ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ କାର୍ଯ୍ୟରତ ଡାକ୍ତରଙ୍କ କାନକୁ କାମୁଡ଼ି ଛିଡ଼ାଇଦେଇଛନ୍ତି। ଆଜି ସକାଳେ ପୁରୁଷୋତ୍ତପୁର ନିକଟ ତାରାତାରିଣୀ ଛକର ତାରିଣୀ ମହାପାତ୍ର ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ପ୍ରସୂତୀ ପାଇଁ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ସମୟରେ ଲେବର ରୁମ ବାହାରେ ସେ ଓ ତାଙ୍କ ସମ୍ପର୍କୀୟ ଗହଳି କରିଥିଲେ। ଏଣୁ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ବାରଣ କରିଥିଲେ। କେବଳ ଏତିକି ନୁହେଁ, ସେ ଲେବର ରୁମ ଭିତରକୁ ଯିବାକୁ ମଧ୍ୟ ଉଦ୍ୟମ କରିଥିଲେ ।
ଏଥିରେ ସୁରକ୍ଷା କର୍ମୀ ଓ ଡାକ୍ତର ପ୍ରତିବାଦ କରିବାକୁ ତାରିଣୀ ହଠାତ୍ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କ ସହ ମାରପିଟ୍ କରିଥିଲେ । ପରେ ସେ ଡାକ୍ତର ସାକିଲ ଖାନଙ୍କ କାନକୁ କାମୁଡି ଛିଣ୍ଡାଇଦେବା ସହ ଅନ୍ୟ ୫ ଜଣ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ ।ଏନେଇ ଡାକ୍ତରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏମକେସିଜି ମେଡିକାଲ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ତାରିଣୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ତେବେ ଏଭଳି ଘଟଣା ସବୁବେଳେ ଦେଖିବାକୁ ମିଳୁଥିଲା ବେଳେ ମେଡିକାଲ ଛାତ୍ର ମାନେ ମେଡିକାଲ ଫାଣ୍ଡିରେ ପହଞ୍ଚି ଏହାକୁ ନିନ୍ଦା କରିବା ସହ ପ୍ରତିବାଦ କରିଥିଲେ । ଏହା ସହ ମେଡିକାଲରେ ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି ଓ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଡାକ୍ତରମାନେ ଦାବି କରିଛନ୍ତି।