ଲକ୍ଡାଉନ୍ ମଧ୍ୟରେ ଜନବସତିଗୁଡ଼ିକ ପୂର୍ବଭଳି ଚଳଚଞ୍ଚଳ ନ ରହିବା ଯୋଗୁ ପୃଥିବୀର କମ୍ପନ ଅଧାଅଧି କମିଯାଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଲୋକମାନେ ଏ ସମୟରେ ସାମାଜିକ ଦୂରତା ରକ୍ଷା କରିଥିବା ବେଳେ ଶିଳ୍ପାନୁଷ୍ଠାନ ଗୁଡ଼ିକ ଠପ୍ ହୋଇଯାଇଥିଲା ଏବଂ ଲୋକଙ୍କ ଯାତାୟାତ ବନ୍ଦ ରହିଥିଲା । ତେଣୁ ପୃଥିବୀ ଏକପ୍ରକାର ନିସ୍ତବ୍ଧ ରହିଥିଲା । ଫଳତଃ ସିସ୍ମିକ୍ ନଏଜ୍ ଲେଭଲ୍ ୧୧୭ଟି ଦେଶରେ ନିମ୍ନ ସ୍ତରକୁ ଆସିଥିଲା । ଅତ୍ୟଧିକ ଜନବହୁଳ ନୁ୍ୟୟର୍କ ଓ ସିଙ୍ଗାପୁର ମହାନଗରୀରେ କୋଳାହଳ ମାତ୍ରା ସବୁଠୁ ବେଶୀ କମିଥିଲା । ଉଲ୍ଲେଖ ଯେ ଜନସଂଖ୍ୟା ବୃଦ୍ଧି ସହିତ ଶିଳ୍ପ ସଂସ୍ଥା ସଂଖ୍ୟା ବୃଦ୍ଧି ଯୋଗୁ ସିସ୍ମିକ୍ ନଏଜ୍ ଗତ ବହୁ ଦଶନ୍ଧି ଧରି ଊଦ୍ଧ୍ୱ ର୍ମୁଖୀ ହୋଇଥିଲା । କୋଭିଡ୍ ପାଣ୍ଡେମିକ୍ ଆସିବାରୁ ଟ୍ରେନ୍, କାର୍ ଓ ମେଶିନାରୀ ଠପ୍ ହୋଇଯିବା ଦ୍ୱାରା କୋଳାହଳ ସ୍ତର କ୍ରିସ୍ମାସ ସମୟର ସ୍ତରକୁ ଚାଲିଆସିଥିଲା । ଏପରି ପରିବର୍ତ୍ତନ ଯୋଗୁ ବୈଜ୍ଞାନିକମାନେ ପୂର୍ବରୁ ଜାଣିପାରୁ ନ ଥିବା ଭୂମିକମ୍ପ ଓ ଆଗ୍ନେୟଗିରି ସମ୍ବନ୍ଧୀୟ ସିଗ୍ନାଲ୍ ଜାଣିବାରେ ଏବେ ସକ୍ଷମ ହୋଇଛନ୍ତି, ଅର୍ଥାତ୍ ମନୁଷ୍ୟକୃତ କୋଳାହଳ ଓ ପ୍ରାକୃତିକ କୋଳାହଳ ମଧ୍ୟରେ ପ୍ରଭେଦ ଜାଣିବା ଏବେ ସହଜ ହୋଇଛି ।