ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଅନେକ କିଛି ବଦଳି ଯାଇଛି। ବିଶେଷ କରି ବଦଳି ଯାଇଛି କର୍ମଜୀବୀମାନଙ୍କର କାମ କରିବାର ଶୈଳୀ। ଅନେକ ଅଫିସ୍ରେ ତାଲା ଝୁଲୁଥିବା ବେଳେ ଆଉ କିଛି କମ୍ପାନି ନିଜ କର୍ମଚାରୀମାନଙ୍କୁ ଘରେ ରହି କାମ କରିବା(ୱାର୍କ ଫର୍ମ ହୋମ୍) ପାଇଁ ଅନୁମତି ଦେଇଥିବା ଆପଣମାନେ ଜାଣିଥିବେ ନିଶ୍ଚୟ। ଏବେକାର ପରିସ୍ଥିତିକୁ ଦେଖିଲେ ସମସ୍ତଙ୍କ ମନରେ ଭବିଷ୍ୟତକୁ ନେଇ ଏକ ପ୍ରଶ୍ନବାଚୀ ନିଶ୍ଚୟ ରହିଛି। କେବେ ସବୁ କିଛି ସ୍ବାଭାବିକ ହେବ, କେବେ୍ ଖୋଲିବ ଲକ୍ଡାଉନ୍ ଓ କେବେ ଚାକିରିକୁ ଫେରିବେ ଲୋକେ?
କରୋନା ଭାଇରସ୍ ପ୍ରଭାବରେ ଏକ ବଡ଼ ନିଷ୍ପତ୍ତି ନେଇଛି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍। କମ୍ପାନୀ ତା’ର କର୍ମଚାରୀମାନଙ୍କୁ ଦୀର୍ଘ ଦିନ ପାଇଁ ଘରେ ରହି କାମ କରିବାକୁ ଅନୁମତି ଦେଇଥିବା ଘୋଷଣା କରିଛି। ଏହି ସୋସିଆଲ୍ ମିଡିଆ କମ୍ପାନି ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ପୂର୍ବରୁ କମ୍ପାନି ତା’ର ଅନେକ ଅଫିସ୍କୁ ଖୋଲିବ ନାହିଁ। କର୍ମଚାରୀମାନେ କାମ କରିବେ କି ନାହିଁ ସେମାନେ ନିଜେ ନିଷ୍ପତ୍ତି ନିଅନ୍ତୁ।
ଉଲ୍ଲେଖଯୋଗ୍ୟ, କମ୍ପାନିର ସିଇଓ ଜ୍ୟାକ୍ଡୋର୍ସି ପୂର୍ବରୁ ଚଳିତବର୍ଷ ମଝି ବେଳକୁ ୬ ମାସ ପାଇଁ ଆଫ୍ରିକା ଯିବାକୁ ଯୋଜନା କରିଥିଲେ। ମାତ୍ର ବିଶ୍ବରେ ଚାଲିଥିବା ଏହି ସ୍ବାସ୍ଥ୍ୟ ସଂକଟ ସମୟରେ ସେ ତାଙ୍କ ଯୋଜନା ବଦଳାଇବାକୁ ବାଧ୍ୟ ହୋଇଛନ୍ତି।
ସେପ୍ଟମ୍ବର ପୂର୍ବରୁ କୌଣସି ପ୍ରକାରର ବ୍ୟବସାୟିକ ଯାତ୍ରା ହେବ ନାହିଁ ବୋଲି ଟ୍ବିଟର୍ ପକ୍ଷରୁ କୁହାଯାଇଛି। ତେବେ, କେତେ ଜଣ କର୍ମଚାରୀଙ୍କ ୱାର୍କ ଫ୍ରମ୍ ହୋମ୍ କରିବାକୁ ଅନୁମତି ମିଳିଛି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।