ବାଲେଶ୍ବର: ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ୨ଟି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାରେ ଆମେ ଯେଉଁମାନଙ୍କୁ ହରାଇଛେ, ସେମାନଙ୍କୁ ଆଉ ପାଇପାରିବା ନାହିଁ। ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଭୟଙ୍କର ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ପ୍ରମାଣିତ ହେବେ, ସମୋନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାନଗାରେ ଦୁର୍ଘଟଣାସ୍ଥଳ ଏବଂ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଓଡ଼ିଶା ସରକାର ପାଖରେ ଯେତିକି ବ୍ୟବସ୍ଥା ଥିଲା, ତାହାରି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇଛି। ସେମାନେ ସଂକଟ ସମୟରେ ବହୁ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ସଂକଟ ସମୟରେ ସାଧାରଣ ଜନତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଯୁବବର୍ଗ ରାତିସାରା କାମ କରିଥିଲେ। ଏଠାକାର ନାଗରିକ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି। ସାଧାରଣ ଜନତା ଡାକ୍ତରଖାନାକୁ ଯାଇ ଆହତମାନଙ୍କ ପାଇଁ ରକ୍ତଦାନ କରିଛନ୍ତି। ରେଳବାଇ ନିଜର ପୂରା ଶକ୍ତି ଲଗାଇଛି। ଯାତାୟତ କାମ ଶୀଘ୍ର କରାଯିବା ପାଇଁ ପଦକ୍ଷେପ ନେଇଛି। ପୂରା ଘଟଣାସ୍ଥଳ ବୁଲିଛି। ହସ୍ପିଟାଲରେ ଆାହତଙ୍କୁ ଭେଟିଛି। ଘଟଣା ସଂପର୍କରେ କହିବାକୁ ମୋ ପାଖରେ ଶବ୍ଦ ନାହିଁ। ପରମାତ୍ମା ସମସ୍ତଙ୍କୁ ଶକ୍ତି ଦିଅନ୍ତୁ। ଆମେ ସମସ୍ତେ ପ୍ରାଥର୍ନା କରିବା, ଦୁର୍ଘଟଣାଗ୍ରସ୍ତ ଲୋକେ ଶୀଘ୍ର ସୁସ୍ଥ ହୁଅନ୍ତୁ।