Odisha news

ବର୍ଷାଜଳ ଜମାଟ ବାନ୍ଧି ଚାଷ ଜମି ନଷ୍ଟ ହେଉଥିବା ଅଭିଯୋଗ

0

ତିହିଡି, ୦୨/୦୯ ( ଯଦୁମଣି ପାଣିଗ୍ରାହୀ ): ବନ୍ୟା ନୁହେଁ ବରଂ ବର୍ଷା ଜଳ ଜମାଟ ବାନ୍ଧି ଚାଷ ଜମି ନଷ୍ଟ ହେବାକୁ ଯାଉଛି । ବିଗତ ୫ ଦିନ ଧରି ଏପରି ଅବସ୍ଥା ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗାଁ ଦେଇ ଲମ୍ବିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକରେ ଆବଶ୍ୟକୀୟ କଲଭର୍ଟ ନଥିବାରୁ ତଳମୁଣ୍ଡକୁ ଏହି ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବା ଅଭିଯୋଗ କରିବା ସହିତ ରାସ୍ତା କାଟିବାକୁ ଆଗେଇ ଆସିଥିଲେ । ମାତ୍ର ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଚାଷୀ ମାନେ ଏହାକୁ ସ୍ଥଗିତ ରଖିଛନ୍ତି । ଏମିତି ଘଟଣା ଘଟିଛି ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଝିଙ୍କିରିଆ ଗ୍ରାମରେ । ଏହି ଗାଁ ସମେତ ତାରାଚାନ୍ଦବିନ୍ଧା ଚାଷ ଜମିରେ ସଂପ୍ରତି ୩ ଫୁଟର ବର୍ଷା ଜଳ ଜମି ରହିଛି ।

ଏହି ଅଞ୍ଚଳକୁ ବନ୍ୟା ଜଳ ପ୍ରବେଶ କରିନଥିଲେ ମଧ୍ୟ ସାହାପୁରରୁ କଣ୍ଡରାଗଡିଆ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକରେ ଆବଶ୍ୟକୀୟ କଲଭର୍ଟ ନଥିବାରୁ ଜଳ ନିଷ୍କାସନ ହୋଇପାରୁନଥିବା କୁହାଯାଉଛି । ଚଳିତ ବର୍ଷ ଲୋକେ ଧାର କରଜ କରି ତଥା ସମବାୟ ସମିତିରୁ ଋଣ ନେଇ ଧାନ ·ଷ କରିଥିଲେ । ମାତ୍ର ଏହି ବର୍ଷା ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହେବାକୁ ଯାଉଛି ।

ଏଥି ସହିତ ଝିଙ୍କିରିଆ ଗାଁଟି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣରୁପେ ବିଛିନ୍ନ ହୋଇଥିବା ଜଣାଯାଇଛି । ଏହି ଗାଁର ଉତ୍ତର ଓ ପୂର୍ବ ଦିଗରେ ଚିଙ୍ଗୁଡି ଘେରିଥିବା ନେଇ ବର୍ଷା ଜଳ ଏହି ଅଞ୍ଚଳ ଦେଇ ନିଷ୍କାସନ କରିବା ଲାଗି ରାସ୍ତା ନିର୍ମାଣ ସମୟରେ ଚଞ୍ଚକତା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହିତ ଏହି ରାସ୍ତା କାଟିବାକୁ ଉଦ୍ୟମ କରିଥିଲେ । ଖବର ପାଇ ସରପଞ୍ଚ ଏହା ଉପରେ ହସ୍ତକ୍ଷେପ କରିବା ସହିତ ବିଭାଗୀୟ କର୍ମକର୍ତ୍ତା, ତହସିଲ ପ୍ରଶାସନ ଓ ସ୍ଥାନୀୟ ପୋଲିସଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ସହ ଏକ ବୈଠକ ହୋଇଥିଲା । ଗୁରୁବାର ମଧ୍ୟରେ ବିଭାଗ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି । ତେବେ ଏଥିରେ ବ୍ୟତିକ୍ରମ କରାଗଲେ ·ଷ ଜମିର ସୁରକ୍ଷା ପାଇଁ ସଂପୃକ୍ତ ରାସ୍ତା କାଟିବାକୁ ଲୋକେ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି ।

Leave A Reply