ତିହିଡି (jadumani panigrahi) : ତିହିଡି ଅଞ୍ଚଳରେ ସଂପ୍ରତି ଉଭୟ ଦେଶୀ ଓ ବିଦେଶୀ ମଦର ଅବାଧ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ତିହିଡି ବଜାରରେ ଗୋଟିଏ ଦେଶୀ ଓ ବିଦେଶୀ ମଦ ଦୋକାନ ରହିଥିବା ବେଳେ କିଛି ଅସାଧୁ ପ୍ରକୃତିର ଲୋକଜଏଠାରୁ ମଦ କିଣି ଗାଁ ଗହଳରେ ଲୁଚାଚୋରାରେ ବିକ୍ରି କରୁଥିବା ଜଣାଯାଇଛି । ସେହିପରି ହେରୋଇନ ଓ ବ୍ରାଉନସୁଗାର ଭଳି ନିଶା କାରବାର ବି ରୀତିମତ ଚାଲିଥିବା ବେଳେ ଯୁବ ବର୍ଗଙ୍କ ମଧ୍ୟରେ ଏହାର ଆଦର ବଢିବାରେ ଲାଗିଛି । ଏବେ ରାଜ୍ୟ ତଥା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁଦିନ ବଢିବାରେ ଲାଗିଥିବା ବେଳେ ପୋଲିସ ପ୍ରଶାସନ ଲୋକଙ୍କୁ ସତର୍କ କରାଇବା ସହ ନିହାତି କାମ ନଥିଲେ ଘରେ ରହିବାକୁ ପରାମର୍ଶ ଦେଉଛି । ଏସବୁ କାର୍ଯ୍ୟରେ ପ୍ରାୟତଃ ବ୍ୟସ୍ତ ରହୁଛି ।
ଆଉ ଏହାର ସୁଯୋଗରେ ଚୋରା ମଦ ବେପାରୀ ମାନେ ଗାଁ ଗହଳିରେ ମଦ ବେପାର କରି ପରିସ୍ଥିତିକୁ ଅଶାନ୍ତ କରୁଛନ୍ତି । ଗତ ପ୍ରାୟ ୪ ମାସ ହେଲା ସର୍ବତ୍ର ଲକଡାଉନ ଜାରି ରହିଥିବା ବେଳେ ଗାଁ ଗହଳିର ଗରିବ ଲୋକେ ଆର୍ଥିକ ଭାବେ ଦୁର୍ବଳ ହୋଇ ପଡିଛନ୍ତି । ସେହିପରି ପ୍ରବାସୀ ଓଡିଆ ମାନେ କାମଧନ୍ଦା ହରାଇ ଏବେ ଘରେ ରହୁଛନ୍ତି । ଏପରିସ୍ଥିତିରେ ଗାଁ ଗହଳିରେ ଚୋରା ମଦ କାରବାର ବଢିବା ଯୋଗୁଁ ଲୋକେ ଏହା କବଳରେ କବଳିତ ହେଉଛନ୍ତି । ଫଳରେ ସେମାନଙ୍କ ପରିବାରର ସ୍ତ୍ରୀ ପିଲା ମାନେ ବିଭିନ୍ନ ଦୃଷ୍ଟିରୁ ଅବହେଳାର ଶିକାର ହେଉଛନ୍ତି । ତିହିଡି ବଜାର ସମେତ ଆଖପାଖ ଗାଁରେ ଥିବା କେତେକ ଦୋକାନୀ ମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବିକିବା ବଦଳରେ ମଦ କାରବାର କରି ଅଧିକ ରୋଜଗାର କରିବାକୁ ଲକ୍ଷ୍ୟ ରଖୁଛନ୍ତି । ଜିଲ୍ଲା ଅବକାରୀ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ତନାଘନା କରିବାକୁ ସାଧାରଣରେ ଦାବି ହେଉଛି ।
