Odisha news

ଧାମନଗରର ନାଁକୁ ତଳେ ପକାଇବାକୁ ଦେବିନି : ସୂର୍ଯ୍ୟବଂଶୀ ସୂରଜ

0

ତିହିଡି, ୨୭/୦୫(ଯଦୁମଣି ପାଣିଗ୍ରାହୀ): ଧାମନଗର ମାଟିର ସମ୍ମାନ ଓ ସ୍ୱାଭିମାନ ରକ୍ଷା ଲାଗି ଲଢେଇ ଜାରି ରଖିବି । ନିର୍ବାଚନ ମୋ ପାଇଁ ଏକ ପ୍ରକ୍ରିୟା । ଜିତିବା କିମ୍ବା ହାରିବା ମୋ ପାଇଁ ବଡ ପ୍ରସଙ୍ଗ ନୁହେଁ । ଧାମନଗର ମାଟିର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ ଅବହ୍ୟାତ ରଖିବି ବୋଲି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ କହିବା ସହ ଏ ମାଟିର ନାଁକୁ ତଳେ ପକାଇବାକୁ ଦେବିନି ବୋଲି କହିଛି । ମୋର ୧୫ ମାସର ପ୍ରତିନିଧିତ୍ୱ କାଳରେ ପ୍ରାୟ ୧ଶହ ୫୦ କୋଟି ସରକାରୀ ଅର୍ଥର ବିନିଯୋଗ କରି ଏଠାରେ ରାସ୍ତାଘାଟ, ସ୍ୱାସ୍ଥ୍ୟସେବାରେ ଉନ୍ନତି, ପୋଲ ଓ ବନ୍ୟା ନିୟନ୍ତ୍ରଣ ଲାଗି ଆବଶ୍ୟକ କାର୍ଯ୍ୟ କରିଛି ଆଉ ଆଗକୁ ବି ଏହା ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି । ଯଦି ମୁଁ ଏଠାରୁ ନିର୍ବାଚିତ ହୁଏ ତେବେ ୫ ବର୍ଷରେ ପ୍ରତି ପଞ୍ଚାୟତରୁ ୧ଶହ ଯୁବକ-ଯୁବତୀଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସଙ୍କଳ୍ପ ନେଇଛି । ଯାହାଫଳରେ ଏଠାକାର ବେକାର ଯୁବକଙ୍କୁ ଆଉ କାମ କରିବାକୁ ବାହାରକୁ ଯିବାକୁ ପଡିବନି ବୋଲି ସୂରଜ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅସୁରାଳି ଠାରେ ଦେଶର ୫ମ ସ୍କିଲ ଇଣ୍ଡିଆ ତାଲିମ ସେଣ୍ଟର ପ୍ରତିଷ୍ଠା ହୋଇଛି, ଆଗକୁ ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଛି । ତା’ଛଡା ବେକାର ଯୁବକ-ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଅନେକ ଯୋଜନା ମଧ୍ୟ ରହିଛି, ସେଥିରୁ କିଭଳି ଏଠାକାର ଯୁବକ-ଯୁବତୀ ମାନେ ଉପକୃତ ହୋଇପାରିବେ ସେଥିନେଇ ପ୍ରୟାସ କରିବି ବୋଲି ସେ କହିଛନ୍ତି । ଜନ ସମ୍ପର୍କ ହେଉଛି ମୋ ନିର୍ବାଚନ ପ୍ରଚାରର ଆଧାର । ସବୁବେଳେ ଲୋକଙ୍କ ପାଖରେ ରହିଛି । ବନ୍ୟା, ବାତ୍ୟା, ମରୁଡି ଓ ଘର ପୋଡି ଆଦି ବିପତ୍ତି ବେଳେ ଲୋକଙ୍କ ପାଖରେ ଛିଡା ହୋଇଛି ଓ ଆଗକୁ ବି ଏହା ବଜାୟ ରଖିବି । ଏଠାକାର ଲୋକଙ୍କର ମୋ ପ୍ରତି ଅକୁଣ୍ଠିତ ସମର୍ଥନ ରହିଛି ବୋଲି ସୂରଜ କହିବା ସହ ବିରୋଧୀଙ୍କ ଚକ୍ରାନ୍ତ ଏହାକୁ ପ୍ରତିରୋଧ କରିପାରିବେ ନାହିଁ ବୋଲି ସେ କହିଛନ୍ତି । ବିଶେଷ କରି ଧାମନଗରର ମା’ଭଉଣୀଙ୍କ ଆଶୀର୍ବାଦ ମୋ ମୁଣ୍ଡ ଉପରେ ରହିଛି ଯାହାକି ମୋତେ ଏହି ନିର୍ବାଚନ ବୈତରଣୀ ପାରି କରାଇବ ବୋଲି ସେ କହିଛନ୍ତି । ଗତ ୧୫ ମାସ ଭିତରେ ଏଠାକାର ସ୍ୱାର୍ଥ ଓ ସମସ୍ୟାକୁ ନେଇ ବିଧାନସଭାରେ ସ୍ୱର ଉତ୍ତୋଳନ କରିଛି । ଆଗକୁ ବି ଏହି ସ୍ୱର ଅଧିକ ଶାଣିତ ହେବ ବୋଲି ସୂରଜ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଗତ ଉପ ନିର୍ବାଚନରେ ଧାମନଗର ବାସୀ ମୋ ଉପରେ ଯେମିତି ବିଶ୍ୱାସ ଓ ଭରସା କରିଥିଲେ, ଚଳିତ ନିର୍ବାଚନରେ ବି ସେହି ବିଶ୍ୱାସକୁ ଅତୁଟ ରଖିବେ ବୋଲି ମୁଁ ସମ୍ପୂର୍ଣ୍ଣ ଆଶାବାଦୀ ଅଛି ବୋଲି ସୂରଜ ପ୍ରକାଶ କରିଛନ୍ତିି । ଏଠାରେ ସୂଚନାଥାଉକି ଧାମନଗରରେ ସୂରଜଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ବିଜେଡିର ଡା.ସଞ୍ଜୟ ଦାସ ଓ କଂଗ୍ରେସରୁ ରଞ୍ଜନ କୁମାର ବେହେରା । ତେବେ ଏଠାରେ ସୂରଜଙ୍କ ସହିତ ସଞ୍ଜୟଙ୍କ ସିଧାସଳଖ ଲଢେଇ ହେବାର ସମ୍ଭାବନା ରହିଛି ।

Ad2
Leave A Reply