ ଆମ୍ଭମାନଙ୍କର ପିତାମାତାଙ୍କୁ ସୁଖ ଦେଇଥାଉ ତାହା ବାବାଙ୍କୁ ଖୁସି ଦେଇଥାଏ । ନିଜର ପିତାମାତାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିବା ବଡ଼ଧର୍ମ । ଆମ୍ଭମାନଙ୍କର ପିତାମାତା ଯଦି ଆମ କଥାରେ ସନ୍ତୁଷ୍ଟ ନ ହେଉଛନ୍ତି ତେବେ ସେମାନଙ୍କୁ ଆମ କଥାର ଯଥାର୍ଥ ବୁଝାଇ ଦେବା ଉଚିତ । ସେମାନଙ୍କୁ ରୁକ୍ଷ ଭାବରେ କହିଲେ ତାହା ଆମର କଥାବୁଝାଇବାରେ ସହାୟକ ହେବ ନାହିଁ । ଶାନ୍ତି ହୁଅ ଓ ସେମାନଙ୍କୁ ଧୈର୍ଯ୍ୟର ସହିତ ଶୁଣ । ତାହାହେଲେ ହିଁ ଆମେ ସେମାନଙ୍କୁ ବୁଝାଇବାକୁ ସକ୍ଷମ ହେବ । ପବିତ୍ର ଭାବ ବପନ କରିବାକୁ ଚେଷ୍ଟାକର । ତାହେଲେ ହିଁ ଏହି ସଂସ୍ଥାନରେ ଆମର ଅଧ୍ୟୟନ ଫଳପ୍ରଦ ହେବ । ବିଶ୍ୱ ମହିଳା ଦିବସରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ପବିତ୍ର ବାଣୀକୁ ଆମ୍ଭେମାନେ ଆମ୍ଭମାନଙ୍କର ଜୀବନରେ କାର୍ଯ୍ୟକାରୀ କଲେ ଦେବୀ ସ୍ୱରୂପ ଆମ “ମାଆ’ ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇପାରିବା ।

Leave A Reply