Odisha news

ମା’ଶ୍ୟାମାକାଳୀଙ୍କ ପୂଜା ଅବସରରେ ତିହିଡି ଚଳଚଞ୍ଚଳ

0

ତିହିଡି,୦୧/୧୧(ଯଦୁମଣି ପାଣିଗ୍ରାହୀ): ତିହିଡିର ପ୍ରସିଦ୍ଧ ମା’ ଶ୍ୟାମାକାଳୀଙ୍କ ପୂଜା ଏଥର ୭୯ ବର୍ଷରେ ପଦାର୍ପଣ କରିଛି । ପୂର୍ବବର୍ଷ ମାନଙ୍କ ପରି ଚଳିତ ବର୍ଷ ବି ମା’ଙ୍କ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହେଉଛି । ସମଗ୍ର ତିହିଡି ଅଞ୍ଚଳ ଏଥିପାଇଁ ବେଶ ଚଳଚଞ୍ଚଳ ହୋଇଉଠିଛି । ଗତ ୩୧ତାରିଖ ଠାରୁ ମା’ଙ୍କ ପୂଜା ଯଥାବିଧି ଆରମ୍ଭ ହୋଇଛି । ଚଳିତ ବର୍ଷ ସୁଦୃଶ୍ୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ କାଳୀପଡିଆ ଠାରୁ ପୁଣି ବଜାର ଯାଏଁ ସଜ୍ଜିତ ହୋଇଛି । ପୂର୍ବବର୍ଷ ମାନଙ୍କ ଭଳି ବିଭିନ୍ନ ଅଞ୍ଚଳରୁ ଛୋଟ ବଡ ବ୍ୟବସାୟୀ ମାନେ ଆସି ବିଭିନ୍ନ ସାମଗ୍ରୀର ପସରା ମେଲାଇବା ସହ ଦି’ପଇସା ଲାଭ କରିବାର ଲକ୍ଷ୍ୟ ରଖିଛନ୍ତି । ଦୋଳି ଓ ମୀନାବଜାର ଆଦି ପିଲାମାନଙ୍କୁ ବେଶ୍ ଆନନ୍ଦର ଖୋରାକ ଯୋଗାଉଥିବା ଦେଖାଯାଉଛି । ପ୍ରକାଶ ଯେ, ଦୀର୍ଘ ୭୯ବର୍ଷର ମହନୀୟ ପରମ୍ପରାରେ ସମୃଦ୍ଧ ମା’ ଶ୍ୟାମାକାଳୀଙ୍କ ପୂଜା ୧୯୪୫ ମସିହାରେ ସର୍ବପ୍ରଥମେ ତିହିଡିର ଗୋରୁହାଟ ଠାରେ ସ୍ଥାନୀୟ ବାସିନ୍ଦା ସ୍ୱର୍ଗତ ଚେମେଇ ନାୟକ, ଗିରିଧାରୀ ଦାସ, ଇନ୍ଦ୍ରମଣି ଯତି ଚାନ୍ଦବାଲି ଅଞ୍ଚଳ ଯୋଗେନ୍ଦ୍ର ମହାନ୍ତି ଓ ତକ୍ରାଳୀନ ଫାଣ୍ଡି ଅଫିସର ଦୁର୍ଗାମାଧବ ମିଶ୍ରଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ତିହିଡି କାଳୀପଡିଆ ଠାରେ ନିୟମିତ ଭାବେ ମହା ସମାରୋହରେ ଅନୁଷ୍ଠିତ ହୋଇଆସୁଛି । ଅମାବାସ୍ୟା ତିଥିରୁ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇ ପ୍ରାୟ ୭ ଦିନ ଧର ଯଥାବିଧି ପାଳିତ ହୋଇଥାଏ । ମା’ଙ୍କ ପାଖରେ କଖାରୁ ବଳି ଦିଆଯିବାର ଦୃଶ୍ୟ ବେଶ ଚିତାକର୍ଷକ ଓ ଆକର୍ଷଣୀୟ ମନେ ହୋଇଥାଏ । ଚଳିତବର୍ଷର ପୂଜା ଯଥାବିଧି ଓ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ କରାଯିବ ବୋଲି ମା’ ଶ୍ୟାମାକାଳୀଙ୍କ ପୂଜା କମିଟିର ସଭାପତି ବୀରେନ୍ଦ୍ର ନାୟକ, ସମ୍ପାଦକ ବୃନ୍ଦାବନ ଜେନା, କୋଷାଧ୍ୟକ୍ଷ ମୃତୁ୍ୟଞ୍ଜୟ ଦାସଙ୍କ ସମେତ, ଧୀରେନ୍ଦ୍ର ସାହୁ, ଗିରିଜାରମଣ ଜେନା, ଅଶୋକ ପାଢୀ, ରବି ନାରାୟଣ ଜେନା, ପ୍ରତାପ ଜେନା, ପ୍ରଭାକର ନାୟକ, ପ୍ରଫୁଲ୍ଲ କୁମାର ଯତି ଓ ଶ୍ରୀଧର ଜେନା ପ୍ରମୁଖ ପ୍ରକାଶ କରିଛନ୍ତି ।

Leave A Reply