ତିହିଡି, ୧୦/୧୦(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତର ଶଂଖିଡା ଗ୍ରାମର ବାସିନ୍ଦା ତଥା ଭଦ୍ରକ କୋର୍ଟର ଆଇନଜୀବୀ ଓ ବାମପନ୍ଥୀ ନେତା ଶଶୀଭୂଷଣ ତ୍ରିପାଠୀଙ୍କ ଗୁରୁବାର ପ୍ରତୁ୍ୟଷରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ତ୍ରିପାଠୀ ଗତ କିଛି ବର୍ଷ ହେଲା ବିଭିନ୍ନ ରୋଗରେ ପୀଡିତ ଥାଇ ଚିକିତ୍ସାଧୀନ ଥିଲେ । ସେ ଭଦ୍ରକ କୋର୍ଟରେ ଓକିଲାତି ବ୍ୟବସାୟ କରିବା ସହ ଦୀର୍ଘ ବର୍ଷ ହେଲା ସିପିଆଇ(ଏମ)ର ଜଣେ ସକ୍ରିୟ ସଦସ୍ୟ ଭାବେ ନିଷ୍ଠାର ସହିତ କାର୍ଯ୍ୟ କରି ଆସୁଥିଲେ । ସ୍ୱର୍ଗତ ତ୍ରିପାଠୀ ଜଣେ ସରଳ, ହୃଦୟବାନ ଓ ପରୋପକାରୀ ବ୍ୟକ୍ତିଭାବେ ସାଧାରଣରେ ବେଶ ଜଣାଶୁଣା ଥିଲେ । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ସିପିଆଇ(ଏମ)ର ବହୁ କର୍ମୀ ଓ କର୍ମକର୍ତ୍ତା ତଥା ବନ୍ଧୁ ମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କର ଅନ୍ତିମ ସଂସ୍କାର ନିଜ ଗ୍ରାମରେ କରାଯାଇଥିବା ବେଳେ ଏକ ମାତ୍ର ପୁଅ ଅରୁଣ କୁମାର ତ୍ରିପାଠୀ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
