Odisha news

ବିଶ୍ଵ ସେବିକା ଦିବସ ଓ ଫ୍ଲୋରେନସ୍‌ ନାଇଟିଙ୍ଗେଲ୍

0

ଶିବ ପ୍ରସାଦ ରାଉତ :ବଚ୍ଛଦା,ଜଗନ୍ନାଥପୁର: ଭଦ୍ରକ ଆଜି ମଇ ମାସ ୧୨ ତାରିଖ,ବିଶ୍ୱ ସେବିକା ଦିବସ।ଯୁଗେ ଯୁଗେ ସେବାର ମହତ୍ଵ ଅତି ଉର୍ଦ୍ଧ୍ୱରେ । ଯେମିତିକି ଆପ୍ତବାକ୍ୟ “ସେବା କାର୍ପଣ୍ୟ ପୂଣ୍ୟ ବଳେ, କିବା ଅସାଧ୍ଯ ମହୀତଳେ”।ଯିଏ ଯେତେ ବଡ଼ ହେଇଥାଉ କି ନିମ୍ନ ସ୍ତରରେ ଥାଉ, ତା ପାଖରେ ଯଦି ସେବା ଧର୍ମ ଅଛି, ତେବେ ତା ଉପରେ ମାନବ କାହିଁକି,ଦେବତାମାନେ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି। ଜୀବମାତ୍ରେ ବ୍ୟାଧିଗ୍ରସ୍ତ, ପଞ୍ଚଭୂତରେ ତିଆରି ମଣିଷ ଠାରୁ ଇତର ଜୀବମାନଙ୍କ ଦେହରେ ଅନୁକ୍ଷଣ ରୋଗ ଜଡିତ ହୋଇଥାଏ ଏବଂ କଷ୍ଟ ଭୋଗ କରିବାକୁ ପଡ଼ିଥାଏ।

ଏଥିରୁ ତ କେହି ମୁକ୍ତ ନୁହଁନ୍ତି।ସେ ଦିବ୍ୟ ତେଜମୟ, ସାଧନା ସିଦ୍ଧ ପୁରୁଷ ହେଉକି ରାଜେନ୍ଦ୍ରାସନେ ଆସୀନ ହେଉ, ରୋଗମୁକ୍ତ ନୁହେଁ କିଏ। ଆଉ ଯାହାର ରୋଗ ଅଛି, ସେ ବାହାରକୁ ଯେତେ ସୁନ୍ଦର ଦିଶୁଥାଉ କି ଦେଖେଇ ହେଉଥାଉ, ବାସ୍ତବରେ ସେ ଦୁଃଖରେ ଥାଏ ଶାରୀରିକ ଯନ୍ତ୍ରଣାରେ । କାରଣ ଜୀବନର ଅନ୍ୟନାମ ଯନ୍ତ୍ରଣା । ଅନେକ ଯନ୍ତ୍ରଣା ମଧ୍ୟରୁ ଶାରୀରିକ ବା ରୋଗଜନିତ ଯନ୍ତ୍ରଣା ହିଁ ଅକାଟ୍ୟ । ଯଦି କୌଣସି ପ୍ରାଣୀକୁ ଶାରୀରିକ ଯନ୍ତ୍ରଣାରୁ ସେବା ମାଧ୍ୟମରେ ରକ୍ଷା କରାଯାଏ, ତାର ଆତ୍ମାର ଯେଉଁ ଅମିୟ ରୂପି ଆଶୀର୍ବାଦ ଝରିଆସେ, ତାହା ହିଁ ବାସ୍ତବରେ ବିଭୁ ଆଶୀଷ।

ଜୀବଜଗତ ସୃଷ୍ଟି ଠାରୁ ଏହା ଧ୍ରୁବସତ୍ୟ ଯେ, ଶରୀର ଥିଲେ ଯନ୍ତ୍ରଣା ଥାଏ । ଯେମିତିକି ମର୍ତ୍ତ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ଜରା,ବ୍ୟାଧି,ମୃତ୍ୟୁ ଜନ୍ମିତ ପାଇଁ ନିରାଟ ସତ୍ୟ ଅଟେ । ଏସିଆର ଆଲୋକ ସ୍ବୟଂ ବୁଦ୍ଧଦେବଙ୍କର ମୁଖ ନିଃଶୃତବାଣୀ- ଜୀବନ ଦୁଃଖପୂର୍ଣ୍ଣ। ଏ ଜୀବନର ପ୍ରତିଟି ମୂହୂର୍ତ୍ତ କେବଳ ମୋକ୍ଷପ୍ରାପ୍ତି ପାଇଁ ସଦାଚାର ଯୁକ୍ତ କାର୍ଯ୍ୟ କରିବା ଉଚିତ୍। ସ୍ଵର୍ଗର ବୈଦ୍ୟ ଅଶ୍ଵିନୀ କୁମାରଙ୍କ ତୁଲ୍ୟ ମର୍ତ୍ତର ଡାକ୍ତର । ମହାମହିମ ଚରକ ଓ ଧନ୍ବନ୍ତରୀ ମଧ୍ୟ ଏହି କୋରନା ରୋଗର ନିଦାନ କଥା ସ୍ପଷ୍ଟ କରିନାହାନ୍ତି। ତଥାପି ଚାଲିଛି ଏହି ରୋଗର ଚିକିତ୍ସା । ମାନବିକତାର ଓ ସେବାର ପରାକାଷ୍ଠା ଦେଖାଇ ଯେଉଁ ସେବା କରାଯାଉଛି, ସେଥିରେ ଅନେକ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରୁଛି।

କୁହାଯାଉଛି,କୋରନାର ଫ୍ରଣ୍ଟଲାଇନରେ ନର୍ସ ମାନେ ହିଁ ରହୁଛନ୍ତି,ପରେ ଡାକ୍ତର । ଡାକ୍ତରମାନେ ସିନା ସୂଚନା ଓ ଉପଦେଶ ଦେଉଛନ୍ତି ରୋଗୀର ଅବସ୍ଥା ଓ ଚିକିତ୍ସାର ଧାରା, ମାତ୍ର ବାସ୍ତବ ସେବା କରୁଛନ୍ତି ଏହି ସେବିକାମାନେ। ନିଜ ଜୀବନକୁ ତୁଚ୍ଛ କରି ରୋଗୀର ପ୍ରାଣରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଚେଷ୍ଟା ଓ ସେବା ଅନୁକ୍ଷଣ ଯୋଗାଉଛନ୍ତି ଏହି ସେବିକାମାନେ।

ଯେଉଁ କୋରନା ରୋଗୀଠାରୁ ସମସ୍ତଙ୍କୁ ବାରଣ କରାଯାଉଛି, ତା’ର ପ୍ରିୟ ପରିଜନ, ରକ୍ତ ସଂପର୍କୀୟମାନେ ଦୂରରେ ରହୁଛନ୍ତି। ସେହି କ୍ଷେତ୍ରରେ ରୋଗୀ ପାଖରେ ଅତି ନିଜର ହୋଇ ଅହର୍ନିଶୀ ଏହି ନର୍ସମାନେ ଲାଗି ରହୁଛନ୍ତି। ସିଏ କ’ଣ ଅତି ନିଜର ନୁହେଁ, ଯିଏ ଜୀବନ ମରଣ ମୂହୂର୍ତ୍ତରେ ଆମ ପାଖେପାଖେ ଥାଏ, ପାଟିରେ ପାଣିଦିଏ ,ଦୁଃଖରେ ସମବେଦନା ଜଣାଏ ଏବଂ ପ୍ରତିମୂହୂର୍ତ୍ତରେ ରୋଗୀଟିର ଆଶୁ ଆରୋଗ୍ୟ କାମନା କରେ।

ଯେତେବେଳେ କି ରୋଗୀଟିର ଅତି ଆପଣାର ଜନ ସ୍ଵପ୍ରାଣ ବିକଳରେ ଦୂରରେ ଥାଏ , ସେତେବେଳେ ମା’,ଭଉଣୀ, ସ୍ତ୍ରୀ ଓ ବନ୍ଧୁ ଭଳି ବା ଭାଇ, ପୁଅ,ବାପ କିମ୍ବା ହିତାକାଂକ୍ଷୀ ଭଳି ଯିଏ ଜଗିରହି ପଡି ରହିଥାଏ। ଜୀବନ ମରଣର ଘଡ଼ିସନ୍ଧି ମୂହୂର୍ତ୍ତରେ ପାଖେପାଖେ ଥାଇ ସେବା କରୁଥାଏ, ତା’ଠାରୁ ଆଉ ଅତି ନିଜର କ’ଣ କିଏ ଥାଇପାରେ । ଧନ୍ୟସେଇ ସେବିକାମାନେ , ସାର୍ଥକ ତାଙ୍କର ଜୀବନ ଯିଏ ସେବା ଭଳି ପରମ ଧାର୍ମିକ କାର୍ଯ୍ୟ କରୁଛନ୍ତି ।

୧୮୨୦ ମସିହା ମଇ ମାସ ୧୨ ତାରିଖରେ ବ୍ରିଟେନ୍‌ରେ ଜନ୍ମ ଗ୍ରହଣ କରିଥିଲା ଝିଅଟିଏ । ଜୀବନଜୀବିକାର୍ଥେ ହେଉ ବା ସେବା ପାଇଁ ହେଉ, ସେ ସେବାକାର୍ଯ୍ୟକୁ ଜୀବନର ବ୍ରତ ରୂପେ ଗ୍ରହଣ କରିଥିଲେ। ନାମ ତାଙ୍କର “ଫ୍ଲୋରେନସ୍‌ ନାଇଟଙ୍ଗେଲ”। ସବୁ ନର୍ସଙ୍କ ଭଳି ସେ ମଧ୍ୟ ନିଜ କାର୍ଯ୍ୟଧାରାରେ ସାମିଲ ଥାଆନ୍ତି।ମାତ୍ର କ୍ରିମିଆ ଯୁଦ୍ଧ ସମୟର କଥା, ଯୁଦ୍ଧର କ୍ଷତାକ୍ତ ଯନ୍ତ୍ରଣା ଜର୍ଜରିତ ଯବାନମାନଙ୍କର ଆର୍ତ୍ତଚିତ୍କାର ଓ ଯନ୍ତ୍ରଣା ଶିକ୍ତ ଅବସ୍ଥା ଦେଖି ହୃଦୟରେ ଗଭୀର ବ୍ୟଥା ଅନୁଭବ କରିଥିଲେ ଫ୍ଲୋରେନସ୍‌। ନିଜର ଇଚ୍ଛାଶକ୍ତି ବଳରେ କଠିନ ପରିଶ୍ରମ କରି ଲାଗି ପଡ଼ିଥିଲେ ସେଇ ସୈନ୍ୟମାନଙ୍କ ସେବାରେ ।

ସେ କେବେ ଭାବି ନ ଥିଲେ ସେବା କରିବା ପାଇଁ ମାତ୍ର ଦିନ, ରାତି କିମ୍ଵା ଡ୍ୟୁଟିର ଧାର୍ଯ୍ୟ ସମୟ ମଧ୍ୟରେ ଟିକେ ସେବା ଦିଆଯିବ । ସେ କିନ୍ତୁ ନିଜର ପ୍ରାଣକୁ ଢାଳି ଦେଇଥିଲେ ସେବା କାର୍ଯ୍ୟରେ। ବାସ୍ତବର ସେ ହାର୍ଦ୍ଦିକତାର ସହ ସେବା କରିଥିଲେ। ଯେତେବେଳେ କି ଅନ୍ୟ ଚିକିତ୍ସକ ଓ ନର୍ସମାନେ ନିଜର ଡ୍ୟୁଟି ସମୟରେ ସେବା ଦେଉଥିଲେ, ମାତ୍ର ଫ୍ଲୋରେନସ୍‌ ଅନୁକ୍ଷଣ ସେବାକାରୀ ଥିଲେ। ଦେଖଣାହାରୀ ଓ ସାଥୀ ନର୍ସ ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା ତାଙ୍କ ସେବା ପରାୟଣତା

ଅନେକଙ୍କ ଜୀବନ ଫ୍ଲୋରେନସଙ୍କ ପାଇଁ ବଞ୍ଚିଗଲା, ଯେଉଁମାନେ କି ବଞ୍ଚିବାର ନ ଥିଲା ବା ସୁସ୍ଥ ହେବାର ନ ଥିଲେ। କେବଳ କ୍ରିମିଆ ଯୁଦ୍ଧ କାହିଁକି ତା’ପରେ ଫ୍ଲୋରେନସଙ୍କର ସେ ସେବା ପରାୟଣତା କମି ନ ଥିଲା। ବରଂ ବହୁଗୁଣରେ ବଢି ଯାଇଥିଲା ତାଙ୍କର ଆତ୍ମବିଶ୍ଵାସ । ସେ ସାରା ଜୀବନ ଆର୍ଦଶ ସେବାକାରୀ ବର୍ତ୍ତବ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଗଲେ। ତାଙ୍କର ପଦାଙ୍କ ଅନୁସରଣ କରି ଅନେକ ଏହି ମହାନ ସେବା ପାଇଁ ପ୍ରସ୍ତୁତ ହୋଇଗଲେ।ଯାହାକି ଶହଶହ ବର୍ଷ ପରେ ମଧ୍ୟ ସବୁ ନର୍ସ ଓ ଚିକିତ୍ସକଙ୍କୁ ସେବାର ହାର୍ଦ୍ଦିକତାର ସହିତ ନିୟୋଜିତ କରି ରଖିଛି। ୧୯୧୦ ମସିହା ଅଗଷ୍ଟ ୧୦ ରେ ୯୦ ବର୍ଷ ବୟସରେ ଫ୍ଲୋରେନସ୍ ନାଇଟଙ୍ଗେଲ୍ ଇହଲୀଳା ସମ୍ବରଣ କଲେ । ସତ୍ ତାଙ୍କର ସେବାର ଆର୍ଦଶ ଆଜିର ସେବା କ୍ଷେତ୍ରକୁ ତ୍ୱରାନ୍ୱିତ ଓ ଆର୍ଦଶମୟ କରୁଛି। ତେଣୁ ତାଙ୍କର ଜନ୍ମଦିବସକୁ ବିଶ୍ଵ ସେବିକା ଦିବସ ରୂପେ ପାଳନ କରାଯାଇଆସୁଛି।

ସେଇ ନର୍ସମାନଙ୍କର ତ୍ୟାଗ ଓ ଆର୍ଦଶର ପ୍ରମାଣ ଆମେ ସ୍ୱଚକ୍ଷୁରେ ଦେଖୁଛେ । ମହାମାରୀ କୋରନାରେ ସମଗ୍ର ବିଶ୍ଵ ଡରରେ ଥରୁଥିବା ବେଳେ ତା’ର ସମ୍ମୁଖୀନ ସେବାକାରୀ ଓ ନର୍ସମାନେ ହେଉଛନ୍ତି।ରାତି ଦିନ ସେବା କ୍ଷେତ୍ରରେ ନିୟୋଜିତ ରହି ନିଜକୁ ଢାଳି ଦେଇଛନ୍ତି ଦେବୀ ସ୍ୱରୂପା ସେବିକା ମାନେ। ସେମାନଙ୍କ ଦେହ ମଧ୍ୟ ରକ୍ତ,ହାଡ଼,ମାଂସରେ ଗଢ଼ା ଓ ମୋହମାୟା, ଭୟ ବି ରହିଛି। ସବୁକୁ ପଛରେ ପକାଇ ମରଣ ସହିତ ମହାମାରୀର କବଳରେ ଜୁଝୁଥିବା ରୋଗୀମାନଙ୍କ ପାଖରେ ସେବାରେ ନିୟୋଜିତ ।

ଏଥିରୁ ଅନୁମାନ କରାଯାଇପାରେ ସେବିକାମାନଙ୍କୁ କେଉଁ ଆଖ୍ୟା ଦେବା, ଦେବୀ ନା ମାନବୀ ନା ଆଉକିଛି ।  ଏଣୁ ସେହି ସେବିକା, ଚିକିତ୍ସିକାମାନଙ୍କୁ ଦେବୀ ଭଳି ସମ୍ମାନ ଦେବା ଆମର କର୍ତ୍ତବ୍ୟ । ନଚେତ୍ ମାନବବାଦର କଳଙ୍କ ଲାଗିବ ଆମେ ଋଣୀ ରହିଯିବା ସେମାନଙ୍କ ପାଖରେ।

Leave A Reply