ତିହିଡି,୨୦/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ପୋଲିସ ଜଣେ ପେଷାଦାର ଏଟିଏମ୍ ଚୋରକୁ ଗିରଫ କରିଛି । ତା’ ନିକଟରୁ ନଗଦ୨୦ ହଜାର ଟଙ୍କା ଓ ବିଭିନ୍ନ ବ୍ୟାଙ୍କର ୬ଟି ଏଟିଏମ୍ କାର୍ଡକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛି ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅନ୍ତର୍ଗତ ଚମ୍ପେଇପାଳ ଗାଁର ସୂର୍ଯ୍ୟମଣି ସାମଲଙ୍କ ପୁଅ ପ୍ରମୋଦ ସାମଲ(୨୮) । ସୂଚନାରୁ ପ୍ରକାଶ ଯେ, ଗତ ୨୦୨୪ ମସିହା ସେପ୍ଟେମ୍ବର ମାସ ୨ ତାରିଖରେ ସ୍ଥାନୀୟ ମଙ୍ଗରାଜପୁର ଗାଁର ରମାକାନ୍ତ ରାଉଳ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ନଂ-୩୯୮/୨୪ ରୁଜୁ କରି ତଦନ୍ତ ଜାରି ରଖିଥଲା । ପ୍ରକାଶ ଯେ, ରମାକାନ୍ତ ସେପ୍ଟେମ୍ବର ୧ ତାରିଖ ଦିନ ମଙ୍ଗରାଜପୁର ଛକସ୍ଥିତ ଏସବିଆଇ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇ ବାରମ୍ବାର ଅସଫଳ ହେବାରୁ ସେଠାରେ ଉପସ୍ଥିତ ପ୍ରମୋଦ ତାଙ୍କୁ ଏଥିରେ ସହାୟତା କରିଥିଲେ । ଏହି ଆଳରେ ପ୍ରମୋଦ ରମାକାନ୍ତଙ୍କ ସିକ୍ରେଟ ନମ୍ବରଟିକୁ ପଚାରି ବୁଝିନେବା ସହିତ କୌଶଳ କ୍ରମେ ଅନ୍ୟ ଏକ ଏଟିଏମ କାର୍ଡ ରମାକାନ୍ତଙ୍କୁ ଧରାଇ ଦେଇ ରମାକାନ୍ତଙ୍କ ଏଟିଏମ କାର୍ଡକୁ ନେଇ ଘଟଣାସ୍ଥଳରୁ ପଳାଇଥିଲା । କିଛି ଘଣ୍ଟା ବ୍ୟବଧାନରେ ତାଙ୍କ ଏକାଉଣ୍ଟରୁ ୯୭ ହଜାର ୫ଶହ ଟଙ୍କା ଉଠାଣ ହୋଇଥିବା ରମାକାନ୍ତ ଜାଣିବାକୁ ପାଇଥିଲେ । ପରେ ସେ ଥାନାରେ ଏଥିନେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗ ଆଧାରରେ ସେଠାରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବା ସହିତ ସେହି ସମୟରେ ସେଠାରେ ଉପସ୍ଥିତ ଅଭିଯୁକ୍ତ ପ୍ରମୋଦକୁ ଚିହ୍ନିବାରେ ସମର୍ଥ ହୋଇଥିଲେ । ପରେ ପୋଲିସ ଅଧିକ ତଦନ୍ତ କରି ପ୍ରମୋଦର ଠିକଣା ଓ ତା’ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରି ତାକୁ ତା’ ଘରୁ ଧରିବାରେ ସଫଳ ହୋଇଛି । ପ୍ରମୋଦ ନାଁରେ ପୂର୍ବରୁ ପ୍ରାୟ ୧୫ଟି ଏଟିଏମ ଚୋରି ମାମଲା ରହିଥିବା ପୋଲିସ ସୂଚନାରୁ ଜଣାଯାଇଛି ।