ବନ୍ତଳା: ଅନୁଗୁଳ ବ୍ଲକ ଶରଧାପୁର ପଚାଂୟତର ବେତର ଗାଁ । ବଣ ଜଙ୍ଗଲ ପାହାଡ ଘେରା ମଧ୍ୟରେ ଅବସ୍ଥିତ ଗାଁ ବେତର । ଗାଁ କୁ ଯିବାକୁ ହେଲେ ଛୋଟ ଛୋଟ ୩ଟି ପାହାଡ ଓ ଦୁର୍ଗମ ରାସ୍ତା ଦେଇ ଯିବାକୁ ହେବ । ସୂଚନା ମୁତାବକ ଅନୁଗୁଳ ସଦର ମହକୁମା ଠାରୁ ପ୍ରାୟ ୩୦ କି.ମି ଓ ପଚାଂୟତ ଠାରୁ ୫ କି.ମି ଦୂରରେ ଅବସ୍ଥିତ ବେତର ଗାଁ । ଉକ୍ତ ଗ୍ରାମରେ ପ୍ରାୟ ୪୦ଟି ପରିବାର ବସବାସ କରନ୍ତି । ସମସ୍ତେ ଆଦିବାସୀ ସଂମ୍ପ୍ରଦାୟର ଏବଂ ସମସ୍ତେ ଅଶିକ୍ଷିତ । ସେମାନଙ୍କ ମୁଖ୍ୟ ଜୀବିକା କହିଲେ ବଣ ପାହାଡ ଡେଇଁ ମୂଲ ମଜୁରୀ କରିବା । ମୂଲ ମଜୁରୀ କରିବା ପାଇଁ ଆସୁଥିବା ବାଟରେ ଅନେକ ସମୟରେ ଜଙ୍ଗଲୀ ଜନ୍ତୁ ଙ୍କ ସାମ୍ନା କରିବାକୁ ପଡେ ।
ସରକାରଙ୍କ ଯୋଜନା ସତେ ଯେମିତି ସାତସପନ । ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କରିଛନ୍ତି । ସରକାରଙ୍କ ପକ୍ଷରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ଅନେକ ଯୋଜନା କରାଯାଇଛି । ଶିକ୍ଷା ବିଭାଗ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କ ପ୍ରାଥମିକ ସ୍ତରରେ ପଢ଼ିବା ପାଇଁ ସୁଯୋଗ ସୃଷ୍ଟି କରୁଥିବା ବେଳେ ଏଠି କିନ୍ତୁ “ସଭିଏଁ ପଢ଼ନ୍ତୁ,ସଭିଏଁ ବଢ଼ନ୍ତୁ” ନାରା ହୋଇ ରହିଯାଇଛି । ସ୍କୁଲ ଅଛି ହେଲେ ସରକାର ଏବେ ତାହାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ତାହାର କୋ÷ଣସି ବିକଳ୍ପ ପନ୍ଥା କରିପାରିଲେ ନାହିଁ । ତେଣୁ ତାଙ୍କର ଭବିଷ୍ୟତ ଏବେ ପାହାଡ ଘେରା ଜଙ୍ଗଲ ମଧ୍ୟରେ ଠେଲି ହୋଇଯାଇଅଛି । ଗାଁ କୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ । ପାନୀୟ ଜଳ ଯୋଗାଣ କଥା କହିଲେ ନଳକୂପ ଟିଏ ଅଛି ।
ହାତ ଗଣତି କିଛି ଲୋକ ସରକାରୀ ସହାୟତା ରେ ପକ୍କା ଘର କରିଥିବା ବେଳେ ଖରା, ବର୍ଷା, ଶୀତରୁ ରକ୍ଷା ପାଇବା ପାଇଁ ଚାଳ ଛପର ଘର ଅଛି । ହେଲେ ମଝିରେ ମଝିରେ ଜଙ୍ଗଲୀ ଜନ୍ତୁ ଗାଁ ଭିତରେ ପଶି ସେହି ଛପର ଘରକୁ ଉଜାଡି ଦିଅନ୍ତି । ସରକାରଙ୍କ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡିଆ କାହା ପାଇଁ ବୋଲି ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ ।
ସ୍ୱାସ୍ଥ୍ୟ ଅବସ୍ଥା ନ କହିବା ଭଲ । ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ବାଦ୍ର୍ଧ୍ୟକ୍ୟ ଭତା, ରାସନ କାର୍ଡ ଚାଉଳ ପାଇବା ପାଇଁ ସେହି ବଣ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଆସିଥାନ୍ତି ଶରଧାପୁର ଗ୍ରାମକୁ । ଏମାନେ ବାରମ୍ବାର ପ୍ରଶାସନ ନିକଟରେ ଯାଇ ଗୁହାରି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋଣସି ମୋଳିକ ସୁବିଧା ମିଳିପାରି ନାହିଁ ।
ଆଜି ପର୍ଯ୍ୟନ୍ତ କୋଣସି ସରକାରୀ ବାବୁଙ୍କ ପାଦ ପଡି ନଥିବା ଗ୍ରାମବାସୀ କହିଛନ୍ତି । ଖାଲି ସେତିକି ନୁହେଁ ୫ ବର୍ଷ ମଧ୍ୟରେ ଥରେ ହେଲେ ରାଜନେତାଙ୍କ ଦେଖା ମଧ୍ୟ ମିଳେ ନାହିଁ । ଦୁଃଖ ଜଣାଇବେ କାହାକୁ ବୋଲି ବେତର ଗ୍ରାମବାସୀ କହିଛନ୍ତି । ସରକାର ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଗାଁକୁ ଗମନାଗମନ ପାଇଁ ରାସ୍ତାଟିଏ ତିଆରି କରନ୍ତୁ ।