ଉଦୟଗିରି : ବଡଚଣା ବ୍ଲକର ସାଉଡିଆ ପଞ୍ଚାୟତରେ ବନ୍ୟାଜଳ ଭାସି ଯାଇ ଦୁଇ ଜଣ ନିଖୋଜ ହୋଇଛନ୍ତି । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ତରଫରୁ ବ୍ୟାପକ ଖୋଜା ଖୋଜି କରାଯାଇଥିଲେ ମଧ୍ୟ ଅପରାହ୍ନ ସୁଦ୍ଧା ସେମାନଙ୍କର ପତ୍ତାମିଳିନାହିଁ । ଏହି ପଞ୍ଚାୟତ ମୁଷାଟିକିରି ଗ୍ରାମର ଅମିତ ଦାସ(୧୯) ଓ ତାର ସାନ ଭାଇ ଅସିତ ଦାସ ଗ୍ରାମ ମଧ୍ୟରୁ କୃଷ୍ଣ ଦାସପୁର-ରତ୍ନଗିରି ରାସ୍ତାକୁ ଆସୁଥିବା ସମୟରେ ବନ୍ୟାସୋ୍ରତରେ ଭାସିଯାଇଥିଲେ । ସାନ ଭାଇ ଅସିତ ଏକ ଗଛକୁ ଧରି ରହିଯାଇଥିବା ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ ମାତ୍ର ଅମିତ ପାଣିର ପ୍ରଖର ସୋତ୍ରରେ ଭାସିଯାଇଥିଲେ ।
ସେହିପରି ଏହି ପଞ୍ଚାୟତ ସାଉଡିଆ ଗ୍ରାମର କନ୍ଦ ମଳିକ (୬୫) କେଲୁଅ ନଦୀ ସୋ୍ରତରେ ଭାସିଯାଇଥିବା ଜଣାଯାଇଛି । ତେବେ ଅଗ୍ନିଶମ ବାହିନୀ ତରଫର ଅପରାହ୍ନ ପର୍ଯ୍ୟନ୍ତ ଖୋଜା ଖୋଜି କରାଯାଇଥିଲେ ମଧ୍ୟ ଉଭୟଙ୍କ ପତ୍ତାମିଳିନାହିଁ । ଏହି ପ୍ରଳୟଙ୍କରୀ ବନ୍ୟାରେ ବାଲିପଡିଆ,ସାଉଡିଆ,ଚାରିନଙ୍ଗଳ, ଗୋପାଳପୁର ଆଦି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରବିବାର ଜଳସ୍ତରରେ ହ୍ରାସ ଘଟିଛି ମାତ୍ର ଏବେବି ଅନେକ ଲୋକ ଙ୍କ ଘର ପାଣିରେ ବୁଡିରହିଛି । ଲୋକମାନେ ଘରଦ୍ୱାର ଛାଡି ଖୋଲା ଆକାଶ ତଳେ ବିଭିନ୍ନ ଉଚ୍ଛସ୍ଥାନରେ ଆଶ୍ରୟ ନେଇଛନ୍ତି ।
ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ସର୍ବନିମ୍ନ ସହୟତା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ତବେ ଏହି ପ୍ରଳୟଙ୍କାରୀ ବନ୍ୟାରେ ସମସ୍ତ କୂଅ ଓ ନଳକୂଅ ବୁଡିରହିଥିବାରୁ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ।ବାଧ୍ୟ ହୋଇ ଲୋକେ ବନ୍ୟା ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ତେବେ ବେଣିପୁର ଠାରେ ଘାଇ ସୃଷ୍ଟି ହେବାରୁ ଏହି ବ୍ଲକ ଅନ୍ତର୍ଗତ ବାଲିପଡିଆ ପଞ୍ଚାୟତର ଦେକୁରୀ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ହଠାତ ପାଣି ଆସିବା ଯୋଗୁ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ଏପରିକି ଗ୍ରାମରେ ୧୦ ଫୁଟର ପାଣି ରହିଥିବାରୁ କୋଠାଘର ଗୁଡିକ ପାଣିରେ ବୁଡିକି ରହିଛି । କଚ୍ଚାଘର ସବୁ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି । ଗ୍ରାମବାସୀ ମାନେ ବିଭିନ୍ନ ଉଚ୍ଚସ୍ଥାନରେ ଆଶ୍ରୟ ନେଇଛନ୍ତି । ତେବେ ଆଜି ବନ୍ୟାଜଳ ହ୍ରାସ ପାଉଥିବା ବେଳେ ମହାନଦୀ ଆସୁଥିବା ବନ୍ୟାଜଳ କୁ ନେଇ ବିପନ୍ନ ମାନେ ଛାନିଆ ହୋଇପଡିଛନ୍ତି । ପ୍ରଶାସନ ପକ୍ଷରୁ ବିପନ୍ନ ମାନଙ୍କୁ ତୁରନ୍ତ ଜରିପାଲ , ରିଲିଫ ଓ ଗୋଖାଦ୍ୟ ଯୋଗାଇଦେବାକୁ ଦାବି ହୋଇଛି ।