Odisha news

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସନ୍ଧ୍ୟାରେ ଦିଲ୍ଲୀର ଡାକ୍ତରଖାନା ଗୁଡ଼ିକୁ ଅଚାନକ ପରିଦର୍ଶନ : କୋଭିଡ-୧୯ ୱାର୍ଡରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି (ସୋମବାର) ସନ୍ଧ୍ୟାରେ ଦିଲ୍ଲୀର ଡାକ୍ତରଖାନାଗୁଡ଼ିକୁ ଅଚାନକ ଯାଇ ପରିଦର୍ଶନ କରିବା ପରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ କରୋନାଭାଇରସ୍‌ ରୋଗୀଙ୍କ ଚିକିତ୍ସା କରୁଥିବା ପ୍ରତ୍ୟେକ ଡାକ୍ତରଖାନାର କୋଭିଡ-୧୯ ୱାର୍ଡରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ରୋଗୀମାନଙ୍କୁ ଉପଲବ୍ଧ ହେଉଥିବା ସ୍ୱାସ୍ଥ୍ୟସେବାର ଉପଯୁକ୍ତ ମନିଟରିଂ ହୋଇପାରିବ ଏବଂ ରୋଗୀଙ୍କ ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଶ୍ରୀ ଶାହା। ଏଥିସହ, ରୋଗୀଙ୍କୁ ନିରବଚ୍ଛିନ୍ନ ଖାଦ୍ୟ ଯୋଗାଣ ପାଇଁ ପ୍ରତି ଡାକ୍ତରଖାନାରେ ବିକଳ୍ପ କ୍ୟାଣ୍ଟିନ ସ୍ଥାପନ କରିବାକୁ ଶାହା ଦିଲ୍ଲୀ ସରକାରଙ୍କୁ କହିଛନ୍ତି।

କୋଭିଡ-୧୯ ପାଇଁ ରାଜଧାନୀ ଦିଲ୍ଲୀରେ ଚିକିତ୍ସା ସେବାର ସମୀକ୍ଷା କରିବା ପାଇଁ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ଡାକ୍ତରଖାନାକୁ ଅଚାନକ ଭାବେ ପରିଦର୍ଶନରେ ଯାଇ ଆଜି ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସୁବିଧାର ଯାଞ୍ଚ କରିଥିଲେ ମନ୍ତ୍ରୀ ଶ୍ରୀ ଶାହା। ଗସ୍ତ କାଳରେ ଗୃହମନ୍ତ୍ରୀ ବରିଷ୍ଠ ଡାକ୍ତରମାନଙ୍କୁ ଭେଟି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଏବଂ ଆଡମିଶନ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହ ଚିକିତ୍ସିତ ହେଉଥିବା କୋଭିଡ-୧୯ ରୋଗୀଙ୍କ ପାଇଁ ଉପଲବ୍ଧ ଥିବା ଚିକିତ୍ସା ସୁବିଧାର ମଧ୍ୟ ଯାଞ୍ଚ କରିଥିଲେ।

IEC 2 years
Leave A Reply