ତିହିଡି,୦୭/୦୫(ଯଦୁମଣି ପାଣିଗ୍ରାହୀ): ·ନ୍ଦବାଲିରେ ବିଜେପି କ୍ରମଶଃ ଶକ୍ତିଶାଳୀ ହେଉଛି । ଅନ୍ୟଦଳର କର୍ମୀ ମାନେ ପ୍ରାୟ ସବୁ ଦିନେ ବିଜେପିରେ ସାମିଲ ହେଉଛନ୍ତି । ବିଜେଡି ନେତାଙ୍କ ମିଛ ପ୍ରଚାର ଓ ବିଭ୍ରାନ୍ତିକର ମନ୍ତବ୍ୟ ଆଉ କାମ କରିବନି । ଏଥର ଓଡିଶାରେ ଡବଲ ଇଞ୍ଜିନର ସରକାର । ତେଣୁ ଚାନ୍ଦବାଲିବାସୀ ମନସ୍ଥ କରି ସାରିଲେଣି କାହାକୁ ଭୋଟ ଦେବେ । ଏକଥା କହିଛନ୍ତି ଚାନ୍ଦବାଲିର ବିଜେପି ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ । ଶ୍ରୀ ସାମଲ ଏବେ ଚାନ୍ଦବାଲିରେ ନିଜର ପ୍ରଚାର କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିଛନ୍ତି । ଦଳୀୟ କର୍ମୀ ଓ ସମର୍ଥକଙ୍କ ସହିତ ମିଶି ଦଳୀୟ ପ୍ରଚାରକୁ ଅଧିକ ଗତିଶୀଳ କରାଇବା ସହ ଲୋକଙ୍କ ପାଖକୁ ଯାଇ ଭୋଟଭିକ୍ଷା କରୁଛନ୍ତି । ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ଏଠାରୁ ପରାସ୍ତ ହୋଇଥିବା ଶ୍ରୀ ସାମଲ ଚଳିତ ନିର୍ବାଚନରେ ଶାସକ ଦଳକୁ ମାତ କରିବାକୁ ଗୋଟି ଚାଳନା ଆରମ୍ଭ କରିଛନ୍ତି । ଦୁଇଦୁଇ ଥର ପରାଜୟର ପ୍ରତିଶୋଧ ନେବାକୁ ଦଳ ଏଠାରେ ରଣନୀତି ପ୍ରସ୍ତୁତ କରିଛିି । ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଦଳକୁ ଆଣିବାକୁ ସକ୍ଷମ ହେଉଛି । ଲଗାତରଭାବେ ମିଶ୍ରଣ ପର୍ବ ଆୟୋଜନ କରି ହଜାର ହଜାର କର୍ମୀଙ୍କୁ ବିଜେପିରେ ସାମିଲ କରିବାକୁ ସକ୍ଷମ ହୋଇଛି ବିଜେପି । ଆଗକୁ ଏହି ପ୍ରକ୍ରିୟା ଜାରି ରହିବ । ୨୦୧୪ ନିର୍ବାଚନ ପରେ ୨୦୧୯ରେ ବିଜେପରି ଭୋଟ୍ ହାର ବଢିଛି ଏବଂ ମୋଦୀ ଲହରରେ ଏଥର ଅଧିକରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ଜିତିବ ବୋଲି ଶ୍ରୀ ସାମଲ କହିଛନ୍ତି । ବିଶେଷକରି ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ୯ଟି ପଞ୍ଚାୟତରେ ବିଜେପିର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଭୋଟରମାନେ ପରିବର୍ତ୍ତନ ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ବିଜେପିର ମିଶ୍ରଣ ପର୍ବ ଦେଖି ହଜିଯାଇଛି ବିଜେଡିର ନିଦ । ଚାନ୍ଦବାଲିରେ ଦିନକୁଦିନ ଶକ୍ତିଶାଳୀ ହେଉଛି ବିଜେପି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ନୀତି ଓ ଆଦର୍ଶ ଓ ତାଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନ ହିତକର ଯୋଜନା ଲୋକଙ୍କୁ ବିଶେଷଭାବେ ଆକୃଷ୍ଟ କରି ପାରିଛି ବୋଲି ଶ୍ରୀ ସାମଲ କହିଛନ୍ତି । ଏଥର ଗୋଟିଏ ମାତ୍ର ଲକ୍ଷ୍ୟ ବିଜେଡି ହଟିବ ଆଉ ଚାନ୍ଦବାଲିରେ ପଦ୍ମଫୁଲ ଫୁଟିବ । ବିକଶିତ ଓଡ଼ିଶା ଓ ବିକଶିତ ଚାନ୍ଦବାଲି ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ବିଜେପି ହାତ ମୁଠାକୁ ଟାଣ କରିବାକୁ ଶ୍ରୀ ସାମଲ ଚାନ୍ଦବାଲିବାସୀଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲେ ଚାନ୍ଦବାଲିର ବିକାଶ ଦ୍ୱିଗୁଣା ହୋଇପାରିବ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
