ତିହିଡି,୨୩/୦୨(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଆଜି ଅଚାନକ ତିହିଡି ବ୍ଲକ ଅନ୍ତର୍ଗତ ହରସିଂହପୁର ଧାନ ମଣ୍ଡି ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ବେଳେ ସେ ଏଠାକାର ସରସ୍ୱତୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କ୍ରୟ କରାଯାଇଥିବା ଧାନ ମିଲକୁ ଯାଇନପାରି ପଡି ରହିଥିବା ଦେଖିବାକୁ ପାଇଥିଲେ । ପରେ ସେ ମିଲରଙ୍କୁ ଫୋନ କରି ତୁରନ୍ତ ସେଠାରୁ ଧାନ ଉଠାଇବାର ବ୍ୟବସ୍ଥା କରାଇଥିଲେ । ହରସଂହପୁର ସରପଞ୍ଚ ଅଜୟ ମହାନ୍ତି ଓ ଯୁବନେତା ସଂଗ୍ରାମ ମହାନ୍ତି ଘଟଣାସ୍ଥଳରେ ରହି ଜିଲ୍ଲାପାଳ ଶ୍ରୀ ରାଉତରାୟଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ରାଉତରାୟ ଛୁଟି ଦିନରେ ବି ଏଭଳି ମଣ୍ଡି ପରିଦର୍ଶନରେ ଆସିବା ଘଟଣା ଚାଷୀଙ୍କ ମନୋବଳକୁ ଦୃଢ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବର୍ଷା ପବନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚାଷୀ, ସମବାୟ ସମିତି ଓ ମହିଳାଗୋଷ୍ଠୀଙ୍କୁ ଧାନ କ୍ରୟ ସ୍ଥଗିତ ରଖିବା ସହିତ ମଣ୍ଡିରେ ଖୋଲାମେଲାରେ ପଡି ରହିଥିବା ଧାନ ବସ୍ତା ଗୁଡିକ ଯେପରି ସୁରକ୍ଷିତ ରହିବ ସେ ଦିଗରେ ସଚେତନ ରହିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ଏଭଳି ସ୍ଥିତିରେ ବ୍ଲକର ବିଭିନ୍ନ ସମବାୟ ସମିତି ଓ ମହିଳାଗୋଷ୍ଠୀଙ୍କ ପକ୍ଷରୁ ଚାଷୀଙ୍କ ଠାରୁ କ୍ରୟ କରାଯାଇଥିବା ଧାନକୁ କିଛି ମିଲର ମଣ୍ଡିରୁ ଉଠାଇ ନେଇଥିବା ବେଳେ ଆହୁରି ଅନେକ ମଣ୍ଡିରେ ଧାନ ବସ୍ତା ଗୁଡିକ ଏବେ ବି ବାହାରେ ଖୋଲାମେଲାରେ ପଡିରହିଛି ।