Odisha news

କୋଭିଡ-୧୯ ସହ ଜଡ଼ିତ ଘୃଣା ଭାବନାକୁ ଦୂର କରି ସଚେତନତା ବୃଦ୍ଧି ପାଇଁ ୟୁନିସେଫର ଆହ୍ଵାନ

0

ଭୁବନେଶ୍ୱର  : କରୋନା ଭାଇରସକୁ ନେଇ ସମାଜରେ ଦେଖାଦେଉଥିବା ଷ୍ଟିଗମା ବା ଘୃଣାଭାବନାକୁ ଦୂର କରିବାକୁ  ୟୁନିସେଫ ପକ୍ଷରୁ ଆଜି ଏକ ଗଣମାଧ୍ୟମ ତାଲିମ କାର୍ଯ୍ୟକ୍ରମ ଏକ େଓ୍ଵବିନାର ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହାର ଶୀର୍ଷକ ଥିଲା ‘ କୋଭିଡ ସହ ସଂପୃକ୍ତ ଲଜ୍ଜାବୋଧ ଓ ପକ୍ଷପାତିତା ହ୍ରାସ କରିବା’ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ, ୟୁନିସେଫର ଓଡ଼ିଶା ମୁଖ୍ୟ ମୋନିକା ନିଲସନ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ମୀନା ସୋମ, ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ,ୟୁନସେଫର ଯୋଗାଯୋଗ, ସହାୟତା ଓ ସହଯୋଗିତା ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ଜଣେ ପୂର୍ବତନ କୋଭିଡ ରୋଗୀ ଉପସ୍ଥିତ ରହି ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ ।

ପ୍ରାରମ୍ଭିକ ଭାଷଣ ଦେଇ ୟୁନିସେଫ ଓଡ଼ିଶା ମୁଖ୍ୟ ମୋନିକା ନିଲସନ କହିଥିଲେ ଯେ କରୋନା ନିୟନ୍ତ୍ରଣ ପାଇଁ ଥିବା ୟୁନିସେଫ ସରକାରଙ୍କ ସହ ମିଶି କାମ କରୁଛି । ତେବେ ଆମର ଫୋକସ ହେଉଛି ଜନସାଧାରଣ ବିଶେଷକରି ମହିଳା ଓ ଶିଶୁମାନଙ୍କ ଉପରେ କରୋନାର ପ୍ରଭାବକୁ କମ କରିବା । ଏହା ସହିତ ମହାମାରୀ ସମୟରେ ମହିଳା ଓ ଶିଶୁ ମାନଙ୍କୁ ନିକଟରେ ଯେପରି ଜରୁରୀ ସେବା ପହଞ୍ଚେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଉପଯୁକ୍ତ ସଚେତନତା ଓ ସୂଚନା ପ୍ରସାର କରି କରୋନା ସହ ଜଡ଼ିତ ଲଜ୍ଜାବୋଧ କିମ୍ବା ପକ୍ଷପାତିତାକୁ ଦୂର କରିବା ଉପରେ ୟୁନିସେଫ ପ୍ରାଥମିକତା ଦେଉଛି ।

ସେ କହିଛନ୍ତି ଯେ କୋଭିଡ-୧୯ ସହ ଜଡ଼ିତ ଘୃଣାଭାବନା ଏହି ମହାମାରୀ ବିରୋଧୀ ଲଢେଇରେ ଏକ  ପ୍ରତିବନ୍ଧକଭାବେ ଦେଖାଦେଇଛି । ଏପରିକି କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର,ନର୍ସ, ପରିମଳ କର୍ମଚାରୀ, ଆଶା ଓ ଅଙ୍ଗନଓ୍ଵାଡ଼ି କର୍ମୀ, ସରପଞ୍ଚ,ଏଏନଏମମାନଙ୍କୁ ମଧ୍ୟ ଘୃଣାଭାବନା ସହ ଦେଖାଯାଉଛି । କରୋନା ଲଢେଇରେ ନିଯୋଜିତ ଲୋକମାନଙ୍କ ବିରୁଦ୍ଧରେ ଘୃଣା ଭାବନା ରଖୁଥିବା ଓ ପକ୍ଷପାତିତା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଓଡ଼ିଶା ସରକାର ଦୃଢ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରିଛନ୍ତି । ବାହାର ରାଜ୍ୟରୁ ଅନେକ ପ୍ରବାସୀ ଶ୍ରମିକ ଫେରୁଥିବାବେଳେ ସେମାନଙ୍କ ପ୍ରତି ଘୃଣାଭାବନା ନରଖି ସେମାନଙ୍କୁ ସ୍ୱାଗତ କରାଯିବା ଉଚିତ । ରୋଗୀ ନୁହେଁ ରୋଗ ବିରୁଦ୍ଧରେ ଲଢେଇ ପାଇଁ ସରକାର ସଚେତନ କରୁଛନ୍ତି ।

ଏହି ଅବସରରେ ଓଡ଼ିଶା ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ଘୃଣାଭାବନା ସହ ଅଛୁଆଁ ଭାବନା ଯୋଡ଼ି ହୋଇଛି । ତେବେ କେଉଁମାନେ ଏପରି ଭାବନାର ସମ୍ମୁଖୀନ ହୁଅନ୍ତି ? ସବୁବେଳେ ସମାଜର ଦୂର୍ବଳ ବର୍ଗହିଁ ଏହାର ସମ୍ମୁଖୀନ ହୁଅନ୍ତି ଓ ସମାଜର ସବୁଠାରୁ ଦୁର୍ବଳ ବର୍ଗ ହେଲେ ମହିଳା ଓ ଶିଶୁ । ଏହାଛଡ଼ା ଧାର୍ମୀକ ଗୋଷ୍ଠୀ, ରୋଗୀ, ଶରଣାର୍ଥୀ ଓ ବିସ୍ଥାପିତମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ବେଳେବେଳେ ଅଜାଣତରେ ମଧ୍ୟ ଏପରି ଘୃଣା ଭାବନା ସୃଷ୍ଟି ହୁଏ । ଏଣୁ ଏହି ସମସ୍ୟାର ସମାଧାନ ପାଇଁ ଯୋଗାଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ ।

ଉଦାହରଣ ଦେଇ ସେ କହିଛନ୍ତି ଯେ ପ୍ରବାସୀ ଶ୍ରମିକଙ୍କୁ ସୁରତ ଫେରନ୍ତା କହି ଚିହ୍ନିତ କରାଯାଏ ତଥା ଘୃଣା ଓ ପକ୍ଷପାତ କରାଯାଏ । ଏହା ଫଳରେ ଫୋକସ ରୋଗ ଉପରୁ ହଟି ସୁରତ ଫେରନ୍ତାଙ୍କ ଉପରକୁ ଯାଏ । ଏହି ସମସ୍ୟାର ସମାଧାନ ଲାଗି ସାମ୍ବାଦିକମାନେ ସକାରାତ୍ମକ ଭୂମିକା ନିର୍ବାହ କରିପାରିବେ । ଏ ସଂପର୍କିତ ରିପୋର୍ଟିଂ ବେଳେ ସାମ୍ବାଦିକମାନେ ଦାୟିତ୍ୱବାନ ଓ ସତର୍କ ହେବା ଉଚିତ କାରଣ ଖବରକାଗଜରେ ବାହାରୁଥିବା ଖବରକୁ ଲୋକେ  ସତ ବୋଲି ଭାବନ୍ତି । ଏଣୁ ଗଣମାଧ୍ୟମ ପ୍ରତିଟି ଖବରର ସତ୍ୟତା ଅନୁସଂଧାନ କରି ତାହାକୁ ବୃହତ୍ତର ଦୃଷ୍ଟିକୋଣରୁ ବିଚାର କରିବା ଆବଶ୍ୟକ । ଖବରରେ ସତ୍ୟତା ଓ ଭାରସାମ୍ୟ ରହିବା ଜରୁରୀ ଓ ଶୀର୍ଷକ ଖବରର ସୂଚନାକୁ ଦର୍ଶାଉଥିବା ଜରୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗଣମାଧ୍ୟମର ସମାଜର ଦୁର୍ବଳବର୍ଗ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । କରୋନା ବିରୋଧୀ ଲଢେଇ ଏବେ ବି ସରିନାହିଁ ବୋଲି ସେ କହିଛନ୍ତି ।

ଏହି ଅବସରରେ ଜଣେ ପୂର୍ବତନ କରୋନା ରୋଗୀ କହିଛନ୍ତି ଯେ ସେ ଯେତେବେଳେ ସଂକ୍ରମିତ ଥିଲେ ଲୋକମାନେ ତାଙ୍କ ବିଷୟରେ ଘୃଣାର ସହ କଥାବାର୍ତ୍ତା କରୁଥିଲେ । ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଅନେକ ନକାରାତ୍ମକ କଥା ଲେଖାଯାଉଥିଲା । ଡାକ୍ତରଙ୍କ ପରାମର୍ଶରେ ସେ କିଛି ଦିନ ଧରି ନ୍ୟୁଜ ଦେଖିବା ଛାଡ଼ିଦେଲେ । ଆଜିର ପରିସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଂକ୍ରମିତଙ୍କ ପ୍ରତି ଦୟାର ଭାବନା ରଖିବା । ଏହା ଅନ୍ୟକୁ ଦୋଷ ଦେବାର ସମୟ ନୁହେଁ, ସମସ୍ତଙ୍କୁ ନିଜର ଭୂମିକା ନିର୍ବାହ କରିବାକୁ ଅଛି । ସେ ଯେପରି ଭୋଗିଥିଲେ ଅନ୍ୟମାନେ ନଭୋଗନ୍ତୁ ବୋଲି ସେ କହିଛନ୍ତି । ଏଣୁ ଲୋକମାନେ ନିୟମପାଳନ କରିବା ସହ ସାମାାଜିକ ଦୂରତ୍ୱ, ହାତ ଧୋଇବା,ମାସ୍କ ପିନ୍ଧିବା ଉଚିତ ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ମୀନା ସୋମ କହିଛନ୍ତି ଯେ ଅଧିକାଂଶ କରୋନା ମାମଲା ସାଧାରଣ ହୋଇଥାଏ । ଆମେ ମଧ୍ୟ ଅନ୍ୟ ଦେଶମାନଙ୍କ ସହ ତୁଳନା କମ କରିବା ଆବଶ୍ୟକ । ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ କହିଛନ୍ତି ଯେ ଆମେ ସକାତାତ୍ମକ ଖବର ଉପରେ ଧ୍ୟାନ ଦେବା ଆବଶ୍ୟକ । କରୋନା ବିରୋଧୀ ଲଢେଇରେ ସମସ୍ତଙ୍କ ଯୋଗଦାନ ରହିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମକୁ  ୟୁନସେଫର ଯୋଗାଯୋଗ, ସହାୟତା ଓ ସହଯୋଗିତା ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ପରିଚାଳନା କରିଥିଲେ ।

 

 

Leave A Reply

Your email address will not be published.