ପୁରୀ:ଆସନ୍ତା ଜୁନ ୨୩ ତାରିଖରେ ଅନୁଷ୍ଠିତ ହେବ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷର ରଥଯାତ୍ରା ଲାଗି ଆସନ୍ତା ୨୬ତାରିଖ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ନବଦିନ ଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଗତ ଶ୍ରୀପଞ୍ଚମୀ ଠାରୁ ରଥ ନିର୍ମାଣ ଲାଗି ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ଶନିବାର ପଞ୍ଚମ ଦଫାରେ ୪୨ଖଣ୍ଡ ରଥକାଠ ପୁରୀରେ ପହଞ୍ଚିଛି । ଦୁଇଟି ଟ୍ରକରେ ପହଞ୍ଚିଥିବା ରଥକାଠ ମଧ୍ୟରେ ୧୨ଫୁଟିଆ ଓ ୨୦ଫୁଟିଆ ଅସନ ଏବଂ ଧଉରା କାଠ ରହିଛି । ରଥ ନିର୍ମାଣ ପାଇଁ ୬୭୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ବସନ୍ତ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି । ରଥ ନିର୍ମାଣଲାଗି ନୟାଗଡ ବନଖଣ୍ଡ ଅଞ୍ଚଳରୁ ରଥକାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବାରେ ଲାଗିଛି । ଏପର୍ଯ୍ୟନ୍ତ ୧୭୫ଖଣ୍ଡ କାଠ ପହଞ୍ଚିସାରିଲାଣି । ରାମନବମୀ ଠାରୁ କଟକରେ ଖପୁରିଆ ସମିଲରେ ରଥକାଠ ଚିରଟ ଅନୁକୂଳ ହୋଇଥିଲା । ପରମ୍ପରା ଅନୁଯାୟୀ ଚନ୍ଦନଯାତ୍ରାର ଶେଷ ଦିବସ ଭଉଁରୀରେ ୩ ରଥର ଚକ ଓ ଅଖ ଡେରାଯିବ । ମେ ଛ’ତାରିଖ ନୃସିଂହ ଜନ୍ମ ତିଥିରେ ଗୁଜ ଖୋଦେଇ ଆରମ୍ଭ ହେବ । ଜୁନ ୨୨ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ରଥ ଅମିନ ସୁଦର୍ଶନ ମେକାପ କହିଛନ୍ତି ।