ଋଣ ପାଇଁ ମହିଳା ସଂଗଠନ ମାନଙ୍କୁ ଧମକ ଦେଉଛନ୍ତି ଋଣ ଦେଇ ଥିବା ସଂସ୍ଥା : ନଡପୁର ପଞ୍ଚାୟତ ମହିଳା ମାନଙ୍କର ସାମୁହିକ ପ୍ରତିବାଦ
ବେତନଟୀ : ଆଜି ବେତନଟୀ ବ୍ଲକର ନଡପୁର ପଞ୍ଚାୟତର ନଡପୁର, କୃଷ୍ଣଚନ୍ଦ୍ରପୁର, ଖୁଣ୍ଟା, ଟିକର ଗଡିଆ, ଶିଳପୁରିଆ, ନୂଆଗାଁ, କଇଁଫୁଲିଆ, ଫୁଲଝରୀ ଓ ସମସ୍ତ ୯ଟି ଗ୍ରାମର ମହିଳା ମାନେ ସ୍ଥାନୀୟ ବାସନ୍ତୀ ପୂଜା ମଣ୍ଡପ ନିକଟରେ ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି । ଏହି ମହିଳା ମାନେ ସ୍ୱାବଲମ୍ବି ହେବା ପାଇଁ ଏଚଡିଏଫସି, ଏସକେଏସ, ବନ୍ଧନ, ଆରହୋଣ, ସ୍ପନ୍ଦନା, ଧାନ ଫାଉଣ୍ଡସନ, ଏସଏସଜିରୁ ଋଣ ନେଇ ଥିଲେ ଓ ନିୟମିତ ପରିଶୋଧ କରି ଆସୁ ଥିଲେ ।
ହେଲେ ଲକ ଡାଉନ ହେତୁ ଏମାନେ ଏବେ କୌଣିସ କାର୍ଯ୍ୟ କରି ପାରୁ ନାହାଁନ୍ତି କିମ୍ବା ସେମାନଙ୍କର କୌଣସି ଉପାର୍ଜନ ନାହିଁ । ଶାଳପତ୍ର, ସବାଇ, କୁଟୀର ଶିଳ୍ପରେ ଋଣ ଟଙ୍କା ନିବେଶ ହୋଇଛି ହେଲେ ଏଥିରୁ କୌଣସି ଆୟ ବାହାରୁ ନଥିବାରୁ ମହିଳା ମାନେ ବହୁ କଷ୍ଟରେ ନିଜର ପରିବାର ଚଳାଉଛନ୍ତି । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଲକଡାଉନ ସମୟରେ ଋଣ ନୀତି କୋହଳ କରିବାକୁ ନିଦେ୍ର୍ଦଶ ଥିବା ବେଳେ ଋଣ ଦେଇ ଥିବା ସଂସ୍ଥାର ପ୍ରତିନିଧି ମାନେ ଏହି ମହିଳା ମାନଙ୍କ ନିକଟରେ ପହଞ୍ଚି ଋଣ ପରିଶୋଧ କରିବାକୁ ଦାବି କରୁଛନ୍ତି ।
ଏପରିକି ଋଣ ଟଙ୍କା ନଦେଲେ ପରେ ଅଧିକ ସୁଧ ହାରରେ ଟଙ୍କା ଆଦାୟ କରା ଯିବ ବୋଲି ଧମକ ଦେଉଛନ୍ତି । ଏପରି କରିବା ଦ୍ୱାରା ମହିଳା ମାନେ କଣ କରିବେ ଓ କେମିତି ସେମାନଙ୍କ ଋଣ ପରିଶୋଧ କରିବେ ସେ ନେଇ ନିରାଶା ଭାବ ପ୍ରକାଶ ପାଇଛି । ଏପରି ସମୟରେ ମହିଳା ମାନେ ନେଇ ଥିବା ଋଣ ସମ୍ପୂର୍ଣ୍ଣ ଭାବେ ମାଫ ହେବା ଉଚିତ ବୋଲି ମହିଳା ସଂଗଠନ ମାନେ ଦାବି କରିଛନ୍ତି । ସାଧାରଣତଃ ଏହି ସଂସ୍ଥା ମାନଙ୍କରୁ ମହିଳା ମାନେ ୨୦ ହଜାରରୁ ୪୦ ହଜାର ପର୍ଯ୍ୟନ୍ତ ଋଣ ମିଳିଛି । ଏମାନେ ଉକ୍ତ ଟଙ୍କାକୁ ବିଭିନ୍ନ ବ୍ୟବସାୟ, କୁଟୀର ଶିଳ୍ପ, ହସ୍ତଶିଳ୍ପରେ ବିନିଯୋଗ କରି ସେଥିରୁ ମିଳୁଥିବା ଅର୍ଥରେ ପରିବାର ପୋଷଣ କରିବା ସହିତ ପ୍ରତ୍ୟେକ ସପ୍ତାହରେ ଋଣ କିସ୍ତି ମଧ୍ୟ ପ୍ରଦାନ କରି ଆସୁ ଥିଲେ । ଏବେ ଲକଡାଉନ ପାଇଁ ସେମାନଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଛି ଓ ସେମାନେ ଋଣ ଟଙ୍କା ପରିଶୋଧ କରିବାକୁ ଅକ୍ଷମ ବୋଲି ପ୍ରକାଶ କରିଛନ୍ତି ।