ତିହିଡି, ୦୨/୦୯( ଯଦୁମଣି ପାଣିଗ୍ରାହୀ ): ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ସେବା ସମବାୟ ସମିତି ଅଧିନସ୍ଥ ଗୁରୁଦାସପୁର, ନରେନ୍ଦ୍ରପୁର, ଛତ୍ରପଦା ଓ କଇଁଫୁଲିଆ ଆଦି ୪ଟି ମୌଜାର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି । ଏହି ସବୁ ମୌଜାର ଚାଷୀ ମାନେ ସମବାୟ ସମିତିରେ ଫସଲ ବୀମା ଅର୍ଥ ଜମା କରି ସାରିଛନ୍ତି । ମାତ୍ର ସରକାରଙ୍କ ଅନଲାଇନ ପୋର୍ଟାଲ(ଭୂଲେଖ)ରେ ସେମାନଙ୍କର ମୌଜା ଗୁଡିକ ସ୍ଥାନ ପାଇ ପାରି ନଥିବାରୁ ସେମାନେ ଏଥିରେ ସାମିଲ ହୋଇ ପାରୁନାହାନ୍ତି ।
ଚଳିତ ବନ୍ୟାରେ ଏହି ଚାଷୀ ମାନଙ୍କର ବ୍ୟାପକ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନେ ବୀମା ଯୋଜନାରେ ସାମିଲ ହୋଇ ପାରି ନଥିବାରୁ କ୍ଷତିପୂରଣ ବାବଦକୁ ବୀମା ସହାୟତା ରାଶି ପାଇପାରିବେ ନାହିଁ । ଏଥିପାଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀମାନେ ଏଥିନେଇ ସମବାୟ ସମିତି ମାଧ୍ୟମରେ ତିହିଡି ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରି ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି । ଆଦିକନ୍ଦ ସାମଲ, ଲକ୍ଷ୍ମୀଧର ମାଝି, ସୁଦର୍ଶନ ନାୟକ, ଶଶଧର ନାୟକ, ମହେନ୍ଦ୍ର ପଣ୍ଡା, ପ୍ରତିମା ପଣ୍ଡା, ସୁରେନ୍ଦ୍ର ମାଝି, ଦେବେନ୍ଦ୍ର ପଣ୍ଡା, ବିଭୂତି ଭୂଷଣ ବେହେରା ପ୍ରମୁଖ ବହୁ ଚାଷୀ ସମବାୟ ସମିତିରେ ପହଞ୍ଚି ଏହି ଦାବି ପତ୍ର ପ୍ରଦାନ କରିଥିଲେ ।
