Odisha news

ସ୍ୱଚ୍ଛ ଭାରତ ଅଭିଯାନରେ ଖୋର୍ଦ୍ଧା ରେଳ ମଣ୍ଡଳ ଦ୍ୱାରା ବ୍ୟାପକ ସଫେଇ ପଦକ୍ଷେପ : ବିଶେଷ ଅଭିଯାନ କର୍ମଚାରୀ ଓ ଯାତ୍ରୀଙ୍କର ସଚେତନତା, କାର୍ଯ୍ୟାନୁଷ୍ଠାନ ଓ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେଉଛି

0

ଦେଶବ୍ୟାପୀ ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ, ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର କ୍ଷେତ୍ରାଧିକାରରେ ଏକ ବ୍ୟାପକ ସଫେଇ ଅଭିଯାନ ଆରମ୍ଭ କରିଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରେଳ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା, ସଚେତନତା ଏବଂ ସହଭାଗୀ ଦାୟିତ୍ୱର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ।

ରେଳ କର୍ମଚାରୀ, ହିତାଧିକାରୀ ଏବଂ ସଫେଇ କର୍ମଚାରୀଙ୍କ ପାଇଁ କର୍ମଶାଳା:

ପରିମଳ, ଅଳିଆ ପୃଥକୀକରଣ ଏବଂ ପରିବେଶ ଅନୁକୂଳ ନିଷ୍କାସନ ପଦ୍ଧତିରେ ସର୍ବୋତ୍ତମ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ ସଫେଇ କର୍ମଚାରୀ, ରେଳ ବ୍ୟବହାରକାରୀ ଏବଂ ରେଳ କର୍ମଚାରୀଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସଫେଇ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା । ଅଧିବେଶନରେ ରେଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବ୍ୟାପକ ସଫେଇ ଏବଂ ପ୍ରତିରୋଧକ ପଦକ୍ଷେପର ଗୁରୁତ୍ୱ ସମ୍ବନ୍ଧରେ ଗୁରୁତ୍ୱାରୋପ କରାଯାଇଥିଲା ।

ପ୍ରମୁଖ ଅଞ୍ଚଳଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ:

ଷ୍ଟେସନ୍ ପରିସର, କାର୍ଯ୍ୟାଳୟ ପ୍ରତିଷ୍ଠାନ, ରେଳ ଟ୍ରାକ୍, ପ୍ଲାଟଫର୍ମ ଏବଂ ଚଳପ୍ରଚଳ (ସର୍କୁଲେଟିଂ) ଅଞ୍ଚଳ, ରେଳ କଲୋନି ଇତ୍ୟାଦିକୁ ନେଇ ଏକ ବଡ଼ ଧରଣର ସଫେଇ ଅଭିଯାନ କରାଯାଉଛି । ରେଳମଣ୍ଡଳର ସମସ୍ତ ପ୍ରାନ୍ତରେ ରେଳ କର୍ମଚାରୀ, ହାଉସ କିପିଙ୍ଗ କର୍ମଚାରୀ ଏବଂ ସ୍ୱେଚ୍ଛାସେବକଙ୍କ ଦଳ ସଫେଇ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହ ଅଧିକ ଗୁରୁତ୍ୱାରୋପ ଥିବା ସ୍ଥାନମାନଙ୍କରେ ଏବଂ ଆବାସିକ ରେଳ ଅଞ୍ଚଳ ଗୁଡିକରେ ସମ୍ପୂର୍ଣ୍ଣ ଭାବରେ ଧ୍ୟାନଦେବାକୁ ସୁନିଶ୍ଚିତ କରାଯାଇଅଛି ।

ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ପକ୍ଷରୁ ନିବେଦନ :

ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ, ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ମେଗା ସଫେଇ ଅଭିଯାନରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିବା ସହ ସ୍ୱଚ୍ଛତା ଏକ ମିଳିତ କର୍ତ୍ତବ୍ୟ ବୋଲି ଗୁରୁତ୍ୱାରୋପ କରିଛନ୍ତି । ସେ ଯାତ୍ରୀମାନଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ, ନିର୍ଦ୍ଦିଷ୍ଟ ଡଷ୍ଟବିନ ବ୍ୟବହାର କରିବାକୁ ଏବଂ ସାର୍ବଜନୀନ ରେଳ ସ୍ଥାନଗୁଡ଼ିକରେ ଅଳିଆ ପକାଇବାରୁ ନିବୃତ୍ତ ରହିବାକୁ ଉତ୍ସାହିତ କରିଛନ୍ତି ।

ଅନବୋର୍ଡ ଯାତ୍ରୀଙ୍କୁ ପରାମର୍ଶ:

ଏହି ଅଭିଯାନର ସନ୍ଦେଶକୁ ଦୃଢ଼ କରିବା ପାଇଁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ରେଳ ଟ୍ରାକ୍ ଉପରେ ଅଳିଆ ଫିଙ୍ଗିବା ବିରୁଦ୍ଧରେ ପରାମର୍ଶ ଦିଆଯାଇଥିଲା । ଜନସାଧାରଣଙ୍କୁ ମାର୍ଗଦର୍ଶନ ଏବଂ ସଚେତନ କରାଇବା ପାଇଁ ସଚେତନତା ପୋଷ୍ଟର ଏବଂ ଘୋଷଣା ପତ୍ର ମଧ୍ୟ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରାଯିବ ସହ ଷ୍ଟେସନ ମାନଙ୍କରେ କ୍ରମାଗତ ଭାବେ ଘୋଷଣା ମାଧ୍ୟମରେ ସଚେତନତା କରାଯାଉଅଛି ।

ଥୁକ ପକାଇବା ଏବଂ ଆବର୍ଜନା ନିରୁତ୍ସାହିତ କରାଯିବା :

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଏହାର ପରିସୀମା ମଧ୍ୟରେ ସମସ୍ତ ଷ୍ଟେସନ୍, ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଥୁକିବା ଏବଂ ଅଳିଆ ପକାଇବା ବିଷୟରେ ସତର୍କତା ଏବଂ ସଚେତନତାକୁ ମଧ୍ୟ ମଜବୁତ କରୁଛି । ଏହି ଅପରିଷ୍କାର ଅଭ୍ୟାସଗୁଡ଼ିକୁ ନିରୁତ୍ସାହିତ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପରାମର୍ଶ କାର୍ଯ୍ୟକାରୀ କରାଯାଉଛି । ସ୍ୱଚ୍ଛ ଭାରତ ଲକ୍ଷ୍ୟ ସହିତ ସମନ୍ୱୟ ରଖି ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ରେଳ ପରିସରକୁ ସ୍ୱଚ୍ଛ, ସୁରକ୍ଷିତ ଏବଂ ଅଧିକ ଯାତ୍ରୀ-ଅନୁକୂଳ ଅଞ୍ଚଳ ଭାବରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ।

Nalco
Leave A Reply