ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଓଡିଶାକୁ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ଉଦ୍ୟମ କରନ୍ତୁ ମୁଖ୍ୟମନ୍ତ୍ରୀ : ପ୍ରଦୀପ୍ତ ନାଏକ
ଓଡିଶା ଭଳି ରାଜ୍ୟକୁ ଟ୍ରେନ ଚଳାଚଳରେ ସହଯୋଗ କରିବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖନ୍ତୁ ମୁଖ୍ୟମନ୍ତ୍ରୀ
ଅଟକି ରହିଥିବା ଓଡିଆ ଓ ଆବଶ୍ୟକସଂଖ୍ୟକ ରେଳ ପାଇଁ ଏକ ତଥ୍ୟ ଆଧାରିତ ପତ୍ର ଲେଖି ରେଳ ବିଭାଗକୁ ପତ୍ର ଲେଖିବାକୁ ଅନୁରୋଧ
ଓଡିଶାକୁ ଅଧିକ ମାତ୍ରାରେ ବିଶେଷ ଟ୍ରେନ୍ ବ୍ୟବସ୍ଥା କରାଗଲେ ପ୍ରବାସୀ ଭାଇ ଭଉଣୀମାନେ ଉପକୃତ ହେବେ
ଭୁବନେଶ୍ୱର, ତା.୧୭/୦୫: ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡିଆ ଶ୍ରମିକ, ଛାତ୍ର ତଥା ଅନ୍ୟାନ୍ୟ ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ଅଧିକ ଟ୍ରେନ୍ ଚଳାଚଳ ପାଇଁ ଉଦ୍ୟମ କରିବା ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ଶ୍ରୀ ନାଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କରୋନା ମହାମାରୀ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଓଡିଶାର ଅନେକ ଭାଇ ଭଉଣୀ ଅଟକି ରହିଛନ୍ତି । ଶ୍ରମିକ ଭାଇ ଭଉଣୀ, ଛାତ୍ରଛାତ୍ରୀ ଏବଂ ଅନେକ ଲୋକମାନେ କାମ କରିବାକୁ ଯାଇ ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ରାଜ୍ୟକୁ ଫେରିଆସିବା ପାଇଁ ସେମାନେ ବ୍ୟଗ୍ର । ବାରମ୍ବାର ରାଜ୍ୟ ସରକାର ତଥା ବିଭିନ୍ନ ବ୍ୟବସ୍ଥା ଦ୍ୱାରା ସେମାନେ ନିଜ ରାଜ୍ୟକୁ ଫେରିବା ପାଇଁ ମଧ୍ୟ ଆକୁଳ ନିବେଦନ କରୁଛନ୍ତି ।
ଆଜି ଦିନରେ ସଡକ ପଥରେ ଲୋକମାନେ ଆମ ରାଜ୍ୟକୁ ଫେରିବା ବିପଦ ସଂକୁଳ । ଏପରି ପରିସ୍ଥିତିରେ ସୁଦୂର ରାଜ୍ୟ ମାନଙ୍କରେ ଥିବା ଓଡିଆ ଭାଇ ଭଉଣୀ ମାନଙ୍କୁ ଆମ ରାଜ୍ୟକୁ ଫେରାଇ ଆଣିବା ପାଇଁ ରେଳ ବ୍ୟବସ୍ଥା ହିଁ ଏକମାତ୍ର ବିକଳ୍ପ । କେନ୍ଦ୍ର ସରକାର ବିଶେଷତଃ ରେଳ ବିଭାଗ ରାଜ୍ୟରେ ଥିବା ଲୋକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବିଶେଷ ବ୍ୟବସ୍ଥା କରୁଛନ୍ତି । ଏପରି ପରିସ୍ଥିତିରେ ଓଡିଶା ଭଳି ରାଜ୍ୟକୁ ଟ୍ରେନ ଚଳାଚଳରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବିଶେଷ ବ୍ୟବସ୍ଥା କରିବାକୁ ଅନୁରୋଧ କରନ୍ତୁ । କେଉଁ ରାଜ୍ୟରେ କେତେ ଓଡିଆ ଲୋକ ଅଟକି ରହିଛନ୍ତି ଓ ଏଥିପାଇଁ କେତେ ଟ୍ରେନର ଆବଶ୍ୟକତା ଅଛି ।
ଏଥିନେଇ ଏକ ତଥ୍ୟ ଆଧାରିତ ପତ୍ର ଲେଖି ଆବଶ୍ୟକସଂଖ୍ୟକ ରେଳ ପାଇଁ ରେଳ ବିଭାଗକୁ ପତ୍ର ଲେଖିବାକୁ ଅନୁରୋଧ କରିବାକୁ ଶ୍ରୀ ନାଏକ ପତ୍ର ମାଧ୍ୟମରେ କହିଛନ୍ତି ।
ଓଡିଶା ଭଳି ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଅଧିକମାତ୍ରାରେ ପ୍ରବାସୀ ଶ୍ରମିକ ଭାବରେ କାମ କରୁଛନ୍ତି । ଏପରି ପରିସ୍ଥିତିରେ ଯଦି ଓଡିଶାକୁ ଅଧିକ ମାତ୍ରାରେ ବିଶେଷ ଟ୍ରେନ୍ ବ୍ୟବସ୍ଥା କରାଯାଇପାରିବ ତେବେ ଆମର ପ୍ରବାସୀ ଭାଇ ଭଉଣୀମାନେ ଉପକୃତ ହେବେ । ଓଡିଶାରେ ଥିବା ସେମାନଙ୍କର ପରିବାର ଓ ବନ୍ଧୁ ସ୍ୱଜନମାନେ ମଧ୍ୟ ସେମାନଙ୍କୁ ନେଇ ଚିନ୍ତାରେ ଅଛନ୍ତି । ସେମାନଙ୍କୁ ଆମ ରାଜ୍ୟକୁ ଫେରାଇ ଆଣିବା ପାଇଁ ଆସନ୍ତୁ ସବୁମତେ ଉଦ୍ୟମ କରିବାକୁ ଶ୍ରୀ ନାଏକ ପତ୍ରରେ ଉଲ୍ଲେଖ କରିଛନ୍ତି ।