Odisha news

ଆମକୁ ଓଡ଼ିଆ ହେବାକୁ ପଡିବ!

0

ହିମାଂଶୁ ଶେଖର ଆଚାର୍ଯ୍ୟ : ମାତୃଭାଷା ମା’ର ଭାଷା । ମାତୃଭାଷା ସହିତ ପ୍ରତ୍ୟେକ ମଣିଷର ନାଡିର ସମ୍ପର୍କ ରହିଛି । ଏଣୁ ମାତୃଭାଷାର ପ୍ରସାର ଓ ପ୍ରଚାର ସ୍ନେହ, ଶ୍ରଦ୍ଧା ଓ ସଂପ୍ରୀତିର ବାତାବରଣ ସୃଷ୍ଟି କରିଥାଏ । ସ୍ୱଧୀନତା ପ୍ରାପ୍ତିର ୧୧ବର୍ଷ ପୂର୍ବରୁ ଭାଷା ଭିତ୍ତିରେ ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେବା ଏକ ଐତିହାସିକ ଘଟଣା । ବହୁ ଘାତ ପ୍ରତିଘାତ ମଧ୍ୟରେ ଉକ୍ରଳ ଗୌରବ ମଧୁସୂଦନ ଦାସ,ଉକ୍ରଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ଉଦ୍ୟମ ଫଳରେ ଓଡିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ୱପ୍ନ ସାକାର ହେଲା । ଆମର ପୂର୍ବପୁରୁଷମାନେ ଯେଉଁ ଭାଷା ଆନେ୍ଦାଳନକରି ଆମ ଓଡିଆ ଭାଷାକୁ ବଙ୍ଗାଳୀମାନଙ୍କୁ ଠାରୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ସଂଘର୍ଷ କରିଥିଲେ ତାହା ଉତ୍ତର ପିଢି ପାଖରେ ପହଁଞ୍ଚିପାରୁନାହିଁ ।ଭାଷା ଖାଲି ହୃଦୟ ସହିତ ହୃଦୟ ଯୋଡିଲେ ତିଷ୍ଠି ରହିବନାହିଁ ।

ଏହା ଜୀବନ ସହିତ ଯୋଡିହେବା ଦରକାର । ଏଥିରେ ବ୍ୟତିକ୍ରମ ଯୋଗୁଁ ଆମ ପିଲାମାନେ ଇଂରାଜୀ ଭାଷା ପ୍ରତି ଆଦର ପ୍ରକାଶ କରୁଥିବା ବେଳେ ଓଡିଆ ଭାଷାକୁ ହତାଦାର କରୁଛନ୍ତି ।

ଭାଷାହିଁ ଗୋଟିଏ ଜାତିର ପରିଚୟ ।ଭାଷାର ବହୁଳ ବ୍ୟବହାର ଉପରେ ଏହାର ସ୍ଥିତି ଓ ପ୍ରଗତି ନିର୍ଭର କରେ । ମାତ୍ର ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉକôଳପ୍ରଦେଶ ଗଠନ ହେବାର ୮୪ବର୍ଷପରେ ବି ଆମ ମାତୃଭାଷା ପ୍ରତି ଆମ ପିଲା ମାନଙ୍କର ଆଦରଭାବ କମିକମି ଯାଉଛି । ଅପରପକ୍ଷରେ ଇଂରାଜୀ ଭାଷା ପ୍ରତି ଆଗ୍ରହଭାବ ବଢିବାରେ ଲାଗିଛି । କାରଣ ଆମ ମାତୃଭାଷା ରୋଜଗାର ଯୋଗାଇବାରେ ସମର୍ଥ ହୋଇପାରୁନାହିଁ । କେତେକଙ୍କ ମତରେ ସରକାର ଏଦିଗରେ କିଛି ପଦକ୍ଷେପ ନେବା କଥା ।ପୂର୍ବରୁ ୧୯୫୪ ମସିହାରେ ସ୍ୱର୍ଗତ୍ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଅଧିନିୟମ ପ୍ରଣୟନ କରିଥିଲେ ।

ପୁନଶ୍ଚ ୧୯୮୫ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଓଡିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବାପାଇଁ ପୁଣିଥରେ ନିଷ୍ପତି ଗ୍ରହଣ କରିଥିଲେ ।ମାତ୍ର ଏହା ଅଧାପନ୍ତରିଆ ହୋଇ ରହିଥିଲା । ଦୀର୍ଘ ୬୨ ବର୍ଷ ପରେ ୨୦୧୬ ମସିହା ମେ ୨୧ ତାରିଖରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ୧୯୫୪ ମସିହା ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପରେ ଗତ ୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ ପୁରୀ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର କ୍ୟାବିନେଟ ବ୍ୟଠକରେ ଏଦିଗରେ ଆଉପାଦେ ଆଗେଇ ୨୦୧୮ ମସିହା ଏପ୍ରିଲ ପହିଲା ଉକôଳ ଦିବସରୁ ସାରା ରାଜ୍ୟରେ ଓଡିଆ ଭାଷାରେ ସବୁ ସରକାରୀ କାର୍ଯ୍ୟକ୍ରମ ହେବ ବୋଲି ସ୍ଥିର କରାଯାଇଥିଲା ।

ମାତ୍ର ଏହି ନିଷ୍ପତ୍ତି ନିଆଯିବାର ଦୁଇ ବର୍ଷରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ଏଦିଗରେ ବିଶେଷ କିଛି ଅଗ୍ରଗତି ହୋଇପାରିନାହିଁ ।ଫଳସ୍ୱରୂପ ଦିନକୁ ଦିନ ଆମ ଭାଷାର ଅବକ୍ଷୟ ଘଟୁଛି ।ଗୋଟିଏପଟେ ଓଡିଆ ଭାଷା କେବଳ ଭାଷଣ ଏବଂ କଥାବାର୍ତ୍ତା ମଧ୍ୟରେ ବଞ୍ଚିରହିଛି । ଅନ୍ୟପଟେ ଆମ ଭାଷା କିଛିମାତ୍ରାରେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ଓ ସ୍ତମ୍ଭକାରଙ୍କ ସୃଷ୍ଟି ମଧ୍ୟରେ ବଞ୍ଚିରହିଛି ।
ସମୀକ୍ଷକମାନଙ୍କ ମତରେ ଏବେ ବିଶ୍ୱରେ ପ୍ରାୟ ୬ ରୁ ୭ ହଜାର ଭାଷା ରହିଛି । କିନ୍ତୁ ଆଗାମୀ ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ହୁଏତ ଏଥିରୁ ୯୦ ଭାଗ ଭାଷାର ଅସ୍ତିତ୍ୱ ଲୋପ ପାଇବ । କାରଣ ଅଧୁନା ବିଶ୍ୱର ଶତକଡା ୯୫ ଭାଗ ଲୋକ ମାତ୍ର ୧୦୦ଟି ଭାଷାରେ କଥାବାର୍ତ୍ତା ହେଉଛନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା ଯେ ବିଶ୍ୱରେ ପ୍ରାୟ ଅଦେ୍ର୍ଧକ ଲୋକ ମାତ୍ର ୮ଟି ଭାଷାରେ କଥାବାର୍ତ୍ତା ହେଉଛନ୍ତି ଯଥା – ଚୀନ, ସ୍ପେନିଶ୍,ଇଂରାଜୀ, ହିନ୍ଦି,ରୁଷ୍, ବଙ୍ଗଳା, ଆରବୀ ଓ ପର୍ତ୍ତୃଗୀଜ ।

ଏପରିସ୍ଥଳେ ଭାଷାର ସୁରକ୍ଷା ପାଇଁ ପ୍ରତ୍ୟେକ ଦେଶ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆମ ଭାଷାକଥା ଚିନ୍ତାକଲେ ଜଣାଯାଏ ଯେ, ଭାଷାର ପ୍ରସାର ପ୍ରଚାର ଦୂରର କଥା, ଓଡିଆ ଭାଷାରେ ପ୍ରକାଶିତ ଦୁର୍ଲଭ ଗ୍ରନ୍ଥ ସବୁ ପଢିବାରେ ଆମର ଆଗ୍ରହ ନାହିଁ । ପତ୍ରପତ୍ରିକା, ନାଟକ, ଉପନ୍ୟାସ, ଗଳ୍ପ ଓ କବିତା କଥା ପଚାରେ କିଏ? ହିନ୍ଦୀ, ବଙ୍ଗଳା, ଇଂରାଜୀ ପତ୍ରପତ୍ରିକା ପ୍ରେମରେ ଆମେ ପଡିଯାଇଛୁ । ଅଥଚ ଓଡିଆ ସାହିତ୍ୟ ଭାରତବର୍ଷର ଅନ୍ୟତମ ପ୍ରାଚୀନ ସାହିତ୍ୟ । ଏ ମାଟିର କବି ସାରଳା ଦାସ ମହାଭାରତ ଲେଖି ବେଦବ୍ୟାସ ପାଲଟି ଯାଇଛନ୍ତି । କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଦୀନକୃଷ୍ଣ, ଅଭିମନୁ୍ୟ, ବଳରାମ ଦାସଙ୍କ ସୃଷ୍ଟି ସମ୍ଭାର ଭାରତୀୟ ଭାଷା ସାହିତ୍ୟରେ ଦୁର୍ଲଭ । ଏମାନେ ହିଁ ଓଡିଆ ସାହିତ୍ୟର ରକ୍ଷାକାରୀ । କଥା ସମ୍ରାଟ ଫକୀରମୋହନ, କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ପଦ୍ମଭୂଷଣ ଗୋପୀନାଥ ମହାନ୍ତି, ସ୍ୱଭାବ କବି ଗଂଗାଧର ମେହେରଙ୍କ ସୃଷ୍ଟି ସମ୍ଭାର ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି, ଏହା ଅନସ୍ୱୀକାର୍ଯ୍ୟ ।

ଏକ ତଥ୍ୟ ମୁତାବକ, ସମଗ୍ର ଓଡିଶାରେ ୫୮ ପ୍ରକାର କଥିତ ଭାଷା ପ୍ରଚଳିତ ଅଛି । ତେବେ ଓଡିଶାରେ ଓଡିଆ ଭାଷା ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ । ରାଜ୍ୟର ପ୍ରାନ୍ତୀୟକ୍ଷେତ୍ର ପଶ୍ଚିମ ଓଡିଶାରେ ସମ୍ବଲପୁରୀ (କୋଶଳି) ଓ ମିଶ୍ର ହିନ୍ଦୀ ଭାଷା, ଦକ୍ଷିଣ ଓଡିଶାରେ ବ୍ରହ୍ମପୁରୀ ଓ ମିଶ୍ର ତେଲଗୁ ଭାଷା, ଉତ୍ତର ଓଡିଶାରେ ମିଶ୍ର ବଙ୍ଗଳା ଭାଷାର ପ୍ରଚଳନ ଦେଖାଯାଏ । ରାଜ୍ୟରେ ଥିବା ଆଦିବାସୀମାନଙ୍କର ନିଜସ୍ୱ ଭାଷା ଯଥା – ସାନ୍ତାଳି, ମୁଣ୍ଡା, କନ୍ଧ, କୋୟା, ବଣ୍ଡା ଇତ୍ୟାଦି ରହିଛି । ଏତଦ୍ବ୍ୟତୀତ ଅନ୍ୟାନ୍ୟ ଭାଷା ମଧ୍ୟରେ ଅସମୀୟ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲଗୁ ଆଦି ଭାଷା ମଧ୍ୟ ବ୍ୟବହୃତ ହୁଏ । ପରିବର୍ତ୍ତିତ ପରିସ୍ଥିତିରେ ଭାଷାର ପ୍ରସାର ପ୍ରଚାର ତ ଦୂରର କଥା ଓଡିଆ ଭାଷାରେ କଥାବାର୍ତ୍ତା ହେଉଥିବା ଲୋକଙ୍କ ସଂଖ୍ୟା ବେଳକୁ ବେଳ କମିବାରେ ଲାଗିଛି । ଅନ୍ୟ କେତେକ ଯୁକ୍ତି କରୁଛନ୍ତି ଯେ, ଭାଷା ବଞ୍ଚିବା ବା ମରିବା ଜୀବିକା ସହିତ ସର୍ମ୍ପକ ରଖେ । ଇଂରାଜୀ ଭାଷା ଶିଖିଲେ ଚାକିରି ବା କାମ ମିଳିବାର ସୁଯୋଗ ଅଛିବୋଲି ଗରିବ ଲୋକ ମଧ୍ୟ ପେଟରୁ କାଟି ସଞ୍ଚୟକରି ନିଜ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେଉଛନ୍ତି ।

ସାଧାରଣରେ ଆଲୋଚନା ହେଉଛି ଓଡିଆ ପଢିଲେ କ’ଣ ପେଟପୁରିବ? ଆଉପିଲା ଯଦି ଓଡିଆ ନପଢିବେ ଓଡିଆ ସ୍କୁଲ କାହିଁକି ରହିବ ।ସେଥିପାଇଁ ଛତୁ ଫୁଟିଲାପରି ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ବଢିଚାଲିଛି । ତେଣୁ ଓଡିଆ ଭାଷା ଜଦି ଜୀବିକା ନର୍ବାହର ଏକ ପନ୍ଥା ହେବ ତାହାଲେ ପିଲାମାନେ ନିଶ୍ଚୟ ଓଡିଆ ପଢିବାକୁ ଇଛାପ୍ରକାଶ କରିବେ । ସେହିପରି ବିଜ୍ଞାନ ଆଇନ୍ ପ୍ରଶାସନିକ କ୍ଷେତ୍ରରେ ଯଦି ଓଡିଆ ଭାଷା କାର୍ଯ୍ୟକାରୀ ହୁଏ ତାହାଲେ ଓଡିଆ ଭାଷା ପ୍ରତି ଆଦରଭାବ ପ୍ରକାଶ ପାଇବ । ଏଦିଗରେ ଜାପାନ ଓ ଚୀନଦେଶର ଉଦାହରଣ ନିଆଯାଇପାରେ । ଏହି ଦେଶରେ ମାତୃଭାଷାରେ ସବୁକାର୍ଯ୍ୟ ଚାଲିଛି । ସେହି ଦୁଇଦେଶ ଆଜି ବିଜ୍ଞାନ, ଅର୍ଥ, ପ୍ରଯୁକ୍ତି ବିଦ୍ୟା, ସାହିତ୍ୟ ସବୁଦିଗରେ ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠା କରିସାରିଲେଣି । ସେମାନଙ୍କ ଠାରୁ ଆମକୁ ବହୁତ କିଛି ଶିଖିବାର ଅଛି ।

ଭାଷା କେବଳ ସରକାରୀ ହୋଇଗଲେ ବଞ୍ଚିଯିବ ଏହା ଭବିବା ଭୁଲ୍ । ଭାଷା ପ୍ରତି ଆମ ହୃଦୟରେ ମମତା ରହିଲେ ହିଁ ଏହା ବଞ୍ଚôବ । ସବୁଠୁ ବଡକଥା ହେଉଛି- ମୁଁ ଓଡିଆ, ଓ ମୋ ଭାଷାକୁ କହିବାରେ ଏବଂ ଲେଖିବାରେ ମୁଁ ଗର୍ବ ଅନୁଭବ କରେ ଏହି ଭାବନା ଆମ ଭିତରେ ଉଦ୍ରେକ ହେବା ଦରକାର ।ତେଣୁ ପ୍ରଥମେ ଆମକୁ ଓଡିଆ ହେବାକୁ ପଡିବ!

Nalco

Leave A Reply