Odisha news

ଫକୀର ମୋହନଙ୍କ ପୂର୍ବସୂରୀଙ୍କ ଜନ୍ମସ୍ଥାନ କେଉଁଠି !

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଓଡିଆ ଭାଷା-ସାହିତ୍ୟ ବିଲୋପ ଚକ୍ରାନ୍ତକୁ ପଣ୍ଡ କରିବା ସହିତ ଓଡିଆ ଭାଷାକୁ ସୁରକ୍ଷା ଦେବାପାଇଁ ଯେଉଁ କେତେଜଣ ଯୋଗଜନ୍ମା ସାରସ୍ୱତ ସାଧକ ଅଣ୍ଟାଭିଡି ଆଗେଇ ଆସିଥିଲେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ବ୍ୟାସକବି ଫକୀର ମୋହନ ସେନାପତି । ସେଥିପାଇଁ ଓଡିଆ ଜାତି ତାଙ୍କ ନିକଟରେ ଚିରକୃତଜ୍ଞ । ଏକାଧାରାରେ ସେ ଥିଲେ ଜଣେ ବଳିଷ୍ଠ ରାଜସ୍ୱ ପ୍ରଶାସକ, କୃତୀ ଶିକ୍ଷକ, ସମାଜ ସଂସ୍କାରକ ତଥା ସର୍ବୋପରି ଓଡ଼ିଆ ଗଦ୍ୟ ସାହିତ୍ୟର ଆଦ୍ୟ ପ୍ରବର୍ତ୍ତକ । ଯଦିଓ ଫକୀର ମୋହନ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ପ୍ରଭୁତ ଯଶର ଅଧିକାରୀ ହୋଇଥିଲେ, ତଥାପି ଗଦ୍ୟ ସାହିତ୍ୟ, ବିଶେଷ କରି ଗଳ୍ପ ଓ ଉପନ୍ୟାସ ରଚନା କ୍ଷେତ୍ରରେ ସେ ଅପ୍ରତିଦ୍ୱନ୍ଦୀ ସ୍ରଷ୍ଟା ରୂପେ ମଧ୍ୟ ଅଦ୍ୟାପି ବିଦ୍ୟମାନ ।

ଓଡ଼ିଆ ସାହିତ୍ୟର ସେନାପତି ଫକୀର ମୋହନ ସେନାପତିଙ୍କ ଜନ୍ମସ୍ଥାନ ଥିଲା ବାଲେଶ୍ୱର ସହର ଉପକଣ୍ଠ ମଲ୍ଲିକାଶପୁର ଗ୍ରାମ । ମସିହା ଥିଲା ୧୮୪୩, ତାରିଖ ଥିଲା ଜାନୁୟାରୀ ୧୩ । ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଓ ମାତାଙ୍କ ନାମ ତୁଳସୀ ଦେଈ । ମାତ୍ର ଫକୀର ମୋହନଙ୍କ ପୂର୍ବସୂରୀମାନଙ୍କ ଜନ୍ମସ୍ଥାନ ଥିଲା କେନ୍ଦ୍ରାପଡା ସବ୍ଡିଭିଜନ ଅନ୍ତର୍ଗତ କୋସିଦା ଗ୍ରାମରେ । ଉକ୍ତ ତଥ୍ୟ ଫକୀର ମୋହନଙ୍କ ସ୍ୱରଚିତ ‘ଆତ୍ମଜୀବନୀ’ରେ ସ୍ଥାନିତ ହୋଇଛି । ଫକୀର ମୋହନ ନିଜେ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, ତାଙ୍କ ପୂର୍ବପୁରୁଷ ହନୁମଲ୍ଲ କେନ୍ଦ୍ରାପଡାରୁ ଆସି ବାଲେଶ୍ୱର ସହର ସନ୍ନିକଟ ମଲ୍ଲିକାଶପୁରରେ ବସତି ସ୍ଥାପନ କରିଥିଲେ ଏବଂ ସେ ସେନାବାହିନୀରେ କାର୍ଯ୍ୟ କରୁଥିଲେ । ଆକ୍ରମଣକାରୀ ସେନାବାହିନୀଙ୍କୁ ବୁଢାବଳଙ୍ଗ ନଦୀତଟରେ ଆଗୁଳିବା ଥିଲା ତାଙ୍କର ପ୍ରମୁଖ କାର୍ଯ୍ୟ । ମାତ୍ର ହନୁମଲ୍ଲ ମରାଠାମାନଙ୍କ ପକ୍ଷରୁ କିମ୍ବା ବଙ୍ଗଳାର ଆଫଗାନମାନଙ୍କ ପକ୍ଷରୁ ନିଯୁକ୍ତି ପାଇଥିଲେ ତାହାକୁ ଆତ୍ମଜୀବନୀଟିରେ ସ୍ପଷ୍ଟ ଉଲ୍ଲେଖ କରିନାହାନ୍ତି । ଫକୀର ମୋହନ ଏକଥା ମଧ୍ୟ ଲେଖିଛନ୍ତି, ମୋର ପୂର୍ବପୁରୁଷ ହନୁମଲ୍ଲ କେନ୍ଦ୍ରାପଡାର କୁଶିଦା ଗ୍ରାମରୁ ଆସି ବାଲେଶ୍ୱରଠାରେ ବସତି ସ୍ଥାପନ କରିଥିଲେ । ବାଲେଶ୍ୱରରେ ସ୍ଥାୟୀଭାବେ ବାସ କରିବା ପରେ ବ୍ୟାସକବିଙ୍କ ପୂର୍ବସୂରୀଙ୍କ ସଜ୍ଞା ‘ମଲ୍ଲ’ ପରିବର୍ତ୍ତେ ‘ସେନାପତି’କୁ ରୂପାନ୍ତରିତ ହୋଇଥିଲା ।

ଫକୀର ମୋହନଙ୍କ ସାହିତ୍ୟ କୃତି ଉପରେ ଅନେକ ଆଲୋଚନା ଓ ସମାଲୋଚନା ଗବେଷକମାନଙ୍କ ଦ୍ୱାରା ଲିଖିତ ହୋଇସାରିଛି ଏବଂ ଏବେ ମଧ୍ୟ ଲେଖା ଚାଲିଛି । ଚାରିଟି ଉପନ୍ୟାସ ଓ କୋଡିଏଟି ଗଳ୍ପ ଅତ୍ୟନ୍ତ ସ୍ୱଚ୍ଛ ହେଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ଏପରି ବିରଳ ରଚନା ଏଯାବତ୍ ରଚିତ ହୋଇପାରିନାହିଁ । ତାଙ୍କର ପ୍ରତ୍ୟେକ ଗଦ୍ୟ ରଚନା ସ୍ୱତନ୍ତ୍ର ଶ୍ରେଣିର । ଲଛମା, ମାମୁଁ, ପ୍ରାୟଶ୍ଚିତ ଓ ଛମାଣ ଆଠଗୁଣ୍ଠ ପରି ଉପନ୍ୟାସ, ଗଳ୍ପସ୍ୱଳ୍ପ (୧ମ ଓ ୨ୟ ଭାଗ)ରେ ସଙ୍କଳିତ କୋଡିଏଟି ଗଳ୍ପ, ଆତ୍ମଜୀବନୀ ଓ ‘ଉକ୍ରଳ ଭ୍ରମଣ’ ପରି ବ୍ୟଙ୍ଗକାବ୍ୟ ପାଇଁ ସେ ଓଡ଼ିଆ ଜନମାନସରେ ସ୍ମରଣୀୟ ହୋଇ ରହିଛନ୍ତି ଓ ରହିଥିବେ ମଧ୍ୟ । ବିଶେଷକରି ଫକୀର ମୋହନଙ୍କ ରଚିତ ରେବତୀ, ଡାକ ମୁନ୍ସୀ,ପେଟେଣ୍ଟ ମେଡିସିନ୍,ସଭ୍ୟ ଜମିଦାର,ରାଣ୍ଡିପୁଅ ଅନନ୍ତା ଗଳ୍ପର ଲୋକପ୍ରିୟତା ଏବେବି ହ୍ରାସ ପାଇନାହିଁ । କାଳର କଷଟି ପଥରରେସେଗୁଡିକ ପରୀକ୍ଷିତ, ଏଥିରେ ଦ୍ୱିରୁକ୍ତି ନାହିଁ ।

ଏଠାରେ ସୂଚନା ଯୋଗ୍ୟଯେ, ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାରେ କୁଶିଦା ବୋଲି କୌଣସି ଗ୍ରାମ ନାହିଁ । ‘କୋଶିଦା’ ନାମରେ ବର୍ତ୍ତମାନ ଦୁଇଟି ଗ୍ରାମ ଅଛି । ଗୋଟିଏ ଗରଦପୁର ବ୍ଲକ୍ର କୋଶିଦା ଏବଂ ଅନ୍ୟଟି ହେଉଛି ଡେରାବିଶି ବ୍ଲକ୍ ଅନ୍ତର୍ଗତ ଖମୋଳ ଗ୍ରାମ ନିକଟସ୍ଥ କୋଶିଦା ଗ୍ରାମ । ତେବେ କେଉଁ କୋଶିଦା ଗ୍ରାମ ବ୍ୟାସକବିଙ୍କ ପୂର୍ବସୂରୀମାନଙ୍କ ଜନ୍ମସ୍ଥାନ? ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ୍ ଅନ୍ତର୍ଗତ କୋଶିଦା ଗ୍ରାମ ନା ଡେରାବିଶି ବ୍ଲକ୍ର କୋଶିଦା ଗ୍ରାମ? ଏ ସର୍ମ୍ପକରେ ପ୍ରାଧ୍ୟାପକ ନୀରେଦ ଦାସ ‘ମାଟି ମହକ’ ପତ୍ରିକାରେ ପ୍ରକାଶିତ ତାଙ୍କ ନିବନ୍ଧରେ ଫକିର ମୋହନଙ୍କ ପୂର୍ବଜଙ୍କ ଜନ୍ମସ୍ଥାନ ଗରଦପୁର ବ୍ଲକର କୋସିଦା ଗ୍ରାମ ବୋଲି ଉଲ୍ଲେଖ କରିଥିଲା ବେଳେ ଅନ୍ୟଜଣେ ଗବେଷକ ବାସୁଦେବ ଦାସ ତାଙ୍କ ପୂର୍ବଜଙ୍କ ଜନ୍ମସ୍ଥାନ ଡେରାବିସ ବ୍ଲକ କୋସିଦା ଗ୍ରାମ ବୋଲି ଦାବି କରିଛନ୍ତି । ନିଜେ ଫକୀର ମୋହନ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ତାଙ୍କ ଆତ୍ମଜୀବନୀରେ ଦେଇନାହାଁନ୍ତି । ସେହି କାରଣଟି ହେଲା, କୋଶିଦା ଗ୍ରାମଟି କେଉଁ ‘ପ୍ରଗନ୍ନା’ରେ ଅବସ୍ଥିତ, ସେ ସମ୍ପର୍କରେ ତାଙ୍କ ଆତ୍ମଜୀବନୀରେ କିଛି ଉଲ୍ଲେଖ ନାହିଁ ।

ଐତିହାସିକ ସୁଚନା ଅନୁସାରେ ‘ପ୍ରଗନ୍ନା’ ପରି ଏକ ଭୌଗଳିକ ଭୂଖଣ୍ଡର ସୃଷ୍ଟିକର୍ତ୍ତା ହେଉଛନ୍ତି ମୋଗଲ ସମ୍ରାଟ ଆକବରଙ୍କ ବିଶିଷ୍ଟ ପାରିଷଦ ରାଜସ୍ୱ ସଚିବ ତୋଡରମଲ୍ଲ । ଆବୁଲ ଫାଜଲଙ୍କ ରଚିତ, ‘ଆଇନ-ଇ-ଆକବରୀ’ ଗ୍ରନ୍ଥରେ ଏହାର ଯଥେଷ୍ଟ ପ୍ରମାଣ ରହିଛି । ଇତିହାସରୁ ପ୍ରମାଣ ମିଳେ, ୧୫୯୨ ଖ୍ରୀଷ୍ଟାବ୍ଦରେ ମୋଗଲ ସେନାପତି ମାନ୍ସିଂ ଓଡ଼ିଶାରେ ଆଫଗାନ ରାଜତ୍ୱ ଲୋପକରି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ସୁବା (ଏବର ପ୍ରଦେଶ)ରେ ପରିଣତ କରିଥିଲେ ।

ବାରବାଟୀ ଦୁର୍ଗକୁ ଶାସନକେନ୍ଦ୍ର କରି ଓଡ଼ିଶାର ଗଡଜାତ ରାଜ୍ୟର ଭୂଖଣ୍ଡକୁ ଛାଡି, ଅବଶିଷ୍ଟ ଓଡ଼ିଶାର ଭୂଖଣ୍ଡକୁ ମୋଲମାନେ ରାଜସ୍ୱ ପ୍ରଶାସନ ଦୃଷ୍ଟିରୁ ବିଭିନ୍ନ ‘ବିଶି’, ‘ଖଣ୍ଡ’, ‘ପ୍ରଗନ୍ନା’ ଓ ‘ତାଲୁକ’ ପ୍ରଭୃତି ଭୌଗୋଳିକ ଭୂଖଣ୍ଡରେ ବିଭକ୍ତ କରି ‘ମୋଗାଲ ବନ୍ଦୀ’ ଅଞ୍ଚଳ ରୂପେ ଶାସନ କରି କର ଆଦାୟ କରୁଥିଲେ । ଏହି ‘ପ୍ରଗନ୍ନା’ ଗୁଡିକୁ ବିଭିନ୍ନ ‘ତାଲୁକ’ରେ ବିଭକ୍ତ କରାଯାଇଥିଲା । ଆଲୋଚ୍ୟ ଦୁଇଟି କୋଶିଦା ଗ୍ରାମରୁ ଗରଦପୁର ବ୍ଲକ୍ ଅନ୍ତର୍ଗତ କୋଶିଦା ଗ୍ରାମଟି ‘ଶୁକୁନଈ’ ପ୍ରଗନ୍ନାରେ ଅନ୍ତର୍ଭୁକ୍ତ ଥିବାବେଳେ ଡେରାବିଶି ବ୍ଲକ୍ର କୋଶିଦା ଗ୍ରାମଟି ଅସୁରେଶ୍ୱର ପ୍ରଗନ୍ନାରେ ଅନ୍ତର୍ଭୁକ୍ତ ଥିଲା । ଫକୀର ମୋହନ ତାଙ୍କ ଆତ୍ମଚରିତରେ କେଉଁ ପ୍ରଗନ୍ନା ଅନ୍ତର୍ଗତ କୋଶିଦା ଗ୍ରାମ ଥିଲା, ତାହା ଆଦୌ ଉଲ୍ଲେଖ କରିନାହାନ୍ତି । ଯଦି ଫକୀର ମୋହନ ‘ପ୍ରଗନ୍ନା’ ନାମଟିକୁ ତାଙ୍କ ଆତ୍ମଚରିତରେ ଉଲ୍ଲେଖ କରିଥାନ୍ତେ, ତେବେ ଆଜି ତାଙ୍କ ପୂର୍ବସୂରୀଙ୍କ ବାସସ୍ଥାନକୁ ଚିହ୍ନଟ କରିବା ପାଇଁ ଦ୍ୱନ୍ଦର ଅବକାଶ ନଥାନ୍ତା ।

ଓଡିଆ ଭାଷା ସାହିତ୍ୟର ଯଥାର୍ଥ ସେନାପତି ଫକୀର ମୋହନଙ୍କ ପୂର୍ବସୂରୀଙ୍କ ଭିଟାମାଟି କେଉଁଠି ସେ ସମ୍ପର୍କରେ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଏ ଦିଗରେ ସାରସ୍ୱତ ଗବେଷକମାନେ ଉଦ୍ୟମ ଜାରି ରଖିଲେ ବ୍ୟାସକବିଙ୍କ ପୂର୍ବଜଙ୍କ ଜନ୍ମସ୍ଥାନ ସମ୍ପର୍କରେ ଯେଉଁ ଦ୍ୱନ୍ଦ ରହିଛି ତାହା ଦୂର ହୋଇ ପାରିବ । ଏହାହିଁ ଏହି ଆଲେଖ୍ୟର ମୁଖ୍ୟ ଉଦେ୍ଦଶ୍ୟ ।

Leave A Reply