Odisha news

ସାହାପୁର ବଜାରରେ ବଡ ଧରଣର ଡକାୟତି : ବନ୍ଧୁକ ଓ ଛୁରି ଦେଖାଇ ନଗଦ ୩ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍

0

ତିହିଡି,୦୧/୦୪(ଯଦୁମଣି ପାଣିଗ୍ରାହୀ): ବନ୍ଧୁକ ଓ ଛୁରି ଦେଖାଇ ଗୃହକର୍ତ୍ତା ଓ ତାଙ୍କ ସ୍ତ୍ରୀଙ୍କୁ ଭୟଭୀତ କରିବା ସହିତ ନଗଦ ୩ ଲକ୍ଷ ଟଙ୍କା ଓ ପ୍ରାୟ ୧୫ ଲକ୍ଷ ଭଳି ଟଙ୍କାର ସୁନାଗହଣା ଦୁର୍ବୃର୍ତ୍ତମାନେ ଲୁଟି ନେଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ପୀରହାଟ ଥାନା ଅନ୍ତର୍ଗତ ସାହାପୁର ବଜାରରେ । ଘଟଣାରୁ ପ୍ରକାଶ ଯେ, ବାମନବିନ୍ଧା ପଞ୍ଚାୟର ବିଲବାମନବିନ୍ଧା ଗାଁର ସ୍ୱର୍ଗତ ନିରଞ୍ଜନ ପାଢୀଙ୍କ ପୁଅ ଚିତ୍ତରଞ୍ଜନ ପାଢୀ ସାହାପୁର ବଜାରରେ ଥିବା ଘରେ ନିଜ ପରିବାର ଓ ମାଆଙ୍କ ସହ ରହୁଥିଲେ । ସୋମବାର ରାତିରେ ସେମାନେ ସମସ୍ତେ ଖାଇପିଇ ଶୋଇଥିଲେ । ତେବେ ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ସମୟରେ ମୁହଁରେ କଳା କପଡା ବାନ୍ଧିଥିବା ୬ ଜଣ ଦୁର୍ବୃର୍ତ୍ତ ଘରର ପଛପଟୁ ଏକ ଶିଢି ସହାୟତାରେ ଛାତକୁ ଚଢିବା ସହିତ ଶିଢିଘରର କବାଟ ଖିଡିକ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ଚିତ୍ତରଞ୍ଜନ, ତାଙ୍କ ସ୍ତ୍ରୀ ଓ ପିଲା ଶୋଇଥିବା ଘରର କବାଟ ମୁକୁଳା ଥିବାରୁ ଦୁର୍ବୃର୍ତ୍ତ ମାନେ ପ୍ରଥମେ ସେଠାରେ ପ୍ରବେଶ କରିବା ସହିତ ସେମାନଙ୍କ ମୁହଁକୁ କପଡାରେ ବାନ୍ଧି ଦେଇଥିଲେ । ପରେ ସେମାନେ ପଲଙ୍କ ଉପରେ ପଡିଥିବା ଉଭୟଙ୍କ ମୋବାଇଲକୁ ତଳେ କଚାଡି ଭାଙ୍ଗିଦେବା ସହିତ ଚିତ୍ତରଞ୍ଜନଙ୍କ ଗୋଡକୁ ଏକ ରଡରେ ଆଘାତ କରିଥିଲେ । ଉଭୟଙ୍କ ବେକରେ ବନ୍ଧୁକ ଓ ଛୁରି ଲଗାଇ ସେମାନେ ଆଲମାରି ଚାବିକାଠି ମାଗିଥିଲେ । ଡ୍ରେସିଂ ଟେବୁଲ ଡ୍ରୟାରରେ ଥିବା ଚାବିକାଠି ଆଣି ଆଲମାରି ଖୋଲିବା ସହିତ ସେଠାରେ ଥିବା ନଗଦ ୩ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ । ପରେ ଚିତ୍ତରଞ୍ଜନଙ୍କ ସ୍ତ୍ରୀ ଶାନ୍ତିଲତା ପିନ୍ଧିଥିବା ସମସ୍ତ ସୁନା ଅଳଙ୍କାର ଲୁଟି ନେବା ସହିତ ତାଙ୍କ ମାଆ ବାସନ୍ତୀ ଶୋଇଥିବା ଘରକୁ ଯାଇଥିଲେ । ସେଠାକୁ ଯାଇ ସେ ପିନ୍ଧିଥିବା ସୁନା ଗହଣା ଲୁଟି ନେବା ସହିତ ସମସ୍ତଙ୍କୁ ସେହି ଘରେ ପୂରାଇ ବାହାର ପଟୁ କବାଟ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଦୁର୍ବୃର୍ତ୍ତ ମାନେ ଚାଲିଯିବା ପରେ ମାଆ ବାସନ୍ତୀ ଘଟଣା ସମ୍ପର୍କରେ ନିଜ ମୋବାଇଲରେ ଗାଁରେ ରହୁଥିବା ଦେଢଶୁର ଓ ଦିଅରଙ୍କୁ ଫୋନ କରି ଜଣାଇଥିଲେ । ସେମାନେ ଆସି କବାଟ ଖୋଲି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଚିତ୍ତରଞ୍ଜନ ରାତିରେ ଏ ସମ୍ପର୍କରେ ପୀରହାଟ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ । ସେହିପରି ଆଜି ଅପରାହ୍ଣରେ ପୋଲିସ ସାଇଣ୍ଟଫିକ ଟିମ୍ ଓ କୁକୁର ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାଯାଇଛି । ଏଥିନେଇ ପୀରହାଟ ଥାନାରେ ଏକ ମାମଲା ନଂ- ୮୪/୨୫ ରୁଜୁ କରାଯାଇଛି ।

Leave A Reply