Odisha news

ଚାଲାଣ ଉଦ୍ଦେଶ୍ୟରେ ଥିବା ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପୋଲିସ

0

ତିହିଡି, ୧୨/୧୨(ଯଦୁମଣି ପାଣିଗ୍ରାହୀ): ବେଆଇନ ଚାଲାଣ ବେଳେ ପୁରୁଣାବଜାର ମୁସଲମାନ ବସ୍ତିରୁ ଧରା ପଡିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ୨୦ ଗାଈ ସହ ୨ ଷଣ୍ଢକୁ ଉଦ୍ଧାର କଲା ପୀରହାଟ ପୋଲିସ । ରାତିରେ ଗୋରୁ ବୋଝେଇ କରି ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଧରିବାରେ ସକ୍ଷମ ହୋଇଛି । ପୋଲିସକୁ ଦେଖି ଚାଳକ ସମେତ ମାଫିଆମାନେ ମଧ୍ୟ ଫେରାର୍ ହୋଇ ଯାଇଥିଲେ । ଏକ ଛୋଟିଆ ପିକ୍‌ଅପ୍ ଭ୍ୟାନ୍‌ରେ ୨୨ଟି ଗୋରୁ ଲଦା ହୋଇଥିଲେ । କୌଣସି ପରିସ୍ଥିତିରେ ସଂପୃକ୍ତ ଗାଡିକୁ ଥାନାକୁ ଆଣି ସ୍ଥାନୀୟ ଯୁବଗୋଷ୍ଠୀଙ୍କ ସହଯୋଗରେ ତଳକୁ ଉହ୍ଲାଇ ଦେଇଥିଲେ । ତେବେ ଅତି ଦୟନୀୟ ଅବସ୍ଥାରେ ଗୋରୁମାନେ ଛନ୍ଦିହୋଇ ଗାଡିରେ ଥିଲେ । କେତେକଙ୍କୁ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଥିବା ପରିଲକ୍ଷିତ ହୋଇଛି । ସେମାନଙ୍କୁ ଖାଦ୍ୟ ଓ ପାଣି ଦେଇ ସୁସ୍ଥ ହେବାପରେ ମଇତାପୁର ଗୋଶାଳାରେ ଛଡା ଯାଇଥିବା ଆଇଆଇସି ଅଜୟ ମୁର୍ମୁଙ୍କ ଠାରୁ ସୂଚନା ମିଳିଛି । ଏନେଇ ସଂଗୀନ ଦଫାରେ ଥାନାରେ ଏକ ମାମଲା ୨୬୬/୨୪ ରୁଜୁ କରା ଯାଇଛି । ତେବେ ଯେଉଁ ବ୍ୟକ୍ତିଙ୍କ ଘର ନିକଟରେ ଉକ୍ତ ଗୋରୁ ବୋଝେଇ ଗାଡି ଛିଡା ହୋଇଥିଲା ତାଙ୍କୁ ଓ ଆଖପାଖ ଲୋକଙ୍କୁ ଜେରା କରାଯିବ ଏବଂ ତଥ୍ୟ ମିଳିବା ପରେ ଚାଲାଣକାରୀଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି । ଭଦ୍ରକ-ଚାନ୍ଦବାଲି ରାସ୍ତା ଦେଇ ଦୈନିକ ଗୋରୁ ବାହାରକୁ ଚାଲାଣ ହେଉଛି । କେତେକ ସ୍ଥଳରେ ପୋଲିସ ହାତରେ ଧରା ପଡୁଛି ତ ଆଉ କେତେକ ପୋଲିସ ଆଖିରେ ଧୂଳିଦେଇ ଖସି ପଳେଇ ଯାଉଛନ୍ତି ।

Leave A Reply