ବାସୁଦେବପୁର: ଚାଲିଯାଇଛି ଅମ୍ଫାନ । ଆକାଶରୁ ଅପସରି ଯାଇଛି କଳାବାଦଲ । କିଛିଦିନ ତଳେ ଏଡି ଝାଟିମାଟି ଘରେ ଖିଲି ଖିଲି ହୋଇ ହସୁଥିବା ଅଗଣା ଅମ୍ଫାନର ତାଣ୍ଡବ ଲୀଳାରେ ଭୂଇଁରେ ମିଶି ଯାଇଛି । ଖଣ୍ଡବିଖଣ୍ଡିତ ମାଟି ଭିତରୁ ପୂରୁଣା ସ୍ମୃତିକୁ ଅଣ୍ଡାଳି ବୁଲୁଛି ପରିବାର । ନିକଟସ୍ଥ ବିଦ୍ୟାଳୟ ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟର ସାହାରା ସ୍ଥଳୀ ପାଲଟିଛି । ଏ ହେଉଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଓ ପୌରପାଳିକାର ଅମ୍ଫାନର କମ୍ପନରେ ଶୋଇ ପଡିଥିବା ବାସ୍ତବ ଚିତ୍ର ।
ବାସୁଦେବପୁର ପୌରପାଳିକାର ସୁଙ୍ଗୁଡା ସାବରପୁର ଓ୍ୱାର୍ଡ ନମ୍ବର – ୧୪ ଅଶ୍ରୃଲ୍ଲା ଅଲ୍ଲୀ ଖାଁଙ୍କ ଆଜବେଷ୍ଟ ଘର ଉପରେ ଶହେ ବର୍ଷରୁ ଉର୍ଦ୍ଧ ଏକ ଗଛ ପଡି ଘର ଭାଙ୍ଗି ଯାଇଛି । ସାବରପୁର ଓ୍ୱାର୍ଡ ନମ୍ବର- ୧୫ର କାଜିରୁଦ୍ଧିନ ଖାଁ ଘର ଉପରେ ଏକୟୁକେଲ ପଟାସ ଗଛ ପଡି ମାଟି ଘର ମାଟିରେ ମିଶି ଯାଇଛି । ପ୍ରଶାସନ ପାଖରେ ଗରିବ ପରିବାର ପକ୍ଷରୁ ଗୁହାରୀ କରାଯାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ହାତ ମାରିନାହାନ୍ତି ।
ଫଳରେ ଘର ତଳେ ଚାପି ହୋଇ ଯାଇଛି ସମସ୍ତ ଆସବାପତ୍ର ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଅମ୍ଫାନର ବାତ୍ୟାର ପବନ ମାଡରେ ସୁଦର୍ଶନପୁର ପଞ୍ଚାୟତର ମହାଳିକ ସାହିର ଅମୂଲ୍ୟ ମହାଳିକ ଘର ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି । ଏହି ଗ୍ରାମର ତପନ ନାୟକଙ୍କ ବାତ୍ୟାରେ କାନ୍ଥ ଭାଙ୍ଗି ଯିବାରୁ ବାସହରା ହୋଇ ଅନ୍ୟତ୍ର ମୁଣ୍ଡ ଗୁଞ୍ଜିବାକୁ ପଡିଛି । କେବଳ ଏତିକି ନୁହେଁ ଏହିପରି ବହୁ ଘର ବାତ୍ୟା ଅମ୍ଫାନରେ ମାଟିରେ ମିଶି ଯାଇଛି । କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଶାସନିକ ଅଧିକାରୀ ପହଞ୍ଚି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ଉପରୁ ଗଛ ହଟିନାହିଁ । ଭାଗ୍ୟକୁ ଆଦରି ଦିନରାତ୍ରି ଜଗି ବସୁଛନ୍ତି ପରିବାର ।
ନିକଟରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ,ପୂର୍ବତନ କାଉଁସିଲର,ପ୍ରଶାସନିକ ଅଧିକାରୀ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଥିଲେ । ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୃତି ଦେଇଥିଲେ । ହେଲେ ପ୍ରଶାସନିକ ସ୍ଥାଣୁତା ପାଇଁ ଗୁଣ୍ଡ ମାଟି ଭିତରୁ ଭଙ୍ଗା ସମାଗ୍ରୀ ଖୋଜି ବୁଲୁଛନ୍ତି ପରିବାର ସଦସ୍ୟମାନେ । ସରକାର ବାତ୍ୟାରେ କ୍ଷୟକ୍ଷତି ଆକଳନ ପାଇଁ ଟିମ୍ କ୍ଷେତ୍ର ପରିଦର୍ଶନ କଲେଣି । ହେଲେ ସ୍ଥାନୀୟ ପ୍ରଶାସନର ନିଦ ଭାଙ୍ଗୁନାହିଁ । ପ୍ରଶାସନ ପାଖରେ ଓଫଡ୍ରଫ ଟିମ୍, ଏନଡିଆରଏଫ ଟିମ୍ ଥିବା ବେଳେ ସାହାର୍ଯ୍ୟ କରିବା ବଦଳରେ ପରିଚାଳନା ଗତ ତୃଟି ଯୋଗୁଁ ଦୀର୍ଘ ୩ ଦିନ ବିତିଯାଇଥିଲେ ମଧ୍ୟ ପାରିବା ପଣିଆର ଉଦାହରଣ ଦେଇ ହାତ ଟେକି ଦେଇ ଦେଇଛି ପ୍ରଶାସନ । ଲୋକମାନଙ୍କ ପ୍ରତି କେତେ ଦରଦ ଏଥିରୁ ସ୍ପଷ୍ଟ ବାରି ହେଉଛି । ଜିଲ୍ଲାପାଳ ହସ୍ତକ୍ଷେପ କରି ଘର ଉପରେ ପଡିଥିବା ଗଛ କାଟି ହଟାଇବା ପାଇଁ ବିଚରା ଗରିବ ପରିବାର ପକ୍ଷରୁ ନିବେଦନ କରିଛନ୍ତି ।