Odisha news

ଅନଲକ୍ ପରଠୁ କଟକଣା ମାନୁନାହାଁନ୍ତି ଲୋକେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଦାବୀ

0

କନ୍ଧମାଳ : ଅନଲକ୍ ପରଠୁ ଲୋକେ ପ୍ରଶାସନର କଟକଣା ମାନୁନଥିବା ଦେଖିବାକୁ ମିଳୁଛି । ଲୋକେ ଏତେ ଅମାନିଆ ହୋଇଗଲେଣି ଯେ, ମାସ୍କ ନପିନ୍ଧି କିଛି ବଜାରରେ ବୁଲୁଥିବା ବେଳେ ଆଉ କିଛି ମାସ୍କ ପିନ୍ଧିଥିଲେ ମଧ୍ୟ ତାକୁ ଖସାଇ ବୁଲୁଛନ୍ତି । ସାମାଜିକ ଦୂରତା କଥା ନକହିଲେ ଭଲ । ଦୋକାନ ବଜାରରେ ଗହଳି କରି କିଣାକିଣି କରୁଛନ୍ତି ଜିନିଷପତ୍ର । ଦୋକାନୀ ମାସ୍କ ପିନ୍ଧୁନଥିବା ବେଳେ ଲୋକେ ବି ମାସ୍କ ପିନ୍ଧୁନାହାଁନ୍ତି । ଫଳରେ କରୋନା ସଂକ୍ରମଣ ହେବାର ସମ୍ଭାବନା ବଢିଯାଇଛି ଜିଲ୍ଲାରେ । ଏପଟେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନାହିଁ । ଜୁଲାଇ ମାସରେ କରୋନା ସଂକ୍ରମଣ ଅଧିକା ହେବାର ସମ୍ଭାବନା ଥିବା ସରକାର ସୂଚନା ଦେଇସାରିଲେଣି । ବିଶେଷଜ୍ଞ ମାନେ ବି କରୋନା ସଂକ୍ରମଣ ଏହି ମାସରେ ଅଧିକା ହେବ ବୋଲି ଆକଳନ କରିଛନ୍ତି । ଏଣୁ, ଜିଲ୍ଲା ପ୍ରଶାସନ କଟକଣାକୁ କଡାକଡି କରିବା ଜରୁରୀ । ଅଧିକା ସ୍କ୍ୱାର୍ଡ ଗଠନ କରି ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ଚଢାଉ କରିବା ଆବଶ୍ୟକ । ମାସ୍କ ନପିନ୍ଧିବା ବ୍ୟକ୍ତି, ସାମାଜିକ ଦୂରତା ରକ୍ଷା କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରି ଜରିମାନା କାଟିବା ଜରୁରୀ । ହେଲେ ଗତ ମାସେ ହେଲାଣି ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଉନି । ପୋଲିସର ଚେକିଂ ମଧ୍ୟ ନାହିଁ । ଫଳରେ ଅମାନିଆ ଲୋକେ ଖୁଲମଖୁଲା ଆଇନ୍ ଉଲଙ୍ଘନ କରି ବଜାରରେ ବୁଲୁଛନ୍ତି । ରାତ୍ରୀକାଳିନ କର୍ଫ୍ୟୁକୁ ମାନୁନାହାଁନ୍ତି ଲୋକେ । ଜିଲ୍ଲାରେ ବର୍ତମାନ ସକାଳ ୭ରୁ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲା ରହୁଛି । ସନ୍ଧ୍ୟା ୭ରୁ ସକାଳ ୫ ଯାଏଁ କର୍ଫ୍ୟୁ ବଳବତର ରହିଛି । ତଥାପି ସନ୍ଧ୍ୟାରେ ଶହ ଶହ ସଂଖ୍ୟାରେ ଲୋକେ ବାଇକରେ କାରରେ, ଚାଲି ଚାଲି ମଧ୍ୟ ବୁଲୁଛନ୍ତି । ଏମାନଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଜରୁରୀ । ପୋଲିସ ସକ୍ରିୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ, ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାସହ କଟକଣା କୋହଳ ନକରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Nalco

Leave A Reply