Odisha news

ଧାନ କ୍ରୟ ପୂର୍ବରୁ ମଣ୍ଡି ଯାଞ୍ଚ କଲା ବ୍ଲକ ପ୍ରଶାସନ

0

ତିହିଡି, ୨୯/୧୧(ଯଦୁମଣି ପାଣିଗ୍ରାହୀ): ଆସନ୍ତା ଡିସେମ୍ବର ୨୭ରୁ ସରକାରୀ ଭାବେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ । ତିହିଡି ବ୍ଲକର ୧୬ ଗୋଟି ସୋସାଇଟି ମଧ୍ୟରୁ ଚଳିତ ବର୍ଷ କେବଳ ଗୁଆମାଳ ସୋସାଇଟକୁ ଛାଡି ବାକି ୧୫ଟି ସୋସାଇଟି ଧାନ କ୍ରୟ କରିବେ । ଏହି ସବୁ ସୋସାଇଟିକୁ ବାଦ ଦେଲେ ମହିଳାଗୋଷ୍ଠୀଙ୍କ ପକ୍ଷରୁ ବି ଧାନ କ୍ରୟ କରାଯିବ । ତେବେ ଏଥିନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ଜଣାଯାଇଛି । ଧାନ କ୍ରୟ ପୂର୍ବରୁ ସୋସାଇଟି ଗୁଡିକୁ ତିହିଡି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ବିଡିଓ ଜ୍ୟୋତିର୍ମୟ କର ଓ ବ୍ଲକ ଯୋଗାଣ ନିରୀକ୍ଷକ ପ୍ରୀତିଶ ସାମଲ ପରିଦର୍ଶନ କରିବା ସହିତି ସୋସାଇଟି ଗୁଡିକର ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ସୋସାଇଟି ଗୁଡିକରେ ନିଜସ୍ୱ ଗୋଦାମ ଗୃହ, ଧାନ ରଖିବାକୁ ପିଣ୍ଡି ଓ ପାନୀୟ ଜଳର ଆଦିର ସୁବିଧା ଅଛି କି ନାହିଁ ତାହା ଅଧିକାରୀ ମାନେ ଯାଞ୍ଚ କରିଥିଲେ । ବିଡମ୍ବନାର ବିଷୟ ହେଉଛି କିଛି ସୋସାଇଟିରେ ଗୋଦାମ ଘର ନଥିବାରୁ ଚାଷୀଙ୍କ ଠାରୁ କ୍ରୟ କରାଯାଇଥିବା ଧାନ ରଖିବା ଲାଗି ସମସ୍ୟା ସୃଷ୍ଟି ହେଉଛି । ତିହିଡି ବ୍ଲକର ଆରସା, ନିଶ୍ଚନ୍ତପୁର, ବାରସର, ବିଲଣା, ପାଳିଆ ଓ ଶ୍ୟାମସୁନ୍ଦରପୁର ସୋସାଇଟିରେ ଗୋଦାମ ଘର ନଥିବା ଏହି ପରିଦର୍ଶନ କାଳରେ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ଟି ସୋସାଇଟି- ବିଲଣା, ଶ୍ରାମସୁନ୍ଦରପୁର ଓ ନିଶ୍ଚନ୍ତପୁରରେ ସ୍ଥାୟୀ କଂକ୍ରିଟ ପିଣ୍ଡି ନିର୍ମାଣ କରାଯିବାକୁ ନିଷ୍ପତ୍ତି କରାଯାଇଥିଲା । ତେବେ ଶ୍ୟାମସୁନ୍ଦରପୁର ସୋସାଇଟିରେ ନିଜସ୍ୱ ଜାଗା ନଥିବାରୁ ଏହାକୁ ପରେ ବାତିଲ କରି ଦିଆଯାଇଛି । ଏହି ପିଣ୍ଡି ନିର୍ମାଣ କରାଯିବାକୁ ୮୦ ହଜାର ଟଙ୍କା ଲେଖାଏଁ ବ୍ୟୟ କରାଯିବ ।

Leave A Reply