“ଦାଦନ ଦୁଃଖ”ସୁରାଟରେ ପୋଲିସ ମାଡରେ ସତ୍ୟବାନ ସ୍ୱାଇଁ ମୃତ : ମୃତ ସତ୍ୟଙ୍କ ପରିବାରଙ୍କୁ ଭେଟିଲେ ମନ୍ତ୍ରୀ ବିକ୍ରମ ଆରୁଖ , ଦେଲେ ୫୦ ହଜାର ଟଙ୍କାର ସହାୟତା
ଭଞ୍ଜନଗର: ସୁରାଟରେ ପୋଲିସ ମାଡରେ ମୃତ ସତ୍ୟବାନ ସ୍ୱାଇଁଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ରାଜ୍ୟ ଜଙ୍ଗଲ, ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ଆରୁଖ ଶନିବାର ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗ୍ରାମକୁ ଯାଇ ସତ୍ୟବାନଙ୍କ ବିଧବା ପତ୍ନୀ ପ୍ରତିମା ଓ ତାର ଭାଇ ସନ୍ତୋଷଙ୍କୁ ଭେଟି ନିଜର ଦୁଃଖ ଜଣାଇବାସହ ଏଭଳି ବିପତ୍ତି ବେଳେ ଅଧୋର୍ଯ୍ୟ ନହେବାକୁ ପରାମର୍ଶ ଦେଇଥିଲେ । ଆଉ ନିଜେ ବ୍ୟକ୍ତିଗତ ଭାବେ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।
ସେ ତୁରନ୍ତ ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କଥାବାର୍ତ୍ତା କରିଛନ୍ତି ଓ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ମୃତ ସତ୍ୟଙ୍କ ପରିବାରକୁ ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବବୋଲି ମଧ୍ୟ ସେ ପ୍ରତିଶୃତି ଦେଇଛନ୍ତି ।
ଅପରପକ୍ଷରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଯେପରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜୁରାଟ ସରକାରଙ୍କ ନିକଟରେ ଦାବୀ ରଖାଯିବବୋଲି ମଧ୍ୟ ମନ୍ତ୍ରୀ ଦୃଢତାର ସହ ଉଲ୍ଲେଖ କରିଛନ୍ତି । ମଣିଷ ଜନ୍ମ ହେଲା ମାନେ ମୃତ୍ୟୁ ସୁନିଶ୍ଚିତ । ତେବେ ସତ୍ୟ ସ୍ୱାଇଁଙ୍କୁ ଯେଉଁଭଳି ଭାବେ ମୃତ୍ୟୁକୁ ସାମନା କରିବାକୁ ପଡିଲା ତାହା ବାସ୍ତବରେ ଅତି ହୃଦୟ ବିଦାରକ । ନିଜ ଜନ୍ମ ମାଟିକୁ ଫେରିବାକୁ ଚାହୁଁଥିବା ଦାଦନ ଶ୍ରମିକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ଘୋର ପରିତାପର ବିଷୟ । ତେବେ ଯେତେଦୂର ସମ୍ଭବ ସଭିଏଁ ମିଶି ଏହି ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ଆରୁଖ ଉଲ୍ଲେଖ କରିବାସହ ଦୁଃଖରେ ଭାଙ୍ଗିନପଡି ପରିବାରର ବାକି ସଦସ୍ୟମାନେ କିଭଳି ବଞ୍ଚିବେ ସେଦିଗରେ ଉଦ୍ୟମ କରାଯିବବୋଲି ପ୍ରତିଶୃତି ଦେଇଥିଲେ ।
ମନ୍ତ୍ରୀ ଆରୁଖ ଶନିବାର ଦିନ ସାଢେ ୧୧ଟା ବେଳେ ବାରୁଡାରେ ପହଞ୍ଚି ସିଧା ମୃତ ସତ୍ୟବାନ ସ୍ୱାଇଁଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟିଥିଲେ । ଆଉ ମନ୍ତ୍ରୀଙ୍କୁ ଦେଖି ଦୁଃଖରେ ଭାଙ୍ଗି ପଡିଥିବା ପରିବାର ସଦସ୍ୟମାନେ କୋହ ସମ୍ବରଣ କରିନପାରି ଅତିମାତ୍ରାରେ ଭାଙ୍ଗି ପଡିଥିଲେ । ତେବେ ମନ୍ତ୍ରୀ ଆରୁଖ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖରେ ନିଜେ ସାମିଲ ହେବାପରେ ମୃତ ସତ୍ୟଙ୍କ ପରିବାରବର୍ଗ ଆଗକୁ ବଢିବାର ସାହାସ ସଞ୍ଚୟ କରିଥିବା କହିଛନ୍ତି ସତ୍ୟଙ୍କ ବଡଭାଇ ସନ୍ତୋଷ ସ୍ୱାଇଁ(୪୫) ।
ସତ୍ୟଙ୍କ ପତ୍ନୀ ପ୍ରତିମା ମନ୍ତ୍ରୀ ଆରୁଖଙ୍କ ଠାରୁ ୫୦ ହଜାର ଟଙ୍କାର ଅର୍ଥରାଶି ଗ୍ରହଣ କରିବା ପରେ ସ୍ୱାମୀଙ୍କ ମୃତ୍ୟୁପାଇଁ ଦାୟୀ ଆମ୍ରୋଲି ପୋଲିସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ଓଡିଶା ସରକାର ଏଦିଗରେ ଗୁଜୁରାଟ ପୋଲିସ ମହାନିଦେ୍ର୍ଦଶକଙ୍କ ସହ କଥାବାର୍ତ୍ତା କରି ରାଜ୍ୟର ଦାବୀ ରଖିବେ ବୋଲି ମନ୍ତ୍ରୀ ଆରୁଖ ପ୍ରତିଶୃତି ଦେଇଥିଲେ । ତେବେ ସତ୍ୟଙ୍କ ପରିବାର ପାଇଁ ଯାହା ଆବଶ୍ୟକ ହେବ ତାକୁ ନିଶ୍ଚିତଭାବେ କରାଯିବ ବୋଲି ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଦୁଃଖରେ ଭାଙ୍ଗିପଡିଥିବା ଉକ୍ତ ପରିବାର ମନରେ ଆଶାର ସଂଚାର ହୋଇଛି ।