ହିମାଂଶୁ ଶେଖର ଆଚାର୍ଯ୍ୟ : ଦିନ ଥିଲା ଆମ ଦେଶକୁ ସୁଜଳା, ସୁଫଳା ଓ ଶସ୍ୟ ଶ୍ୟାମଳା ସୁନାର ଭାରତ ବୋଲି କୁହାଯାଉଥିଲା ।ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ,ଜଳ ସମ୍ପଦ ଓ ମାନବ ସମ୍ପଦ ଆମ ଦେଶରେ ଭରପୂର ହୋଇ ଥିଲା । ସେ ସବୁ ସ୍ମୃତି ଆଜି ଅତୀତ । ଦୀର୍ଘଦିନର ପରାଧୀନତାର ଶୃଂଙ୍ଖଳରେ ଆବଦ୍ଧ ରହି ଆମେ ବହୁ ପଛକୁ ଚାଲିଗଲୁ । ବିଶେଷକରି ଇଂରେଜ ମାନଙ୍କଦ୍ୱାରା ପ୍ରାୟ ଦୁଇଶହ ବର୍ଷ ଧରି ଶାସିତ ହେବା ଦ୍ୱାରା ଆମ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଲା । ଫଳସ୍ୱରୂପ, କୃଷି,ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ ସାମାଜିକ ଭିତିଭୂମି ଇତ୍ୟାଦି କ୍ଷେତ୍ରରେ ଆମର ସ୍ଥିତି ଦୟନୀୟ ହୋଇପଡିଲା । ଦାରିଦ୍ର୍ୟ, ବେକାରୀ, ଜାତୀୟଆୟ, ମୁଣ୍ଡପିଛାଆୟ ସବୁଥିରେ ଆମର ପଶ୍ଚାତଗତି ବଢିଚାଲିଲା ।ଆମର ଅର୍ଥ ବ୍ୟବସ୍ଥାର ସ୍ଥାଣୁତା ଆମକୁ ଏକ ଅନୁନ୍ନତ ଦେଶରେ ପରିଣତ କଲା । ଏହିଭଳି ପରିସ୍ଥିତିରେ ଅଗଣିତ ସଂଗ୍ରାମୀ ମାନଙ୍କର ବଳିଦାନ, ରକ୍ତକ୍ଷୟୀ ସଂଗ୍ରାମ ଓ ଐକାନ୍ତିକ ପ୍ରଚେଷ୍ଟା ବଳରେ ଆମେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବହୁ ପ୍ରତୀକ୍ଷିତ ସ୍ୱାଧୀନତା ପାଇଲୁ । ଆମେ ଅମ ଦେଶକୁ ଚଳାଇବାର ସ୍ୱପ୍ନରେ ଆତ୍ମହରା ହୋଇଥିଲେ ଓ ଗାଇଥିଲୁ – “ଆମେ ଚଳାଇବୁ ଦେଶ ଆମରି, ଆମରି ନାଆରେ ଆମେ ନାଉରୀ” । ଆଉ ଦୁଃଖ, ଶୋକ, କଷଣ, ଶୋଷଣ ଓ ନିର୍ଯ୍ୟାତନା ରହିବ ନାହିଁ । ଏବେ ଦେଶ ସ୍ୱାଧୀନ ହେବାର ୭୩ବର୍ଷ ବିତିଗଲାଣି । ଏହି ସମୟ ମଧ୍ୟରେ ଆମେ ଅଧିକାଂଶ କ୍ଷେତ୍ରରେ ସଫଳତା ହାସଲ କରିଛୁ ମାତ୍ର ଏପରି ଅନେକ କ୍ଷେତ୍ର ଅଛି ଯେଉଁଠି ଆମେ ପଛରେ ପଡିଯାଇଛୁ । ଗୋଟିଏ ପଟେ ଉଚ୍ଛଳା ଭାରତ ଓ ଅନ୍ୟପଟେ ଉଜୁଡା ଭାରତ ଆମକୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରୁଛି ।
ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ. ପ୍ରଯୁକ୍ତିବିଦ୍ୟା ଓ କାରିଗରିରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ । ଖାଲି ସେତିକିନୁହେଁ , ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି । ଅର୍ଥନୈତିକ ସସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା. ସଫ୍ଟଓୟାର ମହାଶକ୍ତି ଭାବେ ନୁଆ ପରିଚିତି ଆଜି ଏ ରାଷ୍ଟ୍ରକୁ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯାଦା ଦେଇଛି । ଶିଳ୍ପ କ୍ଷେତ୍ରରେ ଆଶାନୁରୂପ ପ୍ରଗତି ହାସଲ ହୋଇଛି । ଦେଶର ଜନସଂଖ୍ୟା ୩୬ କୋଟିରୁ ଆସି ୧୩୧ କୋଟି ଟପିସାରିଲାଣି । ଏହି ସମୟ ମଧ୍ୟରେ ଆମର ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ଅଭିବୃଦ୍ଧିି ହାର ୩ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଭାରତୀୟଙ୍କ ହାରାହାରି ପରମାୟୁ ୩୩ବର୍ଷରୁ ୬୫ବର୍ଷକୁ ବୃଦ୍ଧି ପାଇଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଏସବୁ ସଫଳତା ଭାରତକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଛି ।
ଏସବୁ ସଫଳତା ସତ୍ତ୍ୱେ ବାହାରେ ଯେଉଁ ଅନାଲୋଚିତ ଦିଗ ଅଛି ତାହାହେଉଛି ଏବେବି ଭାରତରେ ରହୁଛନ୍ତି ପ୍ରାୟ ୩୫କୋଟି ନିରକ୍ଷର,୨୬କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଓ ଅପପୁଷ୍ଟିର ଶୀକାର ହେଉଥିବା ୪୨ପ୍ରତିଶତ ଶିଶୁ । ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ, ଓ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ । ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ ପୂରଣ କରିବାରେ ଆମର ସ୍ଥିତି ସନ୍ତୋଷଜନକ ନୁହେଁ । ଏପରିକି ସମଗ୍ର ବିଶ୍ୱରେ ଭାରତରେ ଭୋକିଲା ଲୋକଙ୍କ ସଂଖ୍ୟା ଅଧିକ । ଏହାର ମୁଳ କାରଣ ହେଉଛି ଦୁର୍ନୀତି । ବିଡମ୍ବନା ହେଲାଯେ ଏହି ଦୁର୍ନୀତିର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୧୯୪୮ମସିହା ଜିପ୍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ୨୦୧୧ ମସିହା ଆଦର୍ଶ ହାଉସିଂ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି କାୟାବିସ୍ତାର କରି ଚାଲିଛି । ଏବେ ପୁଣି ଚର୍ଚ୍ଚାକୁ ଆସିଥିଲା ବହୁ ଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତି । ଖାଲିସେତିକି ନୁହେଁ, ସବୁଠାରୁ ବଡ ସମସ୍ୟା ହେଉଛି ଆମ ସଂସଦୀୟ ବ୍ୟବସ୍ଥା ଭିତରକୁ ପଶିଆସୁଛନ୍ତି ଅପରାଧ ପୃଷ୍ଠଭୁମି ଥିବା ଲୋକମାନେ । ଏହା ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।
ସମ୍ପ୍ରତି ପ୍ରାୟ ୧୩୪ କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି । ୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ । ୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତୁ୍ୟବରଣ କରିଥାନ୍ତି । ଦିନକୁ ଦିନ ଆମ ମା-ଭଉଣୀ ମାନେ ଅସୁରକ୍ଷିତ ଅବସ୍ଥା ଭିତରକୁ ଠେଲି ହୋଇଯାଉଛନ୍ତି । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଦୁଷ୍କର୍ମର ଏକ ଲମ୍ବା ତାଲିକା । ଏବେବି ବିଶ୍ୱର ଅର୍ଦ୍ଧାଧିକ ନିରକ୍ଷର ଲୋକ ସ୍ୱାଧୀନ ଭାରତରେ ଅଛନ୍ତି । ଦୁର୍ନୀତି କଥା ନ କହିବା ଭଲ । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି । ଜାତି ଧର୍ମନାମରେ ସାଂପ୍ରଦାୟିକ ଦଙ୍ଗା ଦେଶର ବିଭିନ୍ନ ସ୍ଥାନରେ ଘଟୁଛି । ସ୍ୱାଧୀନତାର ସାତ ଦଶନ୍ଧି ପରେ ସବୁଲୋକଙ୍କୁ ଦୁଇ ଓଳି ପେଟପୁରା ଆହର ମିଳିଲା ନାହିଁ କି ସବୁ ଶିଶୁ ବିଦ୍ୟାଳୟ ଦୁଆର ମୁହଁ ମାଡି ପାରିଲେନି ।ଏହାହିଁ କ୍ଷୋଭର ବିଷୟ ।
ଏବେ ଆତ୍ମସମୀକ୍ଷା କରିବାର ବେଳ ଆସିଛି । ଗୋଟିଏ ଦେଶପାଇଁ ୭୩ ବର୍ଷ କିଛିକମ୍ ନୁହେଁ । ଆମ ପରେ ସ୍ୱଧୀନତା ପାଇଥିବା ବହୁ ଛୋଟେଛାଟ ଦେଶ ଆଜି ସବୁ କ୍ଷେତ୍ରରେ ଆମ ଠାରୁ ବହୁ ଆଗରେ କିନ୍ତୁ ଆମେ ବହୁ ପଛରେ ପଡିଛୁ । ଅଦ୍ୟାବଧି ଆମ ଜନସଂଖ୍ୟାର ୬୮.୮ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବାସ କରୁଥିବା ବେଳେ ସହରାଞ୍ଚଳରେ ମାତ୍ର ୩୧.୨ଭାଗ ଲୋକ ବାସ କରନ୍ତି । କିନ୍ତୁ ଅନ୍ୟାନ୍ୟ ବିକଶିତ ଦେଶ ଇଂଲଣ୍ଡରେ ସହରାଞ୍ଚଳରେ ୮୦ପ୍ରତିଶତ , ଯୁକ୍ତରାଷ୍ଟ୍ର ଆମେରିକାରେ ୭୪ ପ୍ରତିଶତ , ଜାପାନରେ ୭୮ ପ୍ରତିଶତ ଲୋକ ଓ ଦକ୍ଷିଣ କୋରିଆରେ ପ୍ରାୟ ୮୩ ପ୍ରତିଶତ ଲୋକ ସହରାଞ୍ଚଳରେ ବାସ କରନ୍ତି ।ଏହାର ପ୍ରମୁଖ କାରଣ ହେଉଛି ଆମ ଦେଶ କୃଷି ପ୍ରଧାନ ହୋଇଥିବା ବେଳେ ଏସବୁ ଦେଶ ଶିଳ୍ପ ପ୍ରଧାନ । ସେଥିପାଇଁ ଆମ ମୁଣ୍ଡପିଛା ଆୟଠାରୁ ସେମାନଙ୍କର ମୁଣ୍ଡପିଛା ଆୟ ବହୁ ଉଚ୍ଚରେ । ଏପରିକି ସେମାଙ୍କର ଜୀବନ ଧାରଣର ମାନ ଆମଠାରୁ ବହୁତ ଉନ୍ନତ ।ତେଣୁ ଆମ ଦେଶ ବିକାଶମୁଖୀ ଦେଶ ରୂପେ ପରିଗଣିତ । ବିକଶିତ ଦେଶ ହେବା ପାଇଁ ଆମକୁ ଆହୁରି ଅନେକ ବାଟ ଯିବାକୁ ହେବ ।ଗୋଟିଏ ପଟେ ସୁପରପାୱାର ସ୍ୱପ୍ନ ଆମେ ଦେଖୁଥିବା ବେଳେ ଅନ୍ୟପଟେ ଦୁର୍ନୀତି,ଭ୍ରଷ୍ଟାଚାର,ଦାରିଦ୍ର୍ୟ,ବେକାରୀ ଓ ନିରକ୍ଷରତା ଭଳି ସମସ୍ୟା ଆମ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଛି ।ପରିଣାମ ସ୍ୱରୂପ, ଗୋଟିଏ ପଟେ ଉଚ୍ଛୁଳା ଭାରତର କଥା ଆମେ ବଖାଣୁ ଥିବା ବେଳେ ଅନ୍ୟପଟେ ଉଜୁଡା ଭାରତର କଥା ଆମକୁ ଉପହାସ କରୁଛି । ଏସବୁ ସମସ୍ୟାକୁ ଆମକୁ ଗମ୍ଭୀରତାର ସହ ବିଚାର କରିବାକୁ ହେବ । ବର୍ତ୍ତମାନ ମାହାମାରୀ କରୋନା ଆମ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ଶୂନ ତଳକୁ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷ ରୁ କୁହାଯାଇଛି ।ସେହିପରି ମୁଦ୍ରାସ୍ଫୀତିସ୍ତର କେଉଁ ହାରରେ ରହିବ ତାହା ମଧ୍ୟ କହିବା କଷ୍ଟ । ଏବେ ଦେଶରେ ମାନ୍ଦାବସ୍ଥା ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ‘ ଆତ୍ମନିର୍ଭର ଭାରତ ଅଭିଯାନ’ କେତେ ସଫଳ ହେବ ତାହା ସମୟ ହିଁ କହିବ । ଏଥିପାଇଁ ସାମୂହିକ ଉଦ୍ୟମ ଲୋଡା ।