Editorial: ବିଶ୍ୱ ସମସ୍ୟାର ସମାଧାନ କରି ପାରୁ ନଥିବା ମିଳିତ ଜାତିସଂଘ ଏବେ ଆମେରିକା ରୋଷର ଶୀକାର ହୋଇଛି । ଚୀନର କୂଟନୈତିକ ଜାଲରେ ଛନ୍ଦି ହୋଇ ପଡିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନବିରୁଦ୍ଧରେ ଆମେରିକା କରିଛି ମହାଭିଯୋଗ । ବିଶ୍ୱ ମହାମାରୀର ରୂପ ନେଇଥିବା କରୋନା ଭାଇରସ ଏବେ ସର୍ବତ୍ର ସଂହାର ଲୀଳା ଘଟାଇଛି । ବିଶ୍ୱ ବ୍ୟାପୀ ୨୨ ଲକ୍ଷରୁ ବେଶୀ ଲୋକ ଆକ୍ରାନ୍ତ ହୋଇ ଦେଢ ଲକ୍ଷରୁ ବେଶୀ ଲୋକ ଜୀବନ ହରାଇବା ଚଳିତ ଶତାବ୍ଦୀର ଭୟାବହ ଘଟଣା । କେବଳ ୟୁରୋପରେ ୧୧ ଲକ୍ଷରୁ ବେଶୀ ଆକ୍ରାନ୍ତ ହୋଇ ୧ ଲକ୍ଷ ପାଖା ପାଖି ଜୀବନ ହରାଇଛନ୍ତି । ଆମେରିକାରେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଭାଇରସ ଚୀନରୁ ବ୍ୟାପୀ ଥିବା ବେଳେ ଆରମ୍ଭରୁ ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ମୁଖ୍ୟ ଚୀନକୁ ଘଂଟ ଘୋଡାଇଥିବା କୁହାଯାଇଛି । ଆଶ୍ଚର୍ଯ୍ୟର କଥା ଚୀନ କରୋନାର ଉତ୍ପତି ସ୍ଥଳ ହୋଇଥିବା ବେଳେ ଚୀନ ସଂକ୍ରମଣକୁ ୨ ମାସ ଧରି ଚପାଇ ଚାଲିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଚୀନରେ ହୋଇଥିବା ସଂକ୍ରମଣକୁ ପ୍ରାରମ୍ଭରୁ ହେୟ ମନେ କରି ବିଶ୍ୱକୁ ଭୂଆଁ ବୁଲାଇବା ନିତି ଗ୍ରହଣ କରିଥିଲା ।
ସେଥିପାଇଁ ଟ୍ରମ୍ପ ଅଭିଯୋଗ କରି କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ନେଇ ବିଭ୍ରାନ୍ତି ସୃଷ୍ଟି କରିଛି । ସଠିକ ମୁକାବିଲା ପାଇଁ ରଣ ନୀତି ଅବଲମ୍ବନ ନକରି କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ନେଇ ଭୁଲ ତଥ୍ୟ ପ୍ରସାର କରିଛି । ଚୀନର ତଥ୍ୟକୁ ଲୁଚାଇବାକୁ ଯାଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ନିଜର ନିର୍ଭରଶୀଳତାକୁ ହରାଇଛି । ଯାହାଫଳରେ ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ୨୦ ଗୁଣ ବୃଦ୍ଧି ଘଟିବାକୁ ଯାଉଛି । ବାସ୍ତବରେ ଦେଖିବାକୁ ଗଲେ ସମଗ୍ର ବିଶ୍ୱ ବିଶ୍ୱସ୍ୱାସ୍ଥ୍ୟସଂଗଠନ ଉପରେ ନିର୍ଭରଶୀଳ ଥିବା ବେଳେ ଡବ୍ଲୁଏଚଓ ର ମୁଖ୍ୟ ତଥ୍ୟ ଲୁଚାଇ ଏହାର କର୍ତବ୍ୟ ପାଳନ କରିବା ଦିଗରେ ବିଫଳ ହୋଇଛି । ସେଥିପାଇଁ ଟ୍ରମ୍ପ ହ୍ୱାଇଟହାଉସରେ ଡବ୍ଲୁଏଚଓ ପାଣ୍ଠିକୁ ବନ୍ଦ କରିବା ନିଷ୍ପତି ଘୋଷଣା କରିଛନ୍ତି । ଆମେରିକା ଗତବର୍ଷ ଡବ୍ଲୁଏଚଓ କୁ ୪୦୦ ନିୟୁତ ଡଲାର ପାଣ୍ଠି ଦେଇଥିଲା । ଏହା ସବୁଦେଶଠାରୁ ଅଧିକ ପାଣ୍ଠି । ଭାରତ ଓ ଚୀନ ସମେତ ଅନ୍ୟଦେଶ ଗୁଡିକ ୨୦ ରୁ ୮୦ ନିୟୁତ ଡଲାର ଭିତରେ ପାଣ୍ଠି ଯୋଗାଇ ଥାଆନ୍ତି । ଟ୍ରମ୍ପଙ୍କ ଏହି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ବିରୋଧରେ ମିଳିତ ଜାତିସଂଘର ମୁଖ୍ୟ ଆଂଟୋନିଓ ଗଟର୍ସ ପ୍ରତୁିକ୍ରିୟା ପ୍ରକାଶ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡବ୍ଲୁଏଚଓର ପାଣ୍ଠି ବନ୍ଦ କରିବା ଘୋଷଣା ପରେ ତାଙ୍କୁ କଡା ସମାଲୋଚନାର ଶୀକାର ହେବାକୁ ପଡିଛି । ତଥାପି ଟ୍ରମ୍ପ ତାଙ୍କ ଜିଦରୁ ଓହରୀ ନାହାନ୍ତି । ନିଜ ଦେଶ ତଥା ବାହାର ଦେଶର ରାନୀତିଜ୍ଞ ମାନେ ମଧ୍ୟ ଏହି ଘୋଷଣାକୁ ସମାଲୋଚନା କରିଛନ୍ତି ।ଆମେରିକୀୟ ସଂସ୍ଥା ସବୁବେଳେ ନିଜ ବେପାର ଓ ନିଜ ସ୍ୱାର୍ଥକୁ ଜଗି ରଖି ବିଶ୍ୱ ନେତୃତ୍ୱକୁ ବଜାଇ ରଖି ଆସିଛି । ଏହା ସମସ୍ତେ ଜାଣନ୍ତି । କିନ୍ତ ସଦ୍ୟ ନେଇଥିବା ନିଷ୍ପତିର କିଛି ଯଥାର୍ଥତା ଥିବା କୁହାଯାଇପାରେ । କରୋନା ଭୂତାଣୁ ଓ ସଂକ୍ରମଣ ଯୋଗୁ ସଂପ୍ରତି ବିଶ୍ୱ ଶାନ୍ତି ବ୍ୟାହତ ହୋଇଛି । ଏହାକୁ କେହି ଅସ୍ୱୀକାର କରି ପାରିବେନି । ଏହି ଭୂତାଣୁ ବିଶ୍ୱରେ ତାଣ୍ଡବ ସୃଷ୍ଟି କରିଛି । ତେଣୁ ୍େୟତେବେଳେ କରୋନା ମୁକାବିଲା ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ଆଲୋଚନା ଲାଗି ପ୍ରସ୍ତାବ ଦିଆ ଯାଇଥିଲା, ସେତେବେଳେ ଜାତିସଂଘ ତାର କର୍ତବ୍ୟରେ ଅବହେଳା କରିଥିଲା କାହିଁକି ଏହା ବିରାଟ ପ୍ରଶ୍ନବାଚୀ । ସୁରକ୍ଷା ପରିଷଦରେ ଏ ବିଷୟରେ ଆଲୋଚନା କରା ନଯାଇ ଚିନର ଭିଟୋ ଯୋଗୁ ଏହାକୁ ଏଡାଇ ଦିଆ ଯାଇଥିଲା । ଯେଉଁ ଦେଶ ସମଗ୍ର ମାନବ ସଭ୍ୟତାକୁ ଲୋପ କରିବା ପାଇଁ ଉଦ୍ୟମ ରତ ତାର କୂଟନୀତି ଆଗରେ ଜାତିସଂଘ ମୁଣ୍ଡ ନୁଆଁଇଲା କାହିଁକି? ଅପରନ୍ତୁ ଚୀନର ପଦକ୍ଷେପକୁ ଋଷ, ଦକ୍ଷିଣ ଆଫ୍ରିକା କିପରି ସମର୍ଥନ ଯୋଗାଇଲା । ଚୀନ ସହିତ ଋଷ ଓ ଦକ୍ଷିଣ ଆଫ୍ରିକାର ବାଣିଜ୍ୟିକ ସମ୍ପର୍କ ନିବିଡ । ଏବଂ କରୋନା ଭୂତାଣୁ ସଂକ୍ରମଣ ପଛରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଚୀନର ପ୍ରତ୍ୟକ୍ଷ ହାତ ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ନୀରବ ରହିଥିଲା । ସ୍ୱସ୍ଥ୍ୟସଂଗଠନର ମୁଖ୍ୟଙ୍କ ସହିତ ଚୀନର ନିବିଡ ସମ୍ପର୍କ ଥିବାରୁ ସେ ମଧ୍ୟ ମୁକାବିଲା ଦିଗରେ କାଳ କ୍ଷେପଣ ନୀତି ଅବଲମ୍ବନ କରିଥିବା ସ୍ପଷ୍ଟ ଅନୂମିତ ହୁଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କୁ ଚୀନର ଭୂତାଣୁ ସଂକ୍ରମଣ ଜଣା ଥିଲେ ହେଁ ଅନ୍ତର୍ଜାତୀୟ ସମୁଦାୟଙ୍କୁ ଚୀନ ସଠିକ ସୂଚନା ପ୍ରଦାନ କରି ନଥିଲା । ଫଳରେ ଏବେ ସମଗ୍ର ବିଶ୍ୱ ଦଶା ଭୋଗୁଛି । ସଂକ୍ରମଣ ଓ ମୃତ୍ୟୁ ଦିକୁ ଦିନ ବୃଦ୍ଧି ପାଇ ଚାଲିଛି । ୨୦୧୪ ରେ ବିଶ୍ୱରେ ଦେଖା ଦେଇଥିବା ଇବୋଲା ଭୂତାଣୁ ସମ୍ପର୍କରେ ଅନେକବାର ଆଲୋଚନା ହୋଇଥିବା ବେଳେ କରୋନା ଉପରେ ଆଲୋଚନା କରିବାକୁ ଜାତିସଂଘ ସୁରକ୍ଷା ପରିଷଦ କାହିଁକି ବାଧା ସୃଷ୍ଟି କଲା ତାହା ଏବେ ସାରା ବିଶ୍ୱ ସନ୍ଧିହାନ । ପୁନଶ୍ଚ ନ୍ୟୁୟୁର୍କରେ ସୁରକ୍ଷା ପରିଷଦର ବୈ÷ଠକ ଡକା ଯାଇଥିବା ବେଳେ ଏହାକୁ ବାତିଲ କରାଯିବା ଜାତିସଂଘ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ ଅପାରଗତା ତଥା ଚୀନର ସମର୍ଥକ ବୋଲି ପ୍ରମାଣିତ କରୁନାହିଁକି? ଇସ୍ତୋନିଆ ନିରାପତା ପରିଷଦରେ ଏକ ପ୍ରସ୍ତାବ ଆଣି କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଆଲୋଚନା ଚାହୁଁଥିଲା । ତେବେ ୧୫ ସଦସ୍ୟ ବିଶିଷ୍ଟ ପରିଷଦରେ ଅଧ୍ୟକ୍ଷ ଚୀନରସମର୍ଥକ ଋଷ ଓ ଦକ୍ଷିଣଆଫ୍ରିକା କଥାରେ ନାକଚ କଲେ କାହିଁକି? ଏହିସବୁ ରାଷ୍ଟ୍ର ସେତେବେଳେ କାହିଁକି କହିଥିଲେ କରୋନା ବିଶ୍ୱ ଶାନ୍ତି ଓ ସ୍ଥିରତାକୁ ବ୍ୟାହତ କରୁ ନାହିଁ । ପୃଥିବୀର ମାନବ ସଭ୍ୟତା କୁନିଶ୍ଚିହ୍ନ କରିଦେବା ପାଇଁ ଚାହୁଁଥିବା ଚୀନର ମସୁଧାକୁ ଏହି କେତେଜଣ ସମର୍ଥନ ଜଣାଇଥିବା ବେଳେ ଜାତିସଂଘ ନୀରବତା ଅବଲମ୍ବନ କରିଥିବା ବେଳେ ସାଧାରଣ ବୈ÷ଠକ ଡକାଇବାରେ ଜାତିସଂଘ ସେକ୍ରେଟେରୀଙ୍କର କୈ÷ାଣସି ଅସୁବିଧା ତ ନଥିଲା । ଜାନୁୟାରୀ କିମ୍ବା ଫେବୃୟାରୀ ପ୍ରଥମ ସପ୍ତାହରେ ସାଧାରଣ ବୈ÷ଠକ ଡକା ଯାଇ ପାରିଥାଆନ୍ତା । ବିଶ୍ୱ ସଂଗଠନର ନୀତି ଓ ଆଦର୍ଶକୁ ଚୀନ କୁଠାରଘାତ କରିଥିବା ବେଳେ ୟୁରୋପୀୟଙ୍କ ସ୍ୱର ନଉଠିବା ବିସ୍ମୟର କଥା । ପରିଷଦରେ ଇସ୍ତୋନିଆ ପ୍ରସ୍ତାବଟି ସର୍ବ ସମ୍ମତ ହୋଇ ପାରି ନଥିବା ଯୋଗୁ ତାହା କାଟ ଖାଇ ଯାଇଥିଲା । ଏବେ ନିରାପତା ପରିଷଦର ଭିଟୋ କ୍ଷମତାଧାରୀ ଆମେରିକା, ଚୀନ,ଫ୍ରାନସ ଓ ଋଷ ଏବେ ସବୁଠୁ ବେଶୀ କ୍ଷତିଗ୍ରସ୍ତ । ନେଡି ଗୁଡ କହୁଣୀକୁ ବହି ଯିବା ଭଳି, ଏମାନଙ୍କ ଅବସ୍ଥା ସେହିପରି ହୋଇଛି । ଟ୍ରମ୍ପଙ୍କ ସାମରିକ ଧମକ ପରେ ଏବେ ଚୀନ ପାଟି ଫିଟାଇଛି । ନିଜ ଭୁଲ ସ୍ୱୀକାର କରି ପରିସ୍ଥିତିକୁ ଟାଳି ଦେବାର ଉଦ୍ୟମ କରୁଛି । ନିରାପତା ପରିଷଦରେ ସେତେବେଳେ ଆଲୋଚନା ହୋଇଥିଲେ ହୁଏତ ଚୀନ ଅନ୍ତର୍ଜାତିୟ ସ୍ତରରେ ନିନ୍ଦିତ ହୋଇଥାଅନ୍ତା । କିନ୍ତୁ ବିଶ୍ୱ ବ୍ୟାପକ ସଂକ୍ରମଣରୁ ରକ୍ଷା ପାଇ ଯାଇଥାାନ୍ତା । ଏକମାତ୍ର ଦେଶର ମୁଖ୍ୟ ଚୀନ ସିନା ବାଣିଜ୍ୟିକ ଓ ଅନ୍ୟାନ୍ୟ ସ୍ୱାର୍ଥ ତଥା କୂଟନୀତି ପ୍ରସଙ୍ଗକୁ ନେଇ ଅଡୁଆ ପରିସ୍ଥିତିରୁ ବଂଚିବାରେ ସଫଳ ହୋଇଛି କିନ୍ତୁ ବିଶ୍ୱର ୧୨୦ ଦେଶ ଏବେ ଧ୍ୱଂସ ମୁଖରେ ପଡିଛନ୍ତି । ଯେଉଁମାନେ ଚୀନକୁ ଜାତିସଂଘରେ ସମର୍ଥନ ଦେଇଛନ୍ତି ସେମାନେ ମଧ୍ୟ ବିଶ୍ୱ ସଂଗଠନର ଆଦର୍ଶରେ କୁଠାରଘାତ କରିଛନ୍ତି । ଏମାନଙ୍କୁ ନେଇ ଆଉ ଏଣିକି ବିଶ୍ୱ ସଂଗଠନକୁ ଭରସା କରା ଯାଇ ନପାରେ । ପ୍ରତି ବିଶ୍ୱ ଯୁଦ୍ଧ ପରେ ଜାତିସଂଘର ନବ କଳେବର ଘଟିଚି । ତେବେ ଏହା ଏକ ବିଶ୍ୱ ଯୁଦ୍ଧ ଭଳି ଘଟଣା ଘଟିଥିବା ବେଳେ ପୁଣି ଜାତିସଂଘର ନବ କଳେବର ଆବଶ୍ୟକ କରୁଛି । ତେବେ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିରୋଧରେ ମହାଭିଯୋଗ ନେଇ ଆଣିବାର ଯଥାର୍ଥତା ଥିବା ମନେ ହୁଏ । ଭୂତାଣୁର ସଂକ୍ରମଣକୁ ନେଇ ବିଶ୍ୱ ଯୁଦ୍ଧ ଲାଗିଥିବା ବେଳେ ଅପର ପକ୍ଷରେ ଆମେରିକାର ସାମରିକ ସଜବାଜ ପ୍ରକୃତ ବିଶ୍ୱ ଯୁଦ୍ଧ ପାଇଁ ଆଶଙ୍କା ସୃଷ୍ଟି କରିଚି । ତେବେ ଆମେରିକା ନିଜେ ଏକ ପ୍ରକାର ଦୋଷୀ ବୋଲି କୁହାଯାଏ । ସମସ୍ତଙ୍କୁ ନଚାଇବା ଅଭ୍ୟାସ ଏବେ ଲୋପ ପାଇବ କି ନାହିଁ ତାହା ଜଣା ପଡୁ ନଥିବା ବେଳେ ଆମେରିକା ତାର ଭୂମିକା ଅତି ତଳସ୍ତରକୁ ଖସି ଆସିଛି ।ସେହିଭଳି ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ଭୂମିକାକୁ ନେଇ ସାରା ବିଶ୍ୱ ଆସ୍ଥାହରା ହୋଇ ପଡିଛନ୍ତି । ଶେଷ ପରିଣାମ ଦେଖିବାର ବେଳ ଆସି ନାହିଁ ।