ଶ୍ରୀଜୟ କୁମାର ସାହୁ , ଶେରଗଡ଼, ଗଂଜାମ : ଏହା ନିସନ୍ଦେହ ଯଦି ଗୋଟିଏ ଦେଶର କ୍ଷମତାସୀନ ସରକାର ବା ରାଜନୈତିକ ଦଳର ପରିବର୍ତ୍ତନ ଘଟେ ତେବେ ସହି ପରିବର୍ତ୍ତନ ସହ ତାଳ ଦେଇ ଉକ୍ତ ଦେଶର ଆନ୍ତରିକ ରାଜନୈତିକ ପରିସ୍ଥିତି ଏବଂ ବୈଦେଶିକ ନୀତିର ମଧ୍ୟ ପରିବର୍ତ୍ତନ ଘଟିଥାଏ। ଆମେରିକାରେ ଆଉ ଆଙ୍ଗୁଠି ଗଣତି କିଛି ଦିନ ପରେ ଅର୍ଥାତ ନଭେମ୍ବର ମାସରେ ନିର୍ବାଚନ ହେବାକୁ ଯାଉଛି। ଲଢେ଼ଇ ପାଇଁ ଉଭୟ ଡେମୋକ୍ରାଟିକ ଏବଂ ରିପବ୍ଳିକାନ ପାର୍ଟି ନିଜ ନିଜର ରଣକୌଶଳ ଆରମ୍ଭ କରିସାରିଲେଣି। ପ୍ରାର୍ଥୀ ଘୋଷଣାରେ ଡେମୋକ୍ରାଟିକ ପାର୍ଟି, ରିପବ୍ଳିକାନ ପାର୍ଟି ଠାରୁ ଗୋଟିଏ ପାଦ ଆଗରେ ରହିଛି।
ଡେମୋକ୍ରାଟିକ ପାର୍ଟି ପୂର୍ବରୁ ହିଁ ଜୋ ବିଡେନ୍ ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। କିନ୍ତୁ ଦଳ ତରଫରୁ ବିଡେନ୍ ଙ୍କ ଦ୍ବାରା କିଛିଦିନ ପୂର୍ବେ ଉପରାଷ୍ଟ୍ରପତି ପଦ ପାଇଁ ଘୋଷିତ ହୋଇଥିବା ପ୍ରାର୍ଥୀନୀଙ୍କ ନାମକୁ ନେଇ ଉଭୟ ଆମେରିକା ଏବଂ ଭାରତରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। କେବଳ ସେତିକି ନୁହେଁ ଏହା ବର୍ଣ୍ଣ ବୈଷମ୍ୟ ରେ ଛନ୍ଦି ହୋଇଥିବା ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ସେହି ମହିଳା ପ୍ରାର୍ଥୀନୀଙ୍କ ନାମ ହେଉଛି କମଳା ଦେବୀ ହାରିସ୍।
୫୫ ବର୍ଷୀୟ କମଳା ହାରିସ୍ ଭାରତୀୟ-ଆମେରିକୀୟ ଅଟନ୍ତି। ଉପରାଷ୍ଟ୍ରପତି ପଦ ପାଇଁ ଟିକେଟ୍ ପାଇବାରେ ସେ ହେଉଛନ୍ତି ପ୍ରଥମ ଏସିଆ-ଆମେରକୀୟ ମହିଳା। ସେ ପ୍ରଥମ କରି ରାଜନୀତିକୁ ଆସିନାହାନ୍ତି, ବରଂ ଏହି ଘୋଷଣା ପୂର୍ବରୁ ଆମେରିକା କଂଗ୍ରେସର ଉଚ୍ଚ ସଦନ ସିନେଟ୍ ର ଜଣେ ସଦସ୍ୟ ରହିଛନ୍ତି। ଆମେରିକାର ସିନେଟ୍ ଆମ ଭାରତୀୟ ସଂସଦର ଉଚ୍ଚ ସଦନ ରାଜ୍ୟ ସଭା ଭଳି କିନ୍ତୁ ସିନେଟ ନିର୍ବାଚନ ଆମ ଲୋକ ସଭା ନିର୍ବାଚନ ଠାରୁ ମଧ୍ୟ କଷ୍ଟ। ଯଦି କମଳା ହାରିସ୍ ଆଗାମୀ ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବେ।
କମଳା ହାରିସ୍ ଙ୍କ ପିତା ଥିଲେ ଜାମାଇକା ନିବାସୀ ଡୋନାଲ୍ଡ ଜେ. ହାରିସ୍ ଏବଂ ମାତା ଥିଲେ ଶ୍ୟାମଳା ଗୋପାଲନ୍ ଯିଏକି ଭାରତର ମାଡ୍ରାସର ବାସିନ୍ଦା। ହାରିସ୍ ନିଜକୁ ଜଣେ କଳା ବର୍ଣ୍ଣ ବ୍ୟକ୍ତି ବୋଲି ବିବେଚନା କରନ୍ତି। ଏହାର କାରଣ ହେଲା ତାଙ୍କ ପିତା ଡୋନାଲ୍ଡ ହାରିସ୍ ଜାମାଇକାର ଜଣେ କଳା ବର୍ଣ୍ଣ ବ୍ୟକ୍ତି ଥିଲେ। ପିତା ମାତାଙ୍କ ମଧ୍ୟରେ ବିଚ୍ଛେଦ ହେବା ପରେ କମଳା, ମାଆଙ୍କ ଦ୍ଵାରା ଲାଳିତ ପାଳିତ ହୁଅନ୍ତି ଯାହା ଫଳରେ ତାଙ୍କ ଉପରେ ସର୍ବାଧିକ ତାଙ୍କରି ମାଆଙ୍କ ପ୍ରଭାବ ବହୁମାତ୍ରାରେ ପଡିଥିଲା। କମଳାଙ୍କୁ ଦକ୍ଷିଣ ଭାରତୀୟ ଖାଦ୍ୟ ଭାରି ପସନ୍ଦ ଲାଗେ। ଆମେରିକାର ସିନେଟର ହେବା ପୂର୍ବରୁ ସେ ଦୁଇଥର କାଲିଫର୍ଣ୍ଣିଆର ଆଟର୍ନୀ ଜେନେରାଲ ଏବଂ ତାହା ପୂର୍ବରୁ ଜଣେ ସୁନାମଧନ୍ୟ ଓକିଲ ଭାବେ କାର୍ଯ୍ୟ କରି ସାରିଛନ୍ତି।
ଡେମୋକ୍ରାଟିକ ପାର୍ଟି ଦ୍ବାରା କମଳା ହାରିସ୍ ଉପରାଷ୍ଟ୍ରପତି ପ୍ରାର୍ଥୀନୀ ହେବା ପରେ ଏହାର ପ୍ରଭାବରେ ଆମେରିକାରେ ଭାରତର ସ୍ୱାଧିନତା ଦିବସକୁ ଜୋରଦାର ଢଙ୍ଗରେ ପାଳନ କରାଗଲା। ପୂର୍ବରୁ ହାରିସ୍ ରାଷ୍ଟ୍ରପତି ପଦ ପାଇଁ ଦାବିଦାରି ଥିଲେ ସୁଧା ଦଳୀୟ ସମର୍ଥନ ନ ପାଇବାରୁ ତାଙ୍କୁ ନିଜ ଦାବିରୁ ଓହରିବାକୁ ପଡିଥିଲା। କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ଜୋ.ବିଡେନ୍ ନିଜକୁ ନିର୍ବାଚନରେ ସୁରକ୍ଷିତ କରିବା ପାଇଁ କମଳା ହାରିସ୍ ଙ୍କୁ ନିଜ ସହଯୋଗୀ ଭାବେ ତାଙ୍କ ନାମ ଉପରାଷ୍ଟ୍ରପତି ପଦ ପାଇଁ ଘୋଷଣା କରିଥିଲେ। ଯେବେଠାରୁ ହାରିସ୍ ଙ୍କ ନାମ ଘୋଷଣା ହୋଇଛି ସେବେଠାରୁ ଭାରତର ବନ୍ଧୁ କହୁଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଦ ହଜି ଯାଇଛି।
ତାହାର ଅର୍ଥ ଏହା ନୁହେଁ ଯେ ଆମେରିକାର ଆଗାମୀ ଶାସନ ଡୋରି ଉଭୟ ଜୋ ବିଡେନ୍ ଏବଂ କମଳା ହାରିସ୍ ଙ୍କ ହାତକୁ ଚାଲିଯିବ। କାରଣ ଏବେଠାରୁ ଏଭଳି ଅନୁମାନ କରାଯାଇ ପାରିବ ନାହିଁ ଯାହା ଆମେରିକାର ପୂର୍ବ ନିର୍ବାଚନ ସାକ୍ଷୀ ରହିଛି। କିନ୍ତୁ ଏହା ନିଶ୍ଚିତ ଯେ ହାରିସ୍ ଙ୍କ ନାମ ଘୋଷଣା ପରେ ଟ୍ରମ୍ପ ପ୍ରଶାସନ ଏକପ୍ରକାର ଛାନିଆ ହୋଇପଡିଛି, ଯାହାର ପ୍ରତିଫଳନ ସ୍ୱରୂପ ଭାରତୀୟଙ୍କ ଉପରେ ଟ୍ରମ୍ପ ଲାଗାଇଥିବା ଭିସା ପ୍ରତିବନ୍ଧକକୁ ଟ୍ରମ୍ପ ପ୍ରଶାସନ ତରବରିଆ ଭାବେ ଉଛେଦ କରିଛି। ଟ୍ରମ୍ପଙ୍କ ବିଜୟ ପରେ ଭାରତ-ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହେବ ବୋଲି ଭାରତୀୟ ମାନେ ଭାବୁଥିଲେ। କିନ୍ତୁ ନିଜର ସଂକୀର୍ଣ୍ଣ ରାଷ୍ଟ୍ରୀୟ ହିତ ମନୋଭାବ ଏବଂ ନିଜ ଆସନକୁ ସୁରକ୍ଷିତ କରିବା ମନୋଭାବର ପରିଚୟ ଦେଇ ସେ ଗୋରା ଲୋକମାନଙ୍କ ଭୋଟ ପାଇବା ପାଇଁ ଭାରତୀୟଙ୍କୁ ଭିସା ଅନୁମତି ଦେବାରେ ପ୍ରତିବନ୍ଧକ ଲଗାଇଥିଲେ।
ଏଥି ସହ ଭାରତ-ଆମେରିକା ପରମାଣୁ ଚୁକ୍ତିକୁ ଲଟକାଇ ରଖିବା ଟ୍ରମ୍ପଙ୍କ ଆଉ ଏକ ସଂକୀର୍ଣ୍ଣ ମନୋଭାବର ଉଦାହରଣ ଅଟେ। କିନ୍ତୁ ଭାବିବା ଭୂଲ ହେବ ଯେ ଜୋ ବିଡେନ୍ ଏବଂ କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ହେଲେ ଭାରତ ପ୍ରତି ସଂପୂର୍ଣ୍ଣ ସମର୍ପିତ ହୋଇଯିବେ। ବରଂ ସେମାନେ ମଧ୍ୟ ନିଜ ଦେଶର ସ୍ୱାର୍ଥ ଏବଂ ନିଜ ଆସନ ସୁରକ୍ଷା କଥା ପ୍ରଥମେ ଦେଖିବେ ତାପରେ ଯାଇ ଯାହା। ଯଦିଓ ଅଗଷ୍ଟ ୧୫ ଦିନ ଆମେରିକାରେ ଭାରତର ସ୍ୱାଧିନତା ଦିବସ ପାଳନ ଅବସରରେ ଭାରତକୁ ଆଶ୍ୱାସନା ଦେବା ସହ କ୍ଷମତା ପାଇଲେ ପୂର୍ବଭଳି ଭାରତ ସହ ଆମେରିକାର ସମ୍ପର୍କ ନିବିଡ ରହିବ ଏବଂ ତାହା ସହ ପ୍ରଶାନ୍ତ ମହାସାଗରରେ ଭାରତର ପୂର୍ବ ଭଳି ନେତୃତ୍ବକୁ ସମର୍ଥନ , ଚୀନ୍ ର ବିସ୍ତାରବାଦୀ ନୀତି ପ୍ରତି କଡା କାର୍ଯ୍ୟାନୁଷ୍ଠାନ, ଦକ୍ଷିଣ ଏସିଆର ଦେଶ ମାନଙ୍କୁ ଉଭୟ ବିସ୍ତାରବାଦୀ ଏବଂ ଆତଙ୍କବାଦୀ କବଳରୁ ରକ୍ଷା କରିବା ପାଇଁ ସାହାଯ୍ୟ ଓ ସହଯୋଗ ଆଦି ବିଭିନ୍ନ କାମ ହାତକୁ ନିଆଯିବ ବୋଲି ଘୋଷଣା କରିଥିଲେ। ଏହାକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ ଏହି ଆଶ୍ୱାସନା ବା ପ୍ରତିଶ୍ରୁତି ପଛରେ କମଳା ହାରିସ୍ ଙ୍କ ପ୍ରାର୍ଥିତ୍ୱର ଛାୟା ଜଳ ଜଳ ହୋଇ ଦେଖିବାକୁ ମିଳୁଛି।
ଏହା ନିଶ୍ଚିତ ଯେ କମଳା ହାରିସ୍ ଙ୍କ ପ୍ରାର୍ଥୀ ହେବା ଆମେରିକାର କଳା ବର୍ଣ୍ଣ ବ୍ୟକ୍ତି , ଭାରତୀୟ-ଆମେରକୀୟ ଏବଂ ଲାଟିନ ଆମେରିକୀୟ ଭୋଟରଙ୍କ ଉପରେ ବହୁମାତ୍ରାରେ ପ୍ରଭାବ ପକାଇବ। ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନ ଏବଂ ପିସ୍ ଏକ୍ଟିଭିଷ୍ଟ ଜର୍ଜ ଫ୍ଲୋଇଡଙ୍କ ହତ୍ଯା ଘଟଣାକୁ ଚର୍ଚ୍ଚାର ପରିସରକୁ ଆଣିଥିବା କମଳା ହାରିସ୍ ଆଜି ସେ ନିଜେ ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଭାରତରେ ମୋଦି ସରକାରଙ୍କ ଦ୍ବାରା ଜାମୁକାଶ୍ମିର ପ୍ରତି ନିଆଯାଇଥିବା ପଦକ୍ଷେପ ଏବଂ ନାଗରିକତା ସଂଶୋଧନ ଆଇନ ସହ ଅସହମତ ମନୋଭାବ ଦେଖାଇଥିବା କମଳା ହାରିସ୍ ଆସନ୍ତା କାଲି ବିଜୟୀ ହେଲା ପରେ ଭାରତ ପ୍ରତି କେଉଁ ମନୋଭାବ ଦେଖାଇବେ ତହା ଆଜିଠାରୁ କହିହେବ ନାହିଁ କିନ୍ତୁ ଏହା କହିପାରିବା ଯେ ତାଙ୍କରି ପ୍ରାର୍ଥିତ୍ୱକୁ ନେଇ ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ଆମେରିକୀୟ-ଭାରତୀୟମାନେ ବହୁ ଖୁସି ଅନୁଭବ କରୁଥିବେ ଏବଂ ଅପରପକ୍ଷରେ କଳେ ବଳେ କୌଶଳରେ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବା ତଥା ବିଭିନ୍ନ ଜାଲରେ ଛନ୍ଦି ହୋଇଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏହା ବଡ ଆହ୍ୱାନ ସୃଷ୍ଟି କରିପାରେ।